୫୦ କିଲୋ ଗଂଜେଇ ସହ କାର ଜବତ

ଆଖିରେ ଧୂଳିଦେଇ ଡ୍ରାଇଭର ଖସିଗଲା

ଜଳେଶ୍ୱର : ଜଳେଶ୍ୱର ମିଲ୍‌ କଲୋନୀରୁ ପୁଲିସ ବିପୁଳ ପରିମାଣର ଗଂଜେଇ ଜବତ କରିଛି। ଏଥିସହ ଗଂଜେଇ ଚାଲାଣ ପାଇଁ ବ୍ୟବହାର ହୋଇଥିବା ଏକ କାର୍‌ ମଧ୍ୟ ଜବତ ହୋଇଛି। ଜବତ ଗଂଜେଇର ଓଜନ ୫୦.୬ କିଗ୍ରା। ଏହାର ଆନୁମାନିକ ମୂଲ୍ୟ ଅଢ଼େଇ ଲକ୍ଷ ଟଙ୍କା ହେବ। ଏହି ଗଂଜେଇ ୫୦ଟି ପ୍ୟାକେଟ୍‌ରେ ଥିଲା। ଏହି ମାମଲାରେ ପୁଲିସ କାହାକୁ ଗିରଫ କରିପାରି ନାହିଁ। ତେବେ ଚଢ଼ଉ ପୂର୍ବରୁ ସୁରାକ ପାଇ କାର୍‌ ଡ୍ରାଇଭର ଓ ତାକୁ ଏସ୍କର୍ଟ କରି ନେଉଥିବା ଅନ୍ୟମାନେ ଚମ୍ପଟ ମାରିଛନ୍ତି।

ସୂଚନା ଅନୁସାରେ ଡବ୍ଲ୍ୟୁବି-୩୦-ଜେଡ୍‌-୧୬୭୭ ନମ୍ବର ହୁଣ୍ଡାଇ କାର୍‌ଟି ରାୟଗଡ଼ାରୁ ଗଂଜେଇ ନେଇ ପଶ୍ଚିମବଙ୍ଗର ତମଲୁକ୍‌ ଅଭିମୁଖେ ଯାଉଥିଲା। ଏ ସଂପର୍କରେ ପୁଲିସ ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଆଗୁଆ ସୂଚନା ପାଇଥିଲା। ଆଜି ସକାଳେ କାର୍‌ଟି ଶେରଗଡ଼ ଟୋଲ୍‌ଗେଟ୍‌ ପାରହେବା ସୂଚନା ପାଇ ବାଲେଶ୍ୱର ସଦର ଥାନା ପୁଲିସ ଗାଡ଼ିର ପିଛା କରିଥିଲା। କାରଟି ଦ୍ରୁତଗତିରେ ଯାଉଥିବାରୁ ଖସିଯିବା ଆଶଙ୍କାରେ ସଦର ପୁଲିସ ଜଳେଶ୍ୱର ପୁଲିସକୁ ଖବର ଦେଇଥିଲା।

ଜଳେଶ୍ୱର ଥାନାଧିକାରୀ ଚନ୍ଦନ ଘଡ଼େଇଙ୍କ ନିର୍ଦେଶରେ ଏଏସ୍‌ଆଇ ସତ୍ୟନାରାୟଣ ବଳ ଓ ବିଶ୍ୱନାଥ କରଙ୍କୁ ନେଇ ଗଠିତ ପୁଲିସର ଏକ ଟିମ୍‌ ଜଳେଶ୍ୱର ସହର ମୁଖ୍ୟରାସ୍ତାରେ ଛକିଥିଲେ। ହେଲେ କାର୍‌କୁ ଏସ୍କର୍ଟ କରି ନେଉଥିବା ଗାଡ଼ିଟି ଏ ନେଇ ସୂଚନା ପାଇଯିବାରୁ ଥାନାପୂର୍ବରୁ ଡିଆଇ ଅଫିସ ସାମ୍ନା ରାସ୍ତାଦେଇ ମିଲ୍‌ କଲୋନୀରେ ପଶିଯାଇଥିଲା। ହେଲେ ଦ୍ରୁତଗତିରେ ଯାଉଥିବା କାର୍‌ଟି କଲୋନୀର ଜନୈକ ବ୍ୟକ୍ତିଙ୍କ ଭଡ଼ାଘର ନିକଟରୁ ଆଉ ଆଗକୁ ଯାଇପାରି ନଥିଲା। ସୁଯୋଗ ଉଣ୍ଡି ଡ୍ରାଇଭର କାର ଛାଡ଼ି ଦୌଡ଼ି ପଳାଇଥିଲା। କାରକୁ ପିଛା କରି ୨ଟି ବାଇକ୍‌ରେ ଯାଉଥିବା ୪ ଜଣ ଯୁବକ କାର ମଧ୍ୟରୁ ଏକ ମୋବାଇଲ୍‌, କାରର ଚାବି ତଥା ଅନ୍ୟାନ୍ୟ କାଗଜପତ୍ର ନେଇ ଖସି ପଳାଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।

ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ମାଜିଷ୍ଟ୍ରେଟ୍‌ ସହ ପୁଲିସ ଟିମ୍‌ ପହଞ୍ଚିଥିଲା। କାରକୁ ଯାଞ୍ଚ୍‌ କରିବାରେ ଡିକିରୁ ୫୦ଟି ପ୍ୟାକେଟ୍‌ ଗଂଜେଇ ପୁଲିସ ଜବତ କରିଛି। ଏସ୍‌ଡିପିଓ ରାମଚନ୍ଦ୍ର ଗୌଡୁ, ଆଇଆଇସି ଶ୍ରୀ ଘଡ଼େଇ କାରକୁ ଜବତ କରି ଥାନାକୁ ଆଣିଛନ୍ତି। କାର କାଚରେ ଏକ କାଗଜରେ ଡବ୍ଲ୍ୟୁବି ୩୦ ଟିଏସ୍‌ ୩୧୯ ନମ୍ବର ଲେଖାହୋଇଛି। ହେଲେ ଏହି ନମ୍ବର ଅସଲି କି ନକଲି, ସେନେଇ ପୁଲିସ ଯାଂଚ୍‌ କରୁଛି।

ସମ୍ବନ୍ଧିତ ଖବର