ବିପୁଳ ଟଙ୍କା ସହ ଧରା ପଡ଼ିବା ପରେ ଭିଜିଲାନ୍ସ ତନାଘନା

ଜେଲ ଗ‌ଲେ କୋଟିପତି ଥାନାଧିକାରୀ

ବାରିପଦା ବାସଭବନ, ଭଣ୍ଡାରିପୋଖରୀ କ୍ବାର୍ଟର୍ସ‌ରେ ଚଢ଼ଉ
ସ୍ଥାବର ଅସ୍ଥାବର ସମ୍ପତ୍ତିର ମୂଲ୍ୟ କୋଟିଏ ୧୩ ଲକ୍ଷ ଟଙ୍କା
ବାଲେଶ୍ବର/ଭଣ୍ଡାରିପୋଖରୀ/ବାଙ୍ଗିରିପୋଷି/କଳାବାଡ଼ିଆ: ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଧିକାରୀ ଅମିତ କୁମାର ବିଶ୍ୱାଳ ମଙ୍ଗଳବାର ଶେରଗଡ଼ ଟୋଲଗେଟ୍‌ ନିକଟରୁ ବିପୁଳ ଟଙ୍କା ସହ ଭିଜିଲାନ୍ସ ହାତରେ ଧରା ପଡ଼ିବା ପରେ ଆଜି ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। କୋର୍ଟରେ ଜାମିନ ନ ମିଳିବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଏହାପରେ ଶ୍ରୀ ବିଶ୍ବାଳଙ୍କ ଘର, କାର୍ଯ୍ୟା‌ଳୟ, ସରକାରୀ ବାସଭବନ ଓ ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ଛାନ୍‌ଭିନ୍‌ ଆରମ୍ଭ କରିଥିବା ଜଣାପଡ଼ିଛି।
ଗତକାଲି ରାତିରେ ଶ୍ରୀ ବିଶ୍ବାଳଙ୍କ ବାରିପଦା ଭଂଜପୁର ସ୍ଥିତ ବାସଭବନରେ ଚଢ଼ଉ କରି ଶ୍ରୀ ବିଶ୍ବାଳଙ୍କ ନାଁରେ ଥିବା ବିଭିନ୍ନ କାଗଜପତ୍ର ଓ ଆକାଉଣ୍ଟ ଯାଞ୍ଚ୍‌ କରି କୋଟିଏରୁ ଉର୍ଧ୍ବ ଟଙ୍କାର ସମ୍ପତ୍ତି ଠାବ କରିଥିଲେ। ତେବେ ଅାଜି ସନ୍ଧ୍ୟା ୫ଟା ବେଳେ ପୁଣି ଭିଜିଲାନ୍ସର ଏକ ଟିମ୍‌ ଡିଏସ୍‌ପି ସନ୍ତୋଷ ସାମନ୍ତରାୟଙ୍କ ତତ୍ତ୍ବାବଧାନରେ ବାରିପଦା ଭିଜିଲାନ୍ସ ଇନ୍ସପେକ୍ଟର ପ୍ରଦୀପ କୁମାର ସାମଲଙ୍କ ସମେତ ୭ ଜଣିଅା ଟିମ୍‌ ବାଙ୍ଗିରିପୋଷି ସ୍ଥିତ ଶ୍ରୀ ବିଶ୍ବାଳଙ୍କ ଶ୍ବଶୁର ଘରକୁ ଯାଇଥିଲେ। ହେଲେ ସେଠାରେ ତାଲା ପଡ଼ିଥିବା ସହ କେହି ନଥିବାରୁ ଟିମ୍‌ ଦୀର୍ଘ ସମୟ ପର୍ଯ୍ୟନ୍ତ ଅପେକ୍ଷା କରି ଫେରିଥିବା ଜଣାପଡ଼ିଛି। ସେହିପରି ଅପରାହ୍ନରେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ପରିସରରେ ଥିବା ଶ୍ରୀ ବିଶ୍ବାଳଙ୍କ ସରକାରୀ କ୍ବାର୍ଟର୍ସରେ ମଧ୍ୟ ଚଢ଼ଉ କରାଯାଇଥିବା ବାଲେଶ୍ବର ଭିଜିଲାନ୍ସ ଏସ୍‌ପି ସୁନୀଲ କୁମାର ସେନାପତି କହିଛନ୍ତି। ଥାନାଧିକାରୀ ଗିରଫ ହୋଇ ଜେଲ୍‌ ଯିବା ଖବର ପ୍ରଚାର ହେବା ପରେ ସମଗ୍ର ଅଞ୍ଚଳରେ ଏହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଅନ୍ୟପକ୍ଷରେ ଏହାର ପୂର୍ବବର୍ତ୍ତୀ ଓ ପରବର୍ତ୍ତି ଘଟଣାକ୍ରମ ଉପରେ ଅାଲୋଚନା ଜାରି ରହିଥିବା ବେଳେ ଏପର୍ଯ୍ୟନ୍ତ ଏକ କୋଟି ୧୩ ଲକ୍ଷ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରାଯାଇଥିବା ଜଣାଯାଇଛି।
ଉଲ୍ଲେଖଯୋଗ୍ୟ, ଗତକାଲି ସଂଧ୍ୟାରେ ଆଇଆଇସି ଶ୍ରୀ ବିଶ୍ବାଳ ଏକ ନୀଳରଂଗର ହୁଣ୍ଡାଇ ଆଇ-୨୦(ଓଡି-୦୨ଏୟୁ-୦୧୮୧) ଗାଡ଼ିରେ ଭଣ୍ଡାରିପୋଖରୀ ଥାନାରୁ ବାରିପଦାକୁ ଯାଉଥିଲେ। ତେବେ ସେ ସାଙ୍ଗରେ ବିପୁଳ ପରିମାଣର ଟଙ୍କା ଥିବା ଭଦ୍ରକ ଭିଜିଲାନ୍ସ କାର୍ଯ୍ୟାଳୟକୁ ଏକ ବିଶ୍ବସ୍ତ ସୂତ୍ରରୁ ସୂଚନା ଦିଆ ଯାଇଥିଲା। ଏହାପରେ ବାଲେଶ୍ବର ଭିଜିଲାନ୍ସ ଟିମ୍‌ ଇନ୍ସପେକ୍ଟର ଶ୍ରୀ ବିଶ୍ବାଳଙ୍କୁ ଶେରଗଡ଼ ଟୋଲଗେଟ୍‌ ନିକଟରେ ଅଟକାଇ ଯାଞ୍ଚ୍‌ କରିବା ପରେ ତାଙ୍କଠାରୁ ୭୩ ହଜାର ୫୦୦ ଟଙ୍କା ବାହାରିଥିଲା। ମାତ୍ର ଏତେ ଟଙ୍କା ସେ କେଉଁଠୁ ଆଣିଲେ ସେ ସମ୍ପର୍କରେ ଟିମ୍‌ ପଚାରିବାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନପାରିବାରୁ ଗିରଫ କରାଯାଇଥିଲା।

ସମ୍ବନ୍ଧିତ ଖବର