ମଣ୍ତିରେ ପଡ଼ିଛି ହଜାର ହଜାର ବସ୍ତା ଧାନ:ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲା ଯୋଗାଣ ଅଧିକାରୀ

ଖପ୍ରାଖୋଲ: ଚଳିତ ବର୍ଷ ଧାନ କିଣା ସରକାର ଆଗୁଆ ବନ୍ଦ କରି ଦେଇଥିବାରୁ ହଜାର ହଜାର ବସ୍ତା ଧାନ ମଣ୍ତିଗୁଡ଼ିକରେ ପଡ଼ି ରହିଛି। ଅନେକ ଚାଷୀଙ୍କ ଘରେ ବି ବିକ୍ରି ନ ହୋଇ ଧାନ ପଡ଼ି ରହିଛି। ଏ ନେଇ ଚାଷୀମାନେ ପ୍ରଶାସନକୁ ଜଣାଇଲା ପରେ ବିଭିନ୍ନ ମଣ୍ତିର ସ୍ଥିତି ପରଖିବାକୁ ଯୋଗାଣ ବିଭାଗ ତତ୍ପରତା ପ୍ରକାଶ କରିଛି। ଖପ୍ରାଖୋଲ ବ୍ଲକ ଲୁହାସିଂହା ପେକ୍ସ ଯୁରିଆ ଧାନ ମଣ୍ତିରେ ହଜାର ହଜାର ବସ୍ତା ଧାନ ଖୋଲା ଆକାଶ ତଳେ ପଡ଼ି ରହିଥିବା ବେଳେ ଟାର୍ଗେଟ ବଢାଇବା ପାଇଁ ଚାଷୀ ଦାବି କରିଥିଲେ। ଏହା ପରେ ଶୁକ୍ରବାର ଜିଲ୍ଲା ଯୋଗାଣ ଅଧିକାରୀ ଅଭିରାମ ପଧାନ, ପାଟଣାଗଡ଼ ଉପଖଣ୍ତ ଯୋଗାଣ ଅଧିକାରୀ ବିଜୟ କୁଲୁ, ଖପ୍ରାଖୋଲ ଯୋଗାଣ ନିରୀକ୍ଷକ ରାଜାରାମ ହୋତା ପ୍ରମୁଖ ପହଂଚି ମଣ୍ତିର ସ୍ଥିତି ଅନୁଧ୍ୟାନ କରିଥିଲେ। ଏହି ଅବସରରେ ମଣ୍ତି କମିଟି ଏବଂ ଚାଷୀଙ୍କ ସହ ଆଲୋଚନା କରିଥିବା ବେଳେ ମଣ୍ତି ସମ୍ମୁଖରେ ପଡିଥିବା ଧାନ କିଣାଯିବା ପାଇଁ ନୂଆ ଟାର୍ଗେଟ ଦେବାକୁ ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି। ସୂଚନାଯୋଗ୍ୟ, ଏହି ମଣ୍ତିରେ ପ୍ରତି ବର୍ଷ ସର୍ବାଧିକ ଧାନ ବିକ୍ରି ହେଉଥିବା ବେଳେ ୪ଟି ପଂଚାୟତର ୨୯ଖଣ୍ତ ଗାଁର ଚାଷୀ ମଣ୍ତି ଉପରେ ନିର୍ଭର କରିଥାନ୍ତି। ଚଳିତ ବର୍ଷ ମଣ୍ତିରେ ୪୫୩ ଜଣ ଚାଷୀ ପଞ୍ଜୀକରଣ କରିଥିବା ବେଳେ ୩୧୯ ଜଣ ଚାଷୀ ଧାନ ବିକ୍ରି କରିଛନ୍ତି। ମଣ୍ତିର ଧାନ ୫୪ ହଜାର କ୍ବିଂଟାଲ ବିକ୍ରି ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ୩୮ହଜାର ୬ ଶହ କ୍ବିଂଟାଲ ଧାନ କିଣାବିକା ହୋଇଛି। ଅନେକ ଚାଷୀ ବିନା ଟୋକନରେ ଧାନ ପକାଇବା ସହ ବିକ୍ରି ପାଇଁ ଦାବି କରିଛନ୍ତି। ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଗସ୍ତ ସମୟରେ ଆଲୋଚନା ପରେ ସମବାୟ ସମିତି ବିକ୍ରି କମିଟି ସଦସ୍ୟ ଜୟନ୍ତପାଲ ମେହେର, କନ୍ଦର୍ପ ସୁଆର, ରାଜୁ ମେହେର, ପ୍ରଦୀପ ସିଂଦେଓ, ସମ୍ପାଦକ ରାମକୃଷ୍ଣ ସାହୁ ସମେତ ଚାଷୀମାନେ ଉପସ୍ଥିତ ଥିବା ବେଳେ ଯୋଗାଣ ଅଧିକାରୀ ଧାନ କିଣିବା ନେଇ ପ୍ରତିଶ୍ରୁତି ଦେଇଥିବା କହିଛନ୍ତି। ଏନେଇ ଖପ୍ରାଖୋଲ ଯୋଗାଣ ନିରୀକ୍ଷକ ରାଜରାମ ହୋତାଙ୍କୁ ପଚାରିବାରୁ ଜିଲ୍ଲା ଯୋଗାଣ ଅଧିକାରୀ ସ୍ଥିତି ଅନୁଧ୍ୟାନ କରି ଚାଷୀଙ୍କ ସହ ଆଲୋଚନା କରିଛନ୍ତି। ମଣ୍ତି ସମ୍ମୁଖରେ ପଡିଥିବା ଧାନ ପାଇଁ ଟାର୍ଗେଟ ଦେଇ ତୁରନ୍ତ କିଣା ଯିବ ବୋଲି କହିଛନ୍ତି। ସେହିପରି ଧଣ୍ତାମୁଣ୍ତା ଏବଂ ଖପ୍ରାଖୋଲ ମଣ୍ତିରୁ ମଧ୍ୟ ଚାଷୀଙ୍କ ଧାନ କିଣା ଯିବ ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର