ବୟସ ଭାରରେ ନଇଁ ଯାଇଛି ଅଣ୍ଟା:ତଥାପି ବି ୨ ଦିବ୍ୟାଙ୍ଗ ନାତି ନାତୁଣୀଙ୍କ ସାହା ରୁବାନି

ଟିଟିଲାଗଡ଼: ବୟସ ଭାରରେ ନଇଁ ଗଲାଣି ଅଣ୍ଟା। ପରିସ୍ଥିତି ଏପରି ଯେ ନିଜର ଭାର ନିଜେ ଉଠାଇବାରେ ଅଣାୟତ। ଅଧା ବୟସରେ ଏକା ଛାଡ଼ି ଚାଲିଗଲେ ଝିଅଜ୍ୱାଇଁ। ଆଉ ଦେଇଗଲେ ବଢ଼ୀ ବୟସରେ ତିନି ତିନିଟି ପିଲାଙ୍କ ଲାଳନପାଳନର ଭାର। ୩ ଜଣଙ୍କ ମଧ୍ୟରୁ ପୁଣି ଦୁଇଜଣ ଦିବ୍ୟାଙ୍ଗ। ଏପରି ସ୍ଥିତିରେ ନା ଶାନ୍ତିରେ ବଞ୍ଚି ପାରୁଛନ୍ତି ନା ଶା‘ିରେ ମରି ପାରୁଛନ୍ତି ରୁବାନି ଭୋଇ।
ଟିଟିଲାଗଡ଼ ବ୍ଲକ ଶଗଡଘାଟ ପଞ୍ଚାୟତ ବାଞ୍ଜିଝାଲ ଗାଁର ରୁବାନି ଭୋଇ। ବହୁ ପୂର୍ବରୁ ପତିଙ୍କୁ ହରାଇଥିବା ରୁବାନିଙ୍କ ପରିବାର କହିଲେ ଝିଅ ଜ୍ୱାଇଁ ଓ ତିନି ନାତିନାତୁଣୀ। କୌଣସି ପ୍ରକାର ଜମିବାଡ଼ି ନଥିବା କି ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ନଥିବା ରୁବାନି ଏହି ଛ ଜଣିଆ ପରିବାରକୁ ନେଇ ତାଙ୍କ ଶାଶୂ ପାଇଥିବା ଏକ ପୁରୁଣା ଇନ୍ଦିରା ଆବାସ ଘରେ ରହି ଆସୁଥିଲେ। ପର ଘରେ ନିଜେ ସେ ଓ ଝିଅ ଜ୍ୱାଇଁ ମୂଲ ଲାଗି ପରିବାର ମୁହଁରେ ଦୁଇଓଳି ଦୁଇମୁଠା ଆହାର ଯୋଗାଡ କରି ଆସୁଥିଲେ। ହେଲେ କିଛି ବର୍ଷ ପୂର୍ବରୁ ରୁବାନିଙ୍କ ମୁଣ୍ଡରେ ବଜ୍ର ପଡିଲା। ପ୍ରଥମେ କୌଣସି ଏକ ବ୍ୟାଧିରେ ଆକ୍ରାନ୍ତ ହୋଇ ଜ୍ୱାଇଁ ଆଖି ବୁଜିଲେ। ବିଧବା ହେବା ପରେ ରୁବାନିଙ୍କ ଝିଅ ଗାଁରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରରେ ପାଚିକା ଭାବରେ ନିଯୁକ୍ତ ହେଲେ। ସେ ନିଯୁକ୍ତି ପାଇବା ପରେ କିଛି ଦିନ ପରିବାରର ଅବସ୍ଥା ସାମାନ୍ୟ ରହିଲା। ହେଲେ ହଠାତ ରୁବାନିଙ୍କ ଝିଅର ମୃତ୍ୟୁ ଘଟିଲା। ଏଥିରେ ସେ ଯେତିକି ଭାଙ୍ଗି ପଡିଲେ ତାଙ୍କ ଝିଅଜ୍ୱାଇଁ ଛାଡି ଯାଇଥିବା ତିନିତିନିଟି ନାତିନାତୁଣୀଙ୍କ ପ୍ରତିପୋଷଣ ଦାୟିତ୍ୱରେ ସେ ଅଧିକ ଚିନ୍ତାଗ୍ରସ୍ତ ହୋଇ ପଡ଼ିଲେ। ସେଥିରେ ପୁଣି ତିନୋଟି ନାତିନାତୁଣୀଙ୍କ ମଧ୍ୟରେ ବଡ଼ ଲୁକେଶ୍ୱର ମାଝୀ ଓ ସାନ ସ୍ୱାତି ମାଝୀ ଦିବ୍ୟାଙ୍ଗ।

ମଝିଆ ଟିକେଶ୍ୱର ମାଝୀ ସାମାନ୍ୟ ହୋଇଥିବା ବେଳେ ଚାଇଲଡ ଲାଇନ୍‌ ସହାୟତାରେ ତାଙ୍କୁ ଏକ ଆଶ୍ରମ ସ୍କୁଲରେ ରଖିବା ବ୍ୟବସ୍ଥା କରା ଯାଇଛି। ଏତେ ସମସ୍ୟା ଦେଇ ଗତି କରୁଥିଲେ ହେଁ ସରକାରୀ ସହାୟତା କହିଲେ କେବଳ ମାସକୁ ୫କେଜି ଚାଉଳ ଓ ଭତ୍ତା ବାବଦ ୩ଶହ ଟଙ୍କା। ବଡନାତି ଲୁକେଶ୍ୱର ମଧ୍ୟ ୫ ଶହ ଟଙ୍କା ଭତ୍ତା ପାଉଛି। ହେଲେ ମାସକୁ ମାତ୍ର ୮ଶହ ଟଙ୍କା ଓ ପାଞ୍ଚ କେଜି ଚାଉଳରେ ପରିବାର କିପରି ପୋଷିବେ ତାହାକୁ ନେଇ ଚିନ୍ତାରେ ଘାରି ହେଉଛନ୍ତି ରୁବାନି। ଝିଅର ମୃତ୍ୟୁ ହେବା ସମୟରେ ସେ ପାଇଥିବା ଦରମା ବାବଦ ଅର୍ଥ ଆଠ ହଜାର ଟଙ୍କା ବ୍ୟାଙ୍କରେ ଅଛି। ହେଲେ ଅନେକ ଥର ବ୍ୟାଙ୍କକୁ ଦୌଡ଼ିବା ଓ ବିଭିନ୍ନ ପ୍ରମାଣପତ୍ର, ସତ୍ୟପାଥ ଦାଖଲ କରିବା ସତ୍ତ୍ୱେ ସେହି ଟଙ୍କା ସେ ପାଇ ନାହାଁନ୍ତି। କେବଳ ଏତିକି ନୁହେଁ, ପ୍ରାୟ ୪ବର୍ଷ ତଳେ ମୃତ୍ୟୁବରଣ କରିଥିବା ତାଙ୍କ ଝିଅ ପାଇଁ ସରକାର ଯୋଗାଇ ଦେଉଥିବା ହରିଶ୍ଚନ୍ଦ୍ର ଯୋଜନାରେ ୨ହଜାର ଟଙ୍କା ମଧ୍ୟ ସେ ପାଇ ନ ଥିବା କହିଛନ୍ତି। ଏହି ପରିବାରକୁ ଜୀବନଜିବିକା ପାଇଁ କୌଣସି ସହାୟତା ପ୍ରଦାନ କରିବାକୁ ସରକାରଙ୍କ ନିକଟରେ ସେ ଗୁହାରି କରିଛନ୍ତି। ଏ ନେଇ ସ୍ଥାନୀୟ ବିଡିଓ ମୋହନ ସାହୁ କହିଛନ୍ତି ଯେ, ଏହି ପରିବାରକୁ ଭତ୍ତା ଦିଆଯିବା ସହ ଚାଉଳ ମଧ୍ୟ ଦିଆଯାଉଛି। ତେବେ ଚାଉଳର ପରିମାଣ ବଢ଼ାଇବା ପାଇଁ ତୁରନ୍ତ ପଦକ୍ଷେପ ନିଆଯିବ ଓ ସେ ଏବିଡିଓଙ୍କୁ ଗାଁକୁ ପଠାଇବେ। ତାଙ୍କ ଠାରୁ ରିପୋର୍ଟ ପାଇବା ପରେ ସେ ତାଙ୍କ ପରିବାରକୁ ସହାୟତା ଯୋଗାଇ ଦେବା ଦିଗରେ କାର୍ଯ୍ୟ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର