ବାଲେଶ୍ୱର: ବାଇକ ଚୋରୀ ରାକେଟର ପର୍ଦ୍ଦାଫାସ, ୯ ବାଇକ ଜବତ ଓ ମାଷ୍ଟର ମାଇଣ୍ଡ ଗିରଫ

ଜଳେଶ୍ୱର ସବଜର୍ଜଙ୍କ ଚୋରି ବାଇକ ବି ଉଦ୍ଧାର

ଜଳେଶ୍ୱର: ବାଲେଶ୍‌ର ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରୁ ଗାଡି ଚୋରୀର ଏକ ରାକେଟକୁ ଶନିବାର ଜଳେଶ୍ୱର ପୁଲିସ ପର୍ଦ୍ଦାଫାସ କରିଛି। ଏହି ରାକେଟର ମାଷ୍ଟର ମାଇଣ୍ଡ ବାରିପଦା ତକତପୁର ଅଞ୍ଚଳର ହରିହର ଦାସଙ୍କ ପୁତ୍ର ବାବୁ ଓରଫ ଚନ୍ଦ୍ରମୋହନ ବୋଲି ଜଣା ପଡିଛି। ଚନ୍ଦ୍ରମୋହନ ନାମରେ ବାଲେଶ୍‌ର ଓ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଥାନାରେ ବହୁ ମାମଲା ରହିଥିବା ଜଣାପଡିଛ। ଜଳେଶ୍ୱର ପୁଲିସ ଅଭିଯୁକ୍ତକୁ ଜେରା କରିବା ପରେ ତାର ବୟାନ ଆଧାରରେ ପଶ୍ଚିମବଙ୍ଗର ଦାନ୍ତୁନ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିବା ବେଳେ ଦୁଇଟି ସ୍କୁଟି ଓ ସାତ ଟି ବାଇକ ଉଦ୍ଧାର କରିଛି। ଆହୁରି ଅନେକ ଚୋରି ବାଇକକୁ ଉଦ୍ଧାର କରାଯିବା ନେଇ ପୁଲିସ ଆଶା ରଖିଛି।

ଗତ ବର୍ଷ ଡିସେମ୍ବର ୧୦ ରାତିରେ ଦାନ୍ତୁନ ଥାନା ବଡଗଡିଆ ଗାଁର ପୂର୍ଣ୍ଣଚନ୍ଦ୍ର ଘୋଷଙ୍କ ପୁତ୍ର ପ୍ରଭାତ ଘୋଷଙ୍କର ଜଳେଶ୍ୱର ଥାନା ଅଗ୍ରୱାଲା ଛକରୁ ବାଇକ୍‌ (ଓଡି୦୧ଏଫ-୦୭୫୯)ର ତାଲା ଭାଙ୍ଗି ଚୋରି ହୋଇଥିଲା। ତେବେ ଏହି ବାଇକ କୁ ଦାନ୍ତୁନ ଅଞ୍ଚଳର ଜଣେ ବ୍ୟକ୍ତି ଚଢୁ ଥିବାର ପ୍ରଭାତ ଦେଖି ଜଳେଶ୍ୱର ପୁଲିସକୁ ଖବର ଦେବା ପରେ ପୁଲିସ ତତପରତା ଦେଖାଇଥିଲା। ତେବେ ଏହି ଗାଡିଟି ଚଢୁ ଥିବା ବ୍ୟକ୍ତି ଏହାକୁ କିଣିଛନ୍ତି ବୋଲି କହିବା ସହ ତାଙ୍କ ସୂଚନା ଆଧାରରେ ଏହି ଗାଡି ଚୋରି ର ମାଷ୍ଟର ମାଇଣ୍ଡ କୁହାଯାଉ ଥିବା ଚନ୍ଦ୍ରମୋହନକୁ ଅଟକ ରଖି ଜେରା କରିବା ପରେ ବହୁ ଚାଞ୍ଚଲ୍ୟକର ତଥ୍ୟ ତା ନିକଟରୁ ହସ୍ତଗତ ହୋଇଥିଲା।

ଚନ୍ଦ୍ରମୋହନ ଓରଫ ବାବୁ ଏକୁଟିଆ ଏହି ଗାଡି ଚୋରି କାମ ଅନାୟାସରେ କରୁଥିବା ବେଳେ ସେଗୁଡିକ ପଶ୍ମିମବଙ୍ଗରେ ମାତ୍ର ଦୁଇ ହଜାର ଟଙ୍କାରେ ବିକ୍ରି କରୁଥିଲା। ଏହି ଗାଡି ଚୋରୀ ସମୟରେ ସେ କେବଳ ଖଣ୍ଡିଏ ଲୁହାରଡ ବ୍ୟବହାର କରି ତାଲା ଭାଙ୍ଗୁ ଥିଲା। ଜଳେଶ୍ୱର ପୁଲିସ କେବଳ ଦାନ୍ତୁନ ଥାନାର ବିଭିନ୍ନ ସ୍ଥାନରେ ଚଢ଼ଉ କରି ଦୁଇ ସ୍କୁଟି ଓ ସାତଟି ବାଇକ ଉଦ୍ଧାର କରିଛି। ତେବେ ଜବତ ବାଇକ ମଧ୍ୟରୁ ପାଞ୍ଚଟିର ନମ୍ବର ପ୍ଲେଟ ଥିବା ବେଳେ ଆଉ ଚାରିଟିର ନଥିବା ଜଣା ପଡିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଉଦ୍ଧାର ବାଇକ ମଧ୍ୟରୁ ଗତ ମାସରେ ଜଳେଶ୍ୱର ସବଜର୍ଜ ବିନୋଦ ବିହାରୀ ସାହୁଙ୍କ ଚୋରୀ ବାଇକ ମଧ୍ୟ ରହିଛି।

ରୁପ୍ସା ଥାନା ଅଞ୍ଚଳରୁ ଗୋଟିଏ ଓ ବସ୍ତା ଥାନା ଅଞ୍ଚଳରୁ ଚୋରି ହୋଇଥିବା ଦୁଇଟି ଗାଡି ମଧ୍ୟ ଜବତ ହୋଇଛି। ଏହି ଖବର ପ୍ରଚାରିତ ହେବା ପରେ ଜଳେଶ୍ୱର ସମେତ ଆଖପାଖ ଅଞ୍ଚଳରୁ ଚୋରି ହୋଇଥିବା ଗାଡି ମାଲିକ ମାନେ ଥାନା ରେ ଉଦ୍ଧାର ଗାଡି ମଧ୍ୟରୁ ସେମାନଙ୍କ ଗାଡି ରହିଛି କି ନାହିଁ ସେନେଇ ଯାଞ୍ଚ କରିବା ପାଇଁ ଗହଳି ଲଗାଇଛନ୍ତି। ଚନ୍ଦ୍ରମୋହନର ଘର ମୟୂରଭଞ୍ଜ ଜିଲ୍ଲା ବଡସାହି ଥାନା କେରକ ଗାଁରେ ହୋଇଥିବା ବେଳେ ସେ ଗତ କିଛି ବର୍ଷଧରି ବାଲେଶ୍ୱରରେ ରହୁ ଥିବା ବେଳେ ଏକ ହତ୍ୟାକାଣ୍ଡ ରେ ଅଭିଯୁକ୍ତ ହୋଇ ଜେଲରେ ରହିବା ସହ ସେଠାରୁ ପୁଣି ମୁକୁଳି ବାରିପଦାର ତକତପୁର ଅଞ୍ଚଳରେ ରହି ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ଏହି ଚୋରି କାରନାମାକୁ ରୁପ ଦେଉଥିଲା।

ସହଦେବଖୁଣ୍ଟା ଥାନାରେ ଗତ ପ୍ରାୟ ଦେଡବର୍ଷ ତଳେ ମଧ୍ୟ ଗାଡି ଚୋରି ରାକେଟ ରେ ଅଭିଯୁକ୍ତ ଥିଲା ବୋଲି ଜଳେଶ୍ୱର ଆଇଆଇସି ପ୍ରଦୀପ ମାଝୀ ଓ ତଦନ୍ତକାରୀ ଅଫିସର ଏଏସଆଇ ସତ୍ୟନାରାୟଣ ବଳ ସୂଚନା ଦେଇଛନ୍ତି। ପ୍ରକାଶ ଯୋଗ୍ୟ ଯେ ଗତ ୧୩ ମାସ ମଧ୍ୟରେ କେବଳ ଜଳେଶ୍ୱର ଥାନା ଅଞ୍ଚଳ ରୁ ୧୨ ଟି ବାଇକ ଚୋରି ହୋଇଥିବା ନେଇ ଜଳେଶ୍ୱର ଥାନାରେ ଅଭିଯୋଗ ହୋଇ ଥିବା ବେଳେ ଅନେକ ଚୋରି ର ମଧ୍ୟ ଅଭିଯୋଗ ହୋଇନାହିଁ।

ସମ୍ବନ୍ଧିତ ଖବର