ସଂପର୍କୀୟା ଭାଣିଜୀକୁ ନେଇ ମାମୁ ଫେରାର

ଟିଟିଲାଗଡ଼ : ଟିଟିଲାଗଡ଼ ଥାନା ଅନ୍ତର୍ଗତ ଶଗଡ଼ଘାଟ ଗାଁରେ ଜଣେ ସଂପର୍କୀୟା ଭାଣିଜୀକୁ ନେଇ ମାମୁ ଫେରାର ମାରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏ ନେଇ ଟିଟିଲାଗଡ଼ ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ଅଭିଯୁକ୍ତ ମାମୁକୁ ଅଟକ ରଖି ପଚରାଉଚୁରା ଜାରି ରଖିଛି। ସୂଚନା ଅନୁସାରେ ଶଗଡଘାଟ ଗାଁର ଯୁବକ ଠାକୁର ହରପାଲ ଗତ ୨୦ ତାରିଖ ଦିନ ନିଜ ନାବାଳିକା ଭାଣିଜୀକୁ ନେଇ ଫେରାର ମାରିଥିଲା। ସେମାନେ ଘରୁ ଚାଲିଯାଇ ସଇଁତଳା ଥାନା ଅନ୍ତର୍ଗତ ଟିକ୍ରାପଡାରେ ରହୁଥିଲେ। ଏହାକୁ ନେଇ ସଂପୃକ୍ତା ନାବାଳିକାର ପରିବାର ଲୋକେ ଟିଟିଲାଗଡ ଥାନାରେ ଅଭିଯୋଗ କରିଥିବା ବେଳେ ପୁଲିସ ଏହାକୁ ନେଇ ଟିଟିଲାଗଡ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୁଲିସ ସେମାନେ ରହୁଥିବା ଟିକ୍ରାପଡାର ଘର ଉପରେ ଚଢାଉ କରି ଦୁହିଁଙ୍କୁ ଆଣିଥିବା ବେଳେ ସଂପୃକ୍ତ ଯୁବକକୁ ଅଟକ ରହି ପଚରାଉଚୁରା ଜାରି ରଖିଥିବା ଟିଟିଲାଗଡ ଥାନାଧିକାରୀ ବିଜୟାନନ୍ଦ କରକରା କହିଛନ୍ତି। ଗୁରୁବାର ଅଟକ ଯୁବକକୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର