ବାଲେଶ୍ବର ଜିଲ୍ଲା ହସ୍ପିଟାଲରେ ଉତ୍ତେଜନା : ଅପରେସନ ପରେ ୪ ବର୍ଷର ଶିଶୁକନ୍ୟାର ମୃତ୍ୟୁ

ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ ଥାନାରେ ଏତଲା -କ୍ଷତିପୂରଣ ଦାବିରେ ମୃତଦେହକୁ ରାସ୍ତାରେ ରଖି ଆନ୍ଦୋଳନ

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ହସ୍ପିଟାଲରେ ରୋଗୀଙ୍କ ଚିକିତ୍ସାରେ ଡାକ୍ତରଙ୍କ ଅବହେଳା ଚରମ ସୀମା ଟପିଲାଣି। କିଛି ଡାକ୍ତର ମନଇଚ୍ଛା ଦାୟିତ୍ବହୀନ ଭାବେ ଚିକିତ୍ସା କରି ରୋଗୀଙ୍କ ଜୀବନ ସହ ଖେଳୁଛନ୍ତି। ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ମୃତ୍ୟୁକୁ ନେଇ ଏମିତି ଅଭିଯୋଗ ଥରେ କି ଦୁଇଥର ନୁହେଁ ବରଂ ବାରମ୍ବାର ହୋଇସାରିଲାଣି। ହେଲେ କାହା ଉପରେ କିଛି କାର୍ଯ୍ୟାନୁଷ୍ଠାନ ନାହିଁ। ଫଳରେ ଲୋକମାନେ ସରକାରୀ ହସ୍ପିଟାଲ ଉପରେ ବିଶ୍ବାସ ହରାଇବାକୁ ବସିଲେଣି। ଆଜି ସକାଳେ ତ୍ରୁଟିପୂର୍ଣ୍ଣ ଅପରେସନ୍ ଯୋଗୁଁ ଜଣେ ଶିଶୁକନ୍ୟାର ମୃତ୍ୟୁ ପରେ ବାଲେଶ୍ବର ଜିଲ୍ଲା ହସ୍ପିଟାଲ ବି‌ରୋଧରେ ଏହିପରି ସଂଗିନ ଅଭିଯୋଗ ଆଣିଛନ୍ତି ବୁଦ୍ଧିଜୀବୀ ଓ ସାଧାରଣ ଜନତା।
ଜିଲ୍ଲା ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବସ୍ତା ଥାନା ମୁକୁଳିସି ଅଞ୍ଚଳର ଶିଆଳିପଦା ଗ୍ରାମର ସୁଶାନ୍ତ ରାଉତଙ୍କ ୪ ବର୍ଷୀୟ ଝିଅ ଲକ୍ଷ୍ମୀପ୍ରିୟାଙ୍କର ଚିକିତ୍ସା ଅବହେଳାରୁ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଲକ୍ଷ୍ମୀପ୍ରିୟାର ବାମ ଆଖିପତା ଉପର କପାଳରେ ଏକ ଆବୁ ବାହାରିଥିଲା। ସପ୍ତାହେ ପୂର୍ବରୁ ତାଙ୍କୁ ଆଣି ଜିଲ୍ଲା ହସ୍ପିଟାଲର ଜଣେ ଡାକ୍ତରଙ୍କୁ ଦେଖାଇବା ପରେ ସେ ତାହା ଅପରେସନ୍‌ କରିବାକୁ କହିଥିଲେ। ‌ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଗତକାଲି ପୂର୍ବାହ୍ନରେ ସୁଶାନ୍ତ ଝିଅକୁ ଆଣି ଜିଲ୍ଲା ହସ୍ପିଟାଲର ଭର୍ତ୍ତି କରିଥିଲେ। ତା’ ପରେ ଅପରେସନ୍‌ ଥିଏଟରକୁ ନିଆଯାଇ ଦିନ ପ୍ରାୟ ୧ଟା ସମୟରେ ତାକୁ ନିଶ୍ଚେତକ ଇଞ୍ଜେକ୍‌ସନ୍ ଦେଇ ଡା. ନାରାୟଣ ଚନ୍ଦ୍ର ବେହେରା ଅପରେସନ କରିଥିଲେ। ଅପରେସନ୍‌ ପରେ ଲକ୍ଷ୍ମୀପ୍ରିୟାଙ୍କର ଆଉ ଚେତା ଆସିଲା ନାହିଁ। ସେହି ଅବସ୍ଥାରେ ତାଙ୍କୁ ସର୍ଜରି ୱାର୍ଡରେ ରଖାଗଲା। ଦୀର୍ଘସମୟ ପରେ ଚେତା ଫେରିଥିଲେ ମଧ୍ୟ ବାରମ୍ବାର ବାନ୍ତି ହୋଇଥିଲା। କ୍ରମଶଃ ସ୍ବାସ୍ଥ୍ୟାବସ୍ଥା‌ ଗୁରୁତର ହେବାରୁ ସେଠାରୁ ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଶିଶୁକନ୍ୟାଟିକୁ ଶିଶୁ ୱାର୍ଡକୁ ପଠାଯାଇଥିଲା। ଏହି ସମୟରେ ଅପରେସନ୍‌ କରିଥିବା ଡା. ବେହେରାଙ୍କୁ ଶିଶୁକନ୍ୟାଟିର ପରିବାର ଯେତେ ଖୋଜିଥିଲେ ଓ ଯାହାକୁ ପଚାରିଥିଲେ ମଧ୍ୟ ପାଇପାରି ନଥିଲେ। ଏପରିକି ବାରମ୍ବାର ତାଙ୍କୁ ଫୋନ୍‌ କରିଥିଲେ ବି ସେ ଆଦୌ ଫୋନ୍‌ ଉଠାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଏହାପରେ ଶିଶୁ ୱାର୍ଡରେ ଥିବା ବିଭାଗୀୟ ଡା. ଶିଶୁଟିର ସ୍ବାସ୍ଥ୍ୟବସ୍ଥା ପରୀକ୍ଷା କରି ତୁରନ୍ତ କଟକ ନେଇଯିବା ପାଇଁ ପରାମର୍ଶ ଦେଇଥିଲେ। ଏହାପରେ ୧୦୮ ଆମ୍ବୁଲାନ୍ସକୁ ସେମାନେ ଯେତେ ଫୋନ୍‌ କରିଥିଲେ ବି ସମାନ ଅବହେଳା ଦେଖାଯାଇଥିଲା। ସେହି ସମୟରେ ଆମ୍ବୁଲାନ୍ସ ଉପଲବ୍ଧ ନଥିବା ନେଇ ତାଙ୍କୁ ଜଣାଯିବା ପରେ ବାଧ୍ୟ ହୋଇ ଘରୋଇ ଆମ୍ବୁଲାନ୍ସ ଶିଶୁକନ୍ୟାଟିକୁ ପରିବାର ଲୋକେ କଟକ ନେଇଯାଉଥିଲେ। କିନ୍ତୁ ଯିବା ବାଟରେ ରାତି ପ୍ରାୟ ସାଢ଼େ ୩ଟା ବେଳେ ଶିଶୁକନ୍ୟାଟି ଆଖି ବୁଜି ଦେଇଥିଲା।
ଏହାପରେ ଶିଶୁକନ୍ୟାର ଶବକୁ ନେଇ ପରିବାର ଲୋକେ ଜିଲ୍ଲା ହସ୍ପିଟାଲକୁ ଫେରିଥିଲେ। ଡାକ୍ତରଙ୍କ ଚିକିତ୍ସାରେ ଅବହେଳା କାରଣରୁ ତାଙ୍କ ଝିଅର ମୃତ୍ୟୁ ଘଟିଥିବା ଅଭିଯୋଗ କରି ପାଟିତୁଣ୍ଡ କରିଥିଲେ। ଜିଲ୍ଲା ହସ୍ପିଟାଲରେ ପ୍ରକୃତରେ ଡାକ୍ତରଙ୍କ ଅବହେଳା କରାଯାଉଥିବା ଅଭିଯୋଗ କରି ମୃତକଙ୍କ ପରିବାର ସହ ହସ୍ପିଟାଲକୁ ଆସିଥିବା ବହୁ ରୋଗୀ ପରିବାର ଏକତ୍ରିତ ହୋଇ ହୋ-ହଲ୍ଲା କରିଥିଲେ। ଫଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଦାବିରେ ଉତ୍ତ୍ୟକ୍ତ ଲୋକ ହସ୍ପିଟାଲ ଫାଟକ ସମ୍ମୁଖରେ ରାସ୍ତାରେ ମୃତ ଶିଶୁକନ୍ୟାର ଶବ ରଖି ଅବରୋଧ କରିଥିଲେ। ଫଳରେ ଆମ୍ବୁଲାନ୍ସ ଓ ଯାନବାହନ ଚଳାଚଳ ପ୍ରଭାବିତ ହୋଇଥିଲା। ଖବରପା‌ଇ ବାଲେଶ୍ବର ଉପ ଜିଲ୍ଲାପାଳ ନିଲୁ ମହାପାତ୍ର, ଡିଏସ୍‌ପି ଉମେଶ ଚନ୍ଦ୍ର ପଣ୍ଡା ଓ ଟାଉନ୍‌ ଥାନା ଆଇଆଇସି ସରୋଜିନୀ ନାୟକ ଘଟଣାସ୍ଥଳରେ ପହଞ୍ଚି ସିଡିଏମ୍‌ଓ ଡା. ରଂଜନ କୁମାର ପାଢ଼ୀଙ୍କୁ ଡକାଇ ମୃତକ ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ। ଡା. ପାଢ଼ୀ ଏ ନେଇ ତଦନ୍ତ କରାଯିବା ସହ ତ୍ରୁଟି ପ୍ରମାଣିତ ହେଲେ ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି। ମୃତକଙ୍କ ପରିବାର ପକ୍ଷରୁ ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ ଏକ ଏତଲା ଦେଇଥିବା ବେଳେ ପ୍ରଶାସନ ପକ୍ଷରୁ ଜିଲ୍ଲା ରେଡ୍‌କ୍ରସ୍‌ ପାଣ୍ଠିରୁ କ୍ଷତିପୂରଣ ପ୍ରଦାନ ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା। ଏହାପରେ ଲୋକେ ଆନ୍ଦୋଳନରୁ ହଟିଥିଲେ। ଏନେଇ ଟାଉନ୍‌ ଥାନାରେ ୭୦/୧୯ରେ ମାମଲା ରୁଜୁ କରି ମୃତ ଶବକୁ ବ୍ୟବଚ୍ଛେଦ ଲାଗି ପଠାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର