ପ୍ରଚଣ୍ଡ ଖରା, ଜନଜୀବନ ଅସ୍ତବ୍ୟସ୍ତ

ଡୁଡୁକା: ଚଳିତ ବର୍ଷ ଖରାର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି। ଦିନ ତମାମ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଥିବା ବେଳେ ରାସ୍ତା ଶୂନଶାନ ହୋଇପଡ଼ୁଛି। ସକାଳ ୧୦ଟାରୁ ଅପରାହ୍‌ଣ ୫ଟା ପର୍ଯ୍ୟନ୍ତ ଲୋକେ ଟାଣଖରାରେ ଘରୁ ବାହାରିବା ପାଇଁ ଇଚ୍ଛା କରୁନାହାନ୍ତି। ଅଘୋଷିତ କର୍ଫ୍ୟୁ ଭଳି ପରିସ୍ଥିତି ସୃଷ୍ଟି ହେଉଥିବା ପରିଲକ୍ଷିତ ହେଉଛି। ବ୍ୟବସାୟିକ କାରବାର ସଂପୂର୍ଣ୍ଣ ମାନ୍ଦା ପଡ଼ିଛି। ଦିନଦିନ ଖରା ଯେତିକି ଟାଣ ହେଉଛି ଅଞ୍ଚଳରେ ସେତିକି ବିଦ୍ୟୁତକାଟ ହେଉଛି। ବିଦ୍ୟୁତ ବିଭାଗ ଘଣ୍ଟା ଘଣ୍ଟା ଧରି ଅଘୋଷିତ ବିଦ୍ୟୁତକାଟ ଯୋଗୁଁ ପାନୀୟ ଜଳ ପ୍ରକଳ୍ପଗୁଡ଼ିକ ଠିକ୍‌ ଭାବେ ଚାଲୁ ନାହିଁ। ଯାହାଫଳରେ ବିଭିନ୍ନ ଗ୍ରାମରେ ଜଳ ସଂକଟ ଦେଖା ଦେଲାଣି। ବିଦ୍ୟୁତକାଟ ହେବା ଫଳରେ ଲୋକେ ଘର ଭିତରେ ରହିପାରୁ ନାହାନ୍ତି। ବ୍ଲକ୍‌ର ବିଭିନ୍ନ ଅଞ୍ଚଳରେ ରହିଥିବା ଗଛଗୁଡ଼ିକ ଏବେ ଗ୍ରୀଷ୍ମର ପ୍ରକୋପ ସହ୍ୟ କରିପାରୁନଥିବାରୁ ମରି ଯାଉଥିବା ଦେଖିବାକୁ ମିଳୁଛି। ତା’ସହିତ ଜଙ୍ଗଲରେ ନିଆଁ ଲାଗିବା ସହ ଇଟାଭାଟି ପୋଡ଼ିବା ପାଇଁ ଲୋକେ ନିଆଁ ଲଗାଇ ଦେଉଥିବାରୁ ତାତି ଅସହ୍ୟ ହେଉଛି। ବସଗୁଡ଼ିକର ସମୟରେ କୌଣସି ପରିବର୍ତ୍ତନ ଘଟିନଥିବା ବେଳେ ମଧ୍ୟାହ୍ନ ଖରାରେ ବସ୍‌ଗୁଡ଼ିକ ଚାଲୁଛି। ପୁଣି ଶ୍ରମିକମାନେ ପ୍ରବଳ ଖରା ସତ୍ତ୍ୱେ କାମ କରୁଥିବା ଦେଖିବାକୁ ମିଳୁଛି। ସେହିପରି ବ୍ଲକ୍‌ର ବିଭିନ୍ନ ସ୍ଥାନରେ ହୋଇଥିବା ସାପ୍ତାହିକ ହାଟଗୁଡ଼ିକରେ ଜଳଛତ୍ର ଖୋଲିବା ପାଇଁ ଦାବି ହେଉଛି। ପ୍ରତି ପଞ୍ଚାୟତ ପକ୍ଷରୁ ଜଳଛତ୍ର ଖୋଲାଯାଇଛି ସତ କିନ୍ତୁ ଯେତିକି ଖୋଲାଯାଇଛି ଓ ସେତିକି ଜଳଛତ୍ର ପଥଚାରୀଙ୍କ ଶୋଷ ମେଣ୍ଟାଇପାରୁନାହିଁ। ବର୍ତ୍ତମାନ ନଈ, ନାଳ, କୂପ ଶୁଖି ଯାଇଥିବାରୁ ଲୋକେ ସ୍ନାନ ସକାଶେ ପାଣି ଟିକକ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପାଣି ପାଇଁ ପଶୁପକ୍ଷୀ ହଇରାଣ ହେଉଛନ୍ତି। ଜଳସ୍ତର ନିମ୍ନଗାମୀ ହେଉଥିବାରୁ ଅନେକ ନଳକୂପରୁ ପାଣି ବାହାରୁନାହିଁ। ଏପରି ସ୍ଥଳରେ ବଢ଼ୁଥିବା ତାତିର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ସଚେତନ କରିବାର ଆବଶ୍ୟକତା ଥିବା ବେଳେ ପିଇବା ପାଣି ସମସ୍ୟାର ସମାଧାନ ପ୍ରଶାସନକୁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।
ଜଙ୍ଗଲରେ ଜଳାଭାବ, ସଙ୍କଟରେ ବନ୍ୟପ୍ରାଣୀ
ଦେଓଗାଁ, ୨୨|୪(ଇମିସ): ସ୍ୱଳ୍ପ ବୃଷ୍ଟିପାତ ଏବଂ ବର୍ତ୍ତମାନ ଖରାର ପ୍ରକୋପ ଯୋଗୁଁ ଜଙ୍ଗଳରେ ଜଳାଭାବ ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ବନ୍ୟପ୍ରାଣୀ ପାଇଁ ହାହାକାର ହୋଇ ପଡ଼ୁଛନ୍ତି। ଦେଓଗାଁ ରେଞ୍ଜରେ ବନ୍ୟପ୍ରାଣୀଙ୍କ ପିଇବା ପାଇଁ ପାଣିର ବ୍ୟବସ୍ଥା କରିଥିଲେ ମଧ୍ୟ ତାହା ନ କରିବା ସଙ୍ଗେ ସମାନ। ଗତ ବର୍ଷରେ ଲକ୍ଷ ଲକ୍ଷ ଟଙ୍କାରେ ଜନ୍ତୁଙ୍କ ପାଇଁ ପୋଖରୀର ବ୍ୟବସ୍ଥା କରିଥିଲେ ମଧ୍ୟ ବର୍ତ୍ତମାନ ପାଣି ନାହିଁ।
ବର୍ତ୍ତମାନ ଜଙ୍ଗଲରେ ବିଚରଣ କରୁଥିବା ପ୍ରାଣୀଙ୍କ ପରିସ୍ଥିତି ଅସମ୍ଭାଳ ହୋଇ ପଡ଼ିଛି। ଗ୍ରାମ୍ୟ ଜଙ୍ଗଳ ଓ ସଂରକ୍ଷିତ ଜଙ୍ଗଲ ସବୁଆଡ଼େ ଜଳ ସଙ୍କଟ ଯୋଗୁଁ ବନ୍ୟପ୍ରାଣୀ ଜନ ବସତି ମୁହାଁ ହେବାକୁ ପଡ଼ିଛି। ଗାଁର ନିକଟ ପୋଖରୀ, କଟା ପାଣିକୁ ଭରଷା କରୁଥିବାରୁ ସ୍ଥାନୀୟ ଶିକାରୀ ହାବୁଡ଼ରେ ପଡ଼ୁଥିବା ଦେଖିବାକୁ ମିଳୁଛି। ସୁରକ୍ଷା କାରଣରୁ ବନ୍ୟ ଜନ୍ତୁଙ୍କୁ ଜଙ୍ଗଳ ସୀମାରେ ଆବଦ୍ଧ କରିବା ପାଇଁ ବିଭାଗୀୟ ଆଇନ ଥିବା ବେଳେ ଖରା ଦିନରେ ନିର୍ଦ୍ଦିଷ୍ଟ ସ୍ଥାନମାନଙ୍କରେ ଜଳାଶୟ ଖୋଲିବା, ରକ୍ଷଣା ବେକ୍ଷଣକୁ କଡ଼ା କଡ଼ି କାର୍ଯ୍ୟକାରୀ କରାଯିବାର ନିୟମ ଅଛି। ଏହା ସତ୍ତ୍ୱେ ସେମାନଙ୍କୁ ଅଟକାଇବା ସମ୍ଭବ ହେଉନାହିଁ। ବନ୍ୟ ଜନ୍ତୁଙ୍କ ପାଇଁ ବନ ବିଭାଗ ପକ୍ଷରୁ କେତେ ଜଳାଶୟ ଖୋଳା ଯାଇଛି ତାହାର ହିସାବ କାହା ପାଖରେ ନାହିଁ। ଗତ ବର୍ଷ କମ ବୃଷ୍ଟିପାତ ହୋଇଥିବାରୁ ଜଙ୍ଗଲରେ ଶୁଷ୍କତା ଦେଖାଯାଇଥିଲା। ଖରା ଦିନରେ ଜଙ୍ଗଲ ନିଆଁ, ପତ୍ର ପୋଡ଼ା ଏବଂ ଜଳାଶୟ ଯୋଗୁଁ ବନ୍ୟଜନ୍ତୁ ଏବେ ଅସୁରକ୍ଷିତ। ବନ୍ୟ ଜନ୍ତୁଙ୍କୁ ସୁରକ୍ଷା ଓ ସୁବିଧା ଦୃଷ୍ଟିରୁ ଶୁଖିଲା ପଡ଼ିଥିବା ଜଳାଶୟରେ ପାଣି ଭର୍ତ୍ତି କରାଯିବା ପାଇଁ ବନ ବିଭାଗ ପାଖରେ ମନୋବଳ ଅଭାବ ରହିଛି। ଖରା ଦିନରେ ଜଳାଭାବ ଦୂର କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ କାମକୁ ଆସୁ ନଥିବା ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର