ବାଲେଶ୍ୱର: ୧୬ ନଂ ଜାତୀୟ ରାଜପଥ ପାଲଟିଛି ମରଣାଯନ୍ତା, ଦେଢ଼ ଘଣ୍ଟାରେ ୩ଟି ଦୁର୍ଘଟଣା ନେଲା ୪ ଜୀବନ

ବାଲେଶ୍ୱର: କୋଲକାତାରୁ ଚେନ୍ନାଇକୁ ଯୋଡୁଥିବା ୧୬ ନଂ ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି। ଦେଶର ଅନ୍ୟତମ ବ୍ୟସ୍ତବହୁଳ ରାଜପଥରେ କେବଳ ବାଲେଶ୍ୱର ଜିଲ୍ଲାରେ ରବିବାର ମାତ୍ର ଦେଢ଼ ଘଣ୍ଟା ମଧ୍ୟରେ ୩ଟି ଦୁର୍ଘଟଣା ଘଟିଛି। ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ ବାଲେଶ୍ୱର ସଦର ଥାନା ଅଞ୍ଚଳରେ ୨ଟି ଦୁର୍ଘଟଣା ଘଟିଥିବା ବେଳେ ଖନ୍ତାପଡ଼ା ଥାନା ଅଞ୍ଚଳରେ ଅନ୍ୟ ଦୁର୍ଘଟଣା ଘଟିଛି ।

୨ ଚାଷୀ ଶ୍ରମିକ ମୃତ, ୩ ଆହତ

ସଦର ଥାନା ଅଞ୍ଚଳର ସାହୁପଡ଼ା ନିକଟରେ ବିଲରୁ ଘରକୁ ଫେରୁଥିବା ବେଳେ ଅପରାହ୍ନ ୨ଟା ୩୦ରେ ୫ ଜଣ ଶ୍ରମିକଙ୍କୁ ଏକ ଏକ ପିକ୍‌ଅପ୍‌(ଓଡି ୧୧ସି ୮୯୨୬) ଧକ୍କା ଦେଇଥିଲା। ଏହି ଘଟଣାରେ ଗଙ୍ଗାଧର ଦାସଙ୍କ ପୁଅ ଭାସ୍କର ଦାସ(୫୫) ଓ ପ୍ରତାପ ସିଂହଙ୍କ ସ୍ତ୍ରୀ ପାଗଲି ସିଂହ(୬୨)ଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ଦୁର୍ଘଟଣାରେ ଚନ୍ଦ୍ରକାନ୍ତ ସିଂହଙ୍କ ସ୍ତ୍ରୀ ସୁକାନ୍ତି ସିଂହ(୬୦), ସୁବନ ସିଂହଙ୍କ ସ୍ତ୍ରୀ ଗେହ୍ଲି ସିଂହ(୫୭) ଓ ରାମେଶ୍ୱର ସିଂହଙ୍କ ସ୍ତ୍ରୀ ବାସନ୍ତୀ ସିଂହ(୬୩) ଗୁରୁତର ଆହତ ହୋଇଛନ୍ତି। ଗେହ୍ଲି, ସୁକାନ୍ତୀ ଓ ବାସନ୍ତୀଙ୍କୁ ବାଲେଶ୍ୱର ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବାରିପଦା ପଟରୁ ବାଲେଶ୍ୱର ଆଡକୁ ଯାଉଥିବା ପିକ୍‌-ଅପ୍‌କୁ ଜବତ କରିଛି।

ସତସଙ୍ଗ୍‌ ସାରି ଫେରୁଥିଲେ, ଟ୍ରକ୍‌ ଧକ୍କା ଦେଲା

ଦ୍ୱିତୀୟ ଦୁର୍ଘଟଣାରେ ଖନ୍ତାପଡ଼ା ଥାନା ଅନ୍ତର୍ଗତ ଗଡ଼ିଆମାଳ ଗାଁର ଚିନ୍ତାମଣି ମଲ୍ଲିକଙ୍କ ପୁଅ ମନୋରଞ୍ଜନ ମଲ୍ଲିକ(୫୦)ଙ୍କର ମୃତ୍ୟୁ ହୋଇଛି। ଦ୍ରୁତଗାମୀ ଟ୍ରକ୍‌(ଓଆର ୦୧କ୍ୱ ୮୯୬୮) ସତ୍‌ସଙ୍ଗ୍‌ରୁ ଫେରୁଥିବା ଚିନ୍ତାମଣିକୁ ଲେମ୍ବୁନଈ ପୋଲ ନିକଟରେ ଧକ୍କା ଦେଇଛି। ଅପରାହ୍ନ ପ୍ରାୟ ୪ଟାରେ ଏହି ଦୁର୍ଘଟଣା ଘଟିଥିଲା।

ଶ୍ୱଶୁର ଘରୁ ଫେରୁଥିଲେ, ଦୁର୍ଘଟଣାର ଶିକାର ହେଲେ

ସଦର ଥାନା ଅଞ୍ଚଳର ସୁନ୍ଦର ମୋହନ ଜେନାଙ୍କ ପୁଅ କାର୍ତ୍ତିକ ଚନ୍ଦ୍ର ଜେନା(୫୯) ନିଜ ଶ୍ୱଶୁର ଘରୁ ଫେରୁଥିଲେ। ସେ ନିଜ ଘରକୁ ଯିବା ପାଇଁ ରାସ୍ତାରେ ଛିଡ଼ା ହୋଇଥିବା ବେଳେ ଟ୍ରକ୍‌(ଓଆର ୦୧ଏମ୍‌ ୨୨୩୨) ଅପରାହ୍ନ ୩ଟାରେ ଧକ୍କା ଦେଇଥିଲା। ଫଳରେ କାର୍ତ୍ତିକଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର