ଲଘୁଚାପଜନିତ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାନ୍ଥ ପଡ଼ି ୩ ମୃତ ଓ ଅନ୍ୟ ୩ ଆହତ

ବାଲେଶ୍ୱର/କେନ୍ଦ୍ରାପଡ଼ା/ପୁରୀ: ରାଜ୍ୟରେ ଲାଗି ରହିଥିବା ଲଘୁଚାପଜନିତ ବର୍ଷା କାରଣରୁ ମାଟିକାନ୍ଥ ପଡ଼ି ତିନିଟି ଜିଲ୍ଲାରେ ତିନିଜଣଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ତିନିଜଣ ଆହତ ହୋଇଛନ୍ତି।

ଗୁରୁବାର ରାତିରେ ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ଜଳେଶ୍ୱର ବ୍ଲକ୍‌ ଅଧୀନ କାଳିକା ଗ୍ରାମ ପଞ୍ଚାୟତର ଭଦୁଆ ଗ୍ରାମରେ ଗୋଟାଏ ମାଟିଘରର କାନ୍ଥ ଭାଙ୍ଗି ପଡ଼ିବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ହେଉଛନ୍ତି ରବିନାରାୟଣ ବାରିକ। ରବିନାରାୟଣ ତାଙ୍କ ପତ୍ନୀ ସୁମିତ୍ରା ଓ ଝିଅ ଶୁଭଲକ୍ଷ୍ମୀ ଗୋଟିଏ ଶେଯରେ ଶୋଇଥିବା ଘରକାନ୍ଥ ଭାଙ୍ଗି ସେମାନଙ୍କ ଉପରେ ଅଜାଡ଼ି ହୋଇପଡ଼ିଥିଲା।

Mud house wall collapses at Jaleswar

ଘଟଣାସ୍ଥଳରେ ରବିନାରାୟଣଙ୍କର ମୃତ୍ୟୁ ହୋଇଯାଇଥିଲା। ସାଂଘାତିକ ଆହତ ସୁମିତ୍ରା ଏବଂ ଶୁଭଲକ୍ଷ୍ମୀଙ୍କୁ ପଡ଼ୋଶୀମାନେ ଉଦ୍ଧାର କରି ହାତୀଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ଉଭୟ ଚିକିତ୍ସାଧୀନ ଥିଲେ ମଧ୍ୟ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି।

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍‌ ଅନ୍ତର୍ଗତ ଗଣେଶ୍ୱରପୁର ଗାଁର ନୂଆସାହିରେ ମାଟିଘରର କାନ୍ଥ ଭାଙ୍ଗି ପଡ଼ିବାରୁ ସେଥିରେ ଥିବା ୮୦ ବର୍ଷିୟ କୈଳାସ ସାମଲଙ୍କର ମୃତ୍ୟୁ ଘଟିଛି ଓ ତାଙ୍କ ପତ୍ନୀ ମାଳତୀ ସାଙ୍ଘାତିକ ଆହତ ହୋଇଛନ୍ତି।

ପୁରୀ ଜିଲ୍ଲା ଅନ୍ତର୍ଗତ କୁମ୍ଭାରପଡ଼ାରେ ଗୋଟାଏ ମାଟିଘରର କାନ୍ଥ ଭାଙ୍ଗିଯିବାରୁ ରସାନନ୍ଦ ବିଶୋଇ ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ରସାନନ୍ଦ କୁମ୍ଭକାର ନିଯୋଗର ସେକ୍ରେଟାରି ଥିଲେ।

ସମ୍ବନ୍ଧିତ ଖବର