ଆଉ ୨ ଗିରଫ, ମାଷ୍ଟରମାଇଣ୍ଡ ଏବେ ବି ଫେରାର:ଟଙ୍କା କାରବାରକୁ ନେଇ ମାରିଥିଲେ!

ଟ୍ରକ୍ ମାଲିକ ମାନସ ଦାସଙ୍କୁ ଗୁଳିକରି ହତ୍ୟା ଘଟଣା

ହତ୍ୟା ପାଇଁ ହେଉଥିଲା ରିହର୍ସାଲ
ଯିବା ବାଟରେ ଜଗୁଥିଲେ ୯ ଅଭିଯୁକ୍ତ(ଫ)
୨ଥର ଉଦ୍ୟମ ପରେ ତୃତୀୟ ଥରରେ ମାରିଲେ
ବାଲେଶ୍ୱର: ସହଦେବଖୁଣ୍ଟା ଥାନା ଅଧୀନ ଫିରିଙ୍ଗିପାଟଣାରେ ଟ୍ରକ୍ ମାଲିକ ମାନସ ଦାସ ଫତେସିଂଙ୍କୁ ଗୁଳି କରି ହତ୍ୟା କରିବା ଘଟଣାରେ ପୁଲିସ ଅାଉ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୂର୍ବରୁ ଜନି ନାମକ ଜଣେ ଅଭିଯୁକ୍ତ ଧରା ପଡ଼ିଥିବାବେଳେ ଅାଜି ଗେଙ୍ଗୁଟି ଅଞ୍ଚଳର ଲାଲା ଓରଫ ରାଜୁ ସିଂଙ୍କୁ ମୟୂରଭଞ୍ଜ ମୋରଡ଼ାରୁ ଗିରଫ କରିଛି। ‌ସେହିପରି ଅନ୍ୟଜଣେ ଅଭିଯୁକ୍ତ ଲାପୋ ଟୁଡୁଙ୍କୁ ଗେଙ୍ଗୁଟିରୁ ୨୭ ତାରିଖ ରାତିରେ ପୁଲିସ ଗିରଫ କରିଥିବାବେଳେ ଅନ୍ୟ ଜଣକୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି। ରାଜୁ ଓ ଲାପୋଙ୍କୁ ଅାଜି କୋର୍ଟ ଚାଲାଣ କରାଯାଇଛି। ତେବେ ଏହି ହତ୍ୟାକାଣ୍ଡରେ ମୋଟ ୯ଜଣ ସଂପୃକ୍ତ ଥିବାବେଳେ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ କୁହାଯାଉଥିବା ସମସାନ ମହାପାତ୍ର ଓରଫ୍‌ ରାଜୁକୁ ପୁଲିସ ଏ ପର୍ଯ୍ୟନ୍ତ ଗିରଫ କରି ପାରିନାହିଁ। ଅନ୍ୟପକ୍ଷରେ ଆଉ ଜଣେ ଟ୍ରକ୍ ବ୍ୟବସାୟୀ ମାଧବ ମୋହିନୀଙ୍କର ହତ୍ୟାକାଣ୍ଡରେ ସଂପୃକ୍ତି ଥିବା ନେଇ ମାନସଙ୍କ ପରିବାର ବାରମ୍ବାର ଅଭିଯୋଗ କରି ଆସୁଥିଲେ ହେଁ ପୁଲିସ ତାଙ୍କୁ ଡାକି ଜେରା ନ କରିବା ପୁଲିସର ଭୂମିକା ଉପରେ ପ୍ରଶ୍ନବାଚୀ ସ୍ୃଷ୍ଟି କରିଛି।
ତେବେ ପୁଲିସ ହାତରେ ୨ ଅଭିଯୁକ୍ତ ଧରାପଡ଼ିବା ପରେ ପୁଲିସ ଆଗରେ ହତ୍ୟା ପଛର ରହସ୍ୟ ଉପରୁ ପର୍ଦ୍ଦା ଖୋଲିଛନ୍ତି। ସହଦେବଖୁଣ୍ଟା ଥାନା ଅଧିକାରୀ ଜୟନ୍ତ ରାଉତଙ୍କ କହିବା ଅନୁସାରେ, ଗେଙ୍ଗୁଟି ଅଞ୍ଚଳର ସାମସନ ମହାପାତ୍ର ଓରଫ ରାଜୁ ଭାଇ ଓ ମାନସଙ୍କ ମଧ୍ୟରେ ଟଙ୍କା କାରବାରକୁ ନେଇ ସୃଷ୍ଟି ହୋଇଥିଲା ବିବାଦ। ମାନସ ଲକ୍ଷାଧିକ ଟଙ୍କା ଅାଣି ଫେରାଉ ନ ଥିବା ଯୋଗୁଁ ତାଙ୍କୁ ଜୀବନରୁ ମାରିଦେବା ପାଇଁ ହୋଇଥିଲା ଯୋଜନା। ପ୍ରଥମେ ୧୮ରୁ ୨୫ ବର୍ଷ ବୟସର ଯୁବକମାନଙ୍କୁ ଏକତ୍ରିତ କରି ଯୋଜନା ପ୍ରସ୍ତୁତ କରାଯାଇଥିଲା। ଓଭରବ୍ରିଜ ପାଖ ଦୋକାନରୁ ତେଲେଙ୍ଗା କଟୁରି, କୋଦାଳ ଭଳି ମାରଣାସ୍ତ୍ର କିଣା ଯାଇଥିଲା। ସମୁଦାୟ ୯ଜଣ ମାନସଙ୍କ ଯିବାଅାସିବା ରାସ୍ତାରେ ସୁଯୋଗକୁ ଅପେକ୍ଷା କରି ବସୁଥିଲେ। ଯିଏ ଯେଉଁଠି ସୁଯୋଗ ପାଇବ ସେ ମାନସଙ୍କୁ ଅାକ୍ରମଣ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ଏହା ସହ ମର୍ଡର ପାଇଁ ସମସ୍ତଙ୍କ ଭିତରେ ବାରମ୍ବାର ହେଉଥିଲା ରିହର୍ସାଲ, ଯାହାର ନିର୍ଦ୍ଦେଶକ ଥିଲେ ସାମସନ। କେଉଁ ରାସ୍ତା, କେଉଁ ଗଳି, କେଉଁ ସମୟ, କେଉଁ ଅସ୍ତ୍ର ଓ କେଉଁମାନେ ମାନସଙ୍କୁ ହତ୍ୟା କରିବେ ସେସବୁ ବିଷୟରେ ହେଉଥିଲା ଅାଲୋଚନା।
ଶେଷରେ ଗତ ମାସ ୩୦ ତାରିଖ ଦିନ ମାନସ ରେମୁଣା ଅଞ୍ଚଳକୁ ଯାଇଥିବା ବେଳେ ସହଦେବଖୁଣ୍ଟା ବସଷ୍ଟାଣ୍ଡରେ ମାଷ୍ଟରମାଇଣ୍ଡଙ୍କ ପକ୍ଷରୁ ନିୟୋଜିତ ଜଣେ ଖବରୀ ତା’ର ଆସିବା ବାଟକୁ ଜଗି ବସିଥିଲା। ହେଲେ ସେଦିନ ବର୍ଷା ହେଉଥିବାରୁ ମାନସ କେତେବେଳେ ଅାସିଲେ ତାହା ସେମାନେ ଦେଖି ପାରିନଥିଲେ। ୩୧ ତାରିଖ ପୁଣି ଥରେ ମାନସଙ୍କ ଗତିବିଧି ଉପରେ ନଜର ରଖାଯାଇଥିଲେ ମଧ୍ୟ ସେଥିରେ ସେମାନେ ବିଫଳ ହୋଇଥିଲେ। ୨ଥର ଫେଲ୍‌ ମାରିବା ପରେ ଅଭିଯୁକ୍ତମାନେ ପ୍ରସ୍ତୁତ କରିଥିଲେ ଚୂଡ଼ାନ୍ତ ବ୍ଲୁ ପ୍ରିଣ୍ଟ। କଟୁରୀ, ଭୁଜାଲି ଭଳି ମାରଣାସ୍ତ୍ରରେ ମାରିବା ବଦ‌ଳରେ ବନ୍ଧୁକରେ ମାରିବା ପାଇଁ ନିଷ୍ପତ୍ତି ନେଇଥିଲେ। ତେଣୁ ୧ ତାରିଖ ରାତିରେ ମାନସ ଏକ ସ୍କୁଟିରେ ତାଙ୍କ ଫିରିଙ୍ଗିପାଟଣା ଘରକୁ ଫେରୁଥିବା ବେଳେ ତାଙ୍କୁ ଟାର୍ଗେଟ୍ କରାଯାଇଥିଲା। ପ୍ରଥମେ ଘରକୁ ଯାଇଥିବା ଛକରେ ଏହି ଗ୍ୟାଙ୍ଗ୍‌ର କିଛି ଯୁବକ ଏକାଠି ହୋଇ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ମାତ୍ର ମାନସ ‌େସଠାରୁ ପଳାଇ ଆସି ନିଜ ଘର ସାମ୍ନାରେ ପହଞ୍ଚିଥିବାବେଳେ ଦୁବୃର୍ତ୍ତମାନେ ତାଙ୍କ ଉପରକୁ ୨ରାଉଣ୍ଡ ଗୁଳି ଗଳାଇଥିଲେ। ସେଥିରୁ ଗୋଟିଏ ଗୁଳି ତାଙ୍କ ପିଠି ପାଖରେ ବାଜି ଛାତି ପଟ ଦେଇ ବାହାରିଯିବାରୁ ଘଟଣାସ୍ଥଳରେ ଟଳି ପଡ଼ିଥିଲେ ମାନସ। ଅତି ନିକଟରୁ ଗୁଳି କରାଯାଇଥିବା ଯୋଗୁଁ ସେଇଠି ହିଁ ମାନସଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ମାନସଙ୍କ ପତ୍ନୀ ଏଲେ‌ାରା ଏହି ହତ୍ୟ‌ା ପଛରେ ମୋହିନୀ ମାଧବ ଓ ସାମସନଙ୍କ ହାତ ଥିବା ନେଇ ଏତଲା ଦେଇଥିଲେ। ଅଭିଯୋଗ ପାଇ ପୁଲିସ ୨୫୭/୧୮ ମୂଳେ ମାମଲା ରୁଜୁ କରି ତଦନ୍ତ କରିଥିଲା। ମାତ୍ର ସମସାନଙ୍କ ସମେତ ଅନ୍ୟ ଅଭିଯୁକ୍ତମାନେ ଫେରାର ହୋଇ ଯାଇଥିବାବେଳେ ପୁଲିସ ଆଜିକୁ ମିଶାଇ ମୋଟ ୩ ଜଣଙ୍କୁ ଗିରଫ କରିଛି। ସମସାନର ଏଯାଏ ପତ୍ତା ମିଳି ନ ଥିବାବେଳେ ମାଧବ ମୋହିନୀକୁ ପୁଲିସ ଜାଣିଶୁଣି ଜେରା ମଧ୍ୟ କରୁନାହିଁ ବୋଲି ଏଲୋରା ଓ ତାଙ୍କ ପରିବାର ଲୋକ ନିକଟରେ ଏସ୍‌ପିଙ୍କୁ ଭେଟି ଅଭିଯୋଗ କରିଛନ୍ତି। ତେବେ ଜଲଦି ମୁଖ୍ୟ ଅଭିଯୁକ୍ତଙ୍କ ସହ ଅନ୍ୟମାନେ ଗିରଫ ହେବେ ବୋଲି ପୁଲିସ୍ କହିଛି।

ସମ୍ବନ୍ଧିତ ଖବର