ଦିନ ଦ୍ୱିପ୍ରହରରେ ବିଚ୍‌ ରାସ୍ତାରେ ଯୁବକଙ୍କୁ ଗୁଳି ହତ୍ୟା, ବାଲେଶ୍ୱରରେ ଚାଞ୍ଚଲ୍ୟ

ବାଲେଶ୍ୱର: ଦିନ ଦ୍ୱିପ୍ରହରରେ ଜଣେ ଯୁବକଙ୍କୁ ପ୍ରଥମେ ଗୁଳି କରିବା ପରେ ଦୁର୍ବୃତ୍ତମାନେ ମାରଣାସ୍ତ୍ର ସାହାଯ୍ୟରେ ଅତି ନୃଶଂସ ଭାବରେ ହତ୍ୟା କରିଛନ୍ତି। ସଦର ଥାନା ଅନ୍ତର୍ଗତ ଲକ୍ଷ୍ମୀନାରାୟଣ ମନ୍ଦିର ନିକଟସ୍ଥ ସତ୍‌ସଙ୍ଗ ମନ୍ଦିର ସମ୍ମୁଖରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଦିନ ଦ୍ୱିପ୍ରହରରେ ଘଟିଥିବା ଏହି ଘଟଣାକୁ ନେଇ ବାଲେଶ୍ୱରରେ ଭୟାନକ ପରିସ୍ଥିତି ସୃଷ୍ଟି ହୋଇଛି। ମିଳିଥିବା ସୂଚନା ଅନୁସାରେ ଖାସୁଆ ହତ୍ୟାକାଣ୍ଡ ସହିତ ଜଡ଼ିତ ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ସୁଭାରାମପୁର ଅଞ୍ଚଳର ତନ୍ମୟ ପଣ୍ଡା ଓରଫ କୁନୁଙ୍କୁ ଦୁବୃର୍ତ୍ତମାନେ ବୁଧବାର ମରଣାନ୍ତକ ଆକ୍ରମଣ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଚିକିତ୍ସାଧୀନ ଅବସ୍ଥାରେ କୁନୁର ମୃତ୍ୟୁ ହୋଇଥିବା ଡାକ୍ତର ସ୍ପଷ୍ଟ କରିଛନ୍ତି।

ସହର ଭିତରକୁ ଏକ ବାଇକ(ଓଡି ୦୧ କେ ୫୦୭୮)ରେ ଯାଉଥିବା କୁନୁଙ୍କୁ ଦୁବୃତ୍ତମାନେ ପ୍ରଥମେ ଗୁଳି କରିଥିଲେ। ପରେ ଯୁବକ ଜଣକ ତଳେ ପଡ଼ିଯିବାରୁ ମାରଣାସ୍ତ୍ର ସାହାଯ୍ୟରେ ହାଣି ଥିଲେ। ସୂଚନା ପାଇ ଟ୍ରାଫିକ ଥାନା ଓଆଇସି ପ୍ରଶାନ୍ତ ରଣସିଂହ, ସଦର ଥାନା ଆଇଆଇସି ଦୟାନିଧି ଦାସ ଓ ସହଦେବଖୁଣ୍ଟା ଥାନା ଅଧିକାରୀ ପରେଶ କୁମାର ସାହୁ ଘଟଣାସ୍ଥଳକୁ ପହଞ୍ଚିବା ପୂର୍ବରୁ ଦୁବୃର୍ତ୍ତମାନେ ଫେରାର ହୋଇ ଯାଇଥିଲେ। ପୁଲିସର ପ୍ରାଥମିକ ତଦନ୍ତ ଅନୁସାରେ ବହୁ ଚର୍ଚ୍ଚିିତ ଖାସୁଆ ହତ୍ୟାକାଣ୍ଡରରେ ସଂପୃକ୍ତ କୁନୁଙ୍କୁ ଗୁରୁତର ଭାବରେ ୧୦୮ ଆମ୍ବୁଲାନ୍ସରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଥିଲା। ଖାସୁଆ ହତ୍ୟାକାଣ୍ଡରେ ଜେଲ ଯାଇଥିବା କୁନୁ କିଛି ମାସ ତଳେ ଜେଲରୁ ବାହାରିଥିଲା। କୁନୁ ହେଉଛି କୁଖ୍ୟାତ ଅପରାଧୀ ପାପା ପଣ୍ଡାର ଭାଇ ବୋଲି ପୁଲିସ କହିଛି।

ଜଣେ ପ୍ରତକ୍ଷଦର୍ଶୀ କହିବା ଅନୁସାରେ ଯୁବକ ଜଣକ ଯେତେବେଳେ ବାଇକରେ ଯାଉଥିଲେ ପଛ ପଟରୁ କିଛି ଲୋକ ଆସି ପ୍ରଥମେ ଗୁଳି କରିଥିଲେ। ଯୁବକ ଜଣକ ବାଇକରୁ ତଳେ ପଡ଼ିଯିବାରୁ ମାରଣାସ୍ତ୍ରରେ ହାଣିଥିଲେ।

ସୂଚନାଯୋଗ୍ୟ, ବାଲେଶ୍ୱରରେ ଅପରାଧିମାନେ ପୁଲିସକୁ ଚକମା ଦେଖାଇ ଦିନ ଦ୍ୱିପ୍ରହରରେ ଅପରାଧ ଘଟାଉଛନ୍ତି। ପୁଲିସର ଦୁର୍ବଳତାର ସୁଯୋଗ ନେଇ ଅପରାଧୀମାନେ ନିଜର କାୟା ବିସ୍ତାର କରୁଛନ୍ତି। ନିକଟରେ କୁକୁଡ଼ା ଲଢ଼େଇରୁ ଫେରୁଥିବା ଜଣେ ଯୁବକଙ୍କୁ ମଧ୍ୟ ଲକ୍ଷ୍ମୀନାରାୟଣ ମନ୍ଦିର ନିକଟରେ ଗୁଳି କରାଯାଇଥିଲା। ସେହି ଘଟଣାର ଅପରାଧୀମାନଙ୍କୁ ପୁଲିସ ଏଯାବତ୍‌ ଧରିପାରି ନାହିଁ। ପୁଲିସର ବିଫଳତାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ଦେଖାଯାଇଛି।

ସମ୍ବନ୍ଧିତ ଖବର