ବାଲେଶ୍ୱର: ମାଲଗାଡ଼ି ଟ୍ୟାଙ୍କର୍‌ରୁ ପେଟ୍ରୋଲ ଚୋରି

ସୋର: ଇଞ୍ଜିନ୍‌ରେ ତ୍ରୁଟି ଦେଖା ଦେବାରୁ ବାହାନଗା ଷ୍ଟେସନ୍‌ ଠାରେ ପେଟ୍ରୋଲ୍‌ ନେଇ ଯାଉଥିବା ଏକ ମାଲ୍‌ ଗାଡ଼ି ତା’ର ଟାଙ୍କିଗୁଡ଼ିକ ଛାଡ଼ି ଚାଲିଯିବାରୁ ସ୍ଥାନୀୟ ଲୋକେ ସେଥିରୁ ତେଲ ଚୋରି କରି ନେଇଛନ୍ତି।

ପାରାଦ୍ୱୀପରୁ ପେଟ୍ରୋଲ୍‌ ବୋଝେଇ କରି ୫୨ଟି ଟ୍ୟାଙ୍କରବିଶିଷ୍ଟ ଏକ ମାଲଗାଡ଼ି ବାଲେଶ୍ୱର ଜିଲ୍ଲାର ସୁବାରାମପୁର ଡିପୋକୁ ଯାଉଥିଲା। କୌଣସି କାରଣରୁ ଇଞ୍ଜିନ୍‌ରେ ବିଭ୍ରାଟ ଦେଖା ଦେବାରୁ ଗତ ସନ୍ଧ୍ୟାରେ ମାଲ୍‌ଗାଡ଼ିଟି ବାହାନଗା ବଜାରସ୍ଥିତ ଷ୍ଟେସନ୍‌ ଠାରେ ଅଟକିବା ପରେ ଜଣାପଡ଼ିଲା ଯେ ତାହାର ଶେଷ ଦୁଇଟି ଟ୍ୟାଙ୍କର୍‌ରୁ ପେଟ୍ରୋଲ୍‌ ଲିକ୍‌ କରୁଛି।

ଏ ସଂକ୍ରାନ୍ତରେ ଉପରିସ୍ଥ ଅଧିକାରୀଙ୍କୁ ଖବର ଦେବାକୁ ୫୨ଟିଯାକ ଟ୍ୟାଙ୍କର୍‌କୁ ଛାଡ଼ି କେବଳ ଇଞ୍ଜିନ୍‌ ନେଇ ବାଲେଶ୍ୱର ଅଭିମୁଖେ ଚାଲି ଯାଇଥିଲା।

ସ୍ଥାନୀୟ ଗ୍ରାମର ଲୋକେ ଏହାର ସୁରାକ ପାଇବା ପରେ ଲିକ୍‌ ହେଉଥିବା ଟ୍ୟାଙ୍କର୍‌ର ନଟ୍‌ବୋଲ୍‌ଟ୍‌ ଖୋଲି ସିଲ୍‌ କାଟି ଶେଷ ତିନୋଟି ଟ୍ୟାଙ୍କର୍‌ରୁ ସବୁ ପେଟ୍ରୋଲ୍‌ ଚୋରାଇ ନେଇଥିଲେ।

ରବିବାର ପ୍ରତ୍ୟୁଷରେ ଚାଳକ ଆଉ ଦୁଇଟି ଇଞ୍ଜିନ୍‌ ଆଣିବା ପରେ ବାହାନଗା ଠାରେ ରଖାଯାଇଥିବା ୫୨ଟିଯାକ ଟ୍ୟାଙ୍କର୍‌କୁ ତା’ର ଗନ୍ତବ୍ୟସ୍ଥଳକୁ ନିଆଯାଇଛି।

ପେଟ୍ରୋଲ୍‌ ଚୋରି ସଂକ୍ରାନ୍ତରେ ସମ୍ପୃକ୍ତ ଅଧିକାରୀ ଜାଣିବା ପରେ, ତଦନ୍ତ କରିବାକୁ ସିବିଆଇକୁ ଖବର ଦେବା ପରେ ସେମାନଙ୍କର ଏକ ଟିମ୍‌ ଧଉଳି ଏକ୍ସ୍‌ପ୍ରେସ୍‌ରେ ଆସି ପହଞ୍ଚୁଛନ୍ତି।

ସମ୍ବନ୍ଧିତ ଖବର