ତୁଷରା ଥାନା: ୪୮ ଘଣ୍ଟା ମଧ୍ୟରେ ୨ ହତ୍ୟାକାଣ୍ଡ:କକାର ଟାଙ୍ଗିଆ ଚୋଟରେ ପୁତୁରା ମୃତ

ଗୁଡ଼ଭେଲା: ବଲାଙ୍ଗୀର ଜିଲ୍ଲା ତୁଷରା ଥାନା କୁରେଭନା ଗାଁରେ ଶୁକ୍ରବାର ଭାଇର ଠେଙ୍ଗା ମାଡ଼ରେ ବଡ଼ ଭଉଣୀର ମୃତ୍ୟୁ ଘଟଣାର ୪୮ ଘଣ୍ଟା ନ ପୂରୁଣୁ ରତାଖଣ୍ଡି ଗ୍ରାମରେ କକାର ଟାଙ୍ଗିଆ ଚୋଟରେ ପୁତୁରାର ଜୀବନ ଯାଇଛି। ପୁଲିସ ସୂଚନା ଅନୁସାରେ ତୁଷରା ଥାନା ଅନ୍ତର୍ଗତ ରତାଖଣ୍ଡି ଗ୍ରାମର ଦଶରଥ ରଣାଙ୍କ ପୁଅ ଶ୍ୟାମ ରଣା(୪୦) ରବିବାର ପ୍ରାୟ ୨ ଟା ବେଳେ ମଧ୍ୟାହ୍ନ ଭୋଜନ କରୁଥିଲେ। ଖାଇବା ଆରମ୍ଭ କରୁଥିବା ବେଳେ ଶ୍ୟାମଙ୍କ ନିଜ କକା ପରଦେଶୀ(୪୫) ହଠାତ ସେଠାରେ ପହଞ୍ଚି ଟାଙ୍ଗିଆରେ ଆକ୍ରମଣ କରିଥିଲେ। ସବୁବେଳେ ଗାଳି କରୁଛୁ କହି ବେକରେ ଚୋଟ ମରିଥିଲେ। କିଛି ବୁଝିବା କିମ୍ବା ପ୍ରତିରୋଧ କରିବା ପୂର୍ବରୁ ଶ୍ୟାମ ଭାତ କଂସା ନିକଟରେ ଟଳି ପଡ଼ିଥିଲେ। ବେକ ଓ ମୁଣ୍ଡରେ ଟାଙ୍ଗିଆରେ ଚୋଟ ମାରିବା ପରେ ପୁନଶ୍ଚ ଫେରି ନୃଶଂସ ଭାବରେ ବେକରେ ଚୋଟ ମାରିଥିଲେ। ବେକରେ ୨ ଓ ମୁଣ୍ଡରେ ୨ ଥର ଚୋଟ ମାରିଥିଲେ। ଖବର ପାଇ ତୁଷରା ଥାନା ଆଇଆଇସି ପ୍ରଶାନ୍ତ ପଟ୍ଟନାୟକ ଘଟଣାସ୍ଥଳକୁ ପହଞ୍ଚି ଶବ ଜବତ କରିବା ସହ ହତ୍ୟାକାରୀକୁ କାବୁ କରି ତୁଷରା ଥାନାରେ ଅଟକ ରଖି ତଦନ୍ତ କରାଯାଉଥିବା ଜଣାଯାଇଛି। ସେପଟେ ଶବକୁ ତୁଷରା ଡାକ୍ତରଖାନରେ ରଖା ଯାଇଥିବା ବେଳେ ଆସନ୍ତାକାଲି ବ୍ୟବଚ୍ଛେଦ କରାଯିବ ବୋଲି ତଦନ୍ତ ଅଧିକାରୀ ଏଆଇ ଜେ ଜେ ସା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର