ହସ ପୂର୍ବରୁ ଲୁହ: ନବଜାତ ଶିଶୁର ମା’ ହେବା ପୂର୍ବରୁ ବିଧବା ହେଲେ ମହିଳା

ବଲାଙ୍ଗୀର: କିଛି ଲୋକଙ୍କ ଜୀବନରେ ଦୁଃଖ ସହିତ ଯନ୍ତ୍ରଣା ବି ଆସିଥାଏ, ଯେଉଁଥିରେ କି ତାଙ୍କର ସ୍ୱପ୍ନ ଚୁରମାର ହୋଇ ଯାଇଥାଏ। ଜୀବନ ସାରା ଲୁହକୁ ସାଥୀ ଭାବେ ଗ୍ରହଣ କରି ବଂଚିବାକୁ ପଡ଼ିଥାଏ। ଏମିତି ଏକ ଦୁଃଖଦ କାହାଣୀ ଶନିବାର ବଲାଙ୍ଗୀର ମେଡିକାଲ କଲେଜ ଓ ହସ୍ପିଟାଲରେ ଦେଖିବାକୁ ମିଳିଛି। ପ୍ରସବ ବେଦନା ଯୋଗୁଁ ଲେବର ରୁମ୍‌ରେ ଭର୍ତ୍ତି ହୋଇଥିବା ଜଣେ ମହିଳା ଶିଶୁ ଜନ୍ମ ଦେଇ ମା’ ଡାକ ଶୁଣିବା ପୂର୍ବରୁ ସ୍ୱାମୀଙ୍କୁ ହରାଇଛନ୍ତି।

ରିପୋର୍ଟ ଅନୁସାରେ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଅଞ୍ଚଳର ଜଣେ ଯୁବକ ବାବୁଲି ଭରାସାଗର ନିଜର ଗର୍ଭବତୀ ପତ୍ନୀ ବର୍ଷାଙ୍କୁ ଆଜି ପୂର୍ବାହ୍ନ ୧୧ଟାରେ ହସ୍ପିଟାଲ ପହଞ୍ଚିଥିଲେ। ପତ୍ନୀଙ୍କୁ ଆଡମିଟ୍‌ କରିବାର କିଛି ସମୟ ପରେ ବାବୁଲିଙ୍କର ସ୍ୱାସ୍ଥ୍ୟ ହଠାତ୍‌ ବିଗିଡ଼ିବାରୁ ତାଙ୍କୁ ମଧ୍ୟ ଆଉଟ୍‌ ଡୋରରେ ଆଡମିଟ୍‌ କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ ହୋଇ ଯାଇଥିଲା। ପତିଙ୍କ ମୃତ୍ୟୁ ସଂପର୍କରେ ମହିଳା ଜଣକ ପରେ ଜାଣିଥିଲେ। ଶିଶୁକୁ ଜନ୍ମ ଦେବା ପରେ ଖୁସି ଅନୁଭବ କରୁଥିବା ବର୍ଷା ପତିଙ୍କୁ ହରାଇ ପୁଣି ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।

ପରିବାର ଲୋକଙ୍କ କହିବା ଅନୁସାରେ ବାବୁଲିଙ୍କ କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ନଥିଲା। କେଉଁ କାରଣରୁ ସେ ହଠାତ ଅସୁସ୍ଥ ହୋଇ ଯାଇଥିଲେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା, ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଜଣାପଡ଼ିବ। ବାବୁଲିର ମୃତଦେହ ପରିବାର ଲୋକେ ଗାଁକୁ ନେଇ ଯାଇଥିବା ବେଳେ ହସ୍ପିଟାଲରେ ବର୍ଷା ଓ ତାଙ୍କର ନବଜାତ ସୁସ୍ଥ ଥିବା ଜଣାପଡ଼ିଛି।

ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଥାନା ଅନ୍ତର୍ଗତ ମଣିଗାଁର ବାବୁଲି ଭରାସାଗର (୨୫ ବର୍ଷ) । ତାଙ୍କ ଗର୍ଭବତୀ ପତ୍ନୀ ବର୍ଷା ଭରାସାଗର(୨୩ ବର୍ଷ) ଗର୍ଭଯନ୍ତ୍ରଣା ପାଇବାରୁ ତାଙ୍କର ପ୍ରସବ ପାଇଁ ନିଜ ମାଆ ମୁକ୍ତା ଭରାସାଗରଙ୍କୁ ସାଙ୍ଗରେ ଧରି ଆଜି ସକାଳେ ଆସି ବଲାଙ୍ଗୀର ମେଡିକାଲ କଲେଜ ଆଣ୍ଡ ହସ୍‌ପିଟାଲରେ ପହଞ୍ଚିଥିଲେ। ତେବେ ବର୍ଷାଙ୍କୁ ଲେବର ରୁମ୍‌କୁ ପଠାଇ ଦେଇ ଅବଶ୍ୟକ କାଗଜପତ୍ର ପ୍ରସ୍ତୁତ କରିବା ପାଇଁ ମେଡିକାଲର ଆଉଟଡୋରକୁ ଆସିଥିଲେ ବାବୁଲି ଭରାସାଗର। ହଠାତ ସେ ସେଠାରେ ବସିପଡ଼ିବା ସହିତ ତାଙ୍କ ଚେତା ଚାଲି ଯାଇଥିଲା। ସାଙ୍ଗେସାଙ୍ଗେ ଡାକ୍ତର ତାଙ୍କୁ ପରୀକ୍ଷା କରିଥିଲେ , ଆଉ ବାବୁଲି ଭରାସାଗରଙ୍କୁ ମୃତ ଘୋଷଣା କରିଥିଲେ।

 

 

ସମ୍ବନ୍ଧିତ ଖବର