ଟ୍ରକ୍‌ ମାଲିକଙ୍କୁ ଗୁଳି କରି ହତ୍ୟା : ହତ୍ୟାକାରୀକୁ ଖୋଜୁଛି ପୁଲିସ

ବାଲେଶ୍ୱର : ଶନିବାର ରାତିରେ ବାଲେଶ୍ୱର ସହରର ଫିରିଙ୍ଗିପାଟଣା ଅଞ୍ଚଳର ଜଣେ ଟ୍ରକ୍‌ ମାଲିକ ମାନସ ଦାସ ଫତେସିଂଙ୍କୁ କେହି ଦୁର୍ବୃତ୍ତ ଗୁଳି କରି ହତ୍ୟା କରିବା ଘଟଣା ଆଜି ସହରରେ ଆଲୋଡ଼ନ ସୃଷ୍ଟି କରିଛି। ଗତକାଲି ମଧ୍ୟରାତ୍ରିରୁ ସହଦେବଖୁଣ୍ଟା ପୁଲିସ ଏହି ଘଟଣାର ତଦନ୍ତ କରୁଥିଲେ ହେଁ ଏ ଯାଏ ହତ୍ୟାକାରୀର ସନ୍ଧାନ ପାଇ ପାରିନାହିଁ କି ହତ୍ୟାର କାରଣ ମଧ୍ୟ ସ୍ପଷ୍ଟ ହୋଇନାହିଁ। ଅନ୍ୟପକ୍ଷରେ ଆଜି ଅପରାହ୍ଣରେ ମୃତ ମାନସଙ୍କ ପତ୍ନୀ ଏଲୋରା ଭୁବନେଶ୍ୱରରୁ ଆସି ପହଞ୍ଚିବା ପରେ ମାନସଙ୍କର ଜଣେ ବନ୍ଧୁ ଦୁଇଦିନ ତଳେ ବାଲେଶ୍ୱର ଟ୍ରକ୍‌ ସମନ୍ଵୟ ସମିତି (ବିଟିସିସି)ନିର୍ବାଚନକୁ କେନ୍ଦ୍ର କରି ମାନସଙ୍କୁ ହତ୍ୟା ଧମକ ଦେଇଥିବାରୁ ସେ ହିଁ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଥାଇ ପାରନ୍ତି ବୋଲି ଗଣମାଧ୍ୟମ ଆଗରେ ସିଧାସଳଖ ଅଭିଯୋଗ କରିଛନ୍ତି। ତେବେ ପୁଲିସ ଏଯାଏ କାହାକୁ ଗିରଫ କରି ନ ଥିବାବେଳେ ସନ୍ଦେହରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏଲୋରାଙ୍କ ଅଭିଯୋଗ ଭିତ୍ତିରେ ସହଦେବଖୁଣ୍ଟା ଥାନାରେ ୨୫୭/୧୮ ନମ୍ବରରେ ମାମଲା ରୁଜୁ ହୋଇଛି। ହତ୍ୟାକାରୀକୁ ଧରିବା ପାଇଁ ଏକ ତଦନ୍ତକାରୀ ଟିମ୍‌ ଗଠିତ ହୋଇଥିବାବେଳେ ଜଣେ ସନ୍ଦିଗ୍ଧଙ୍କ ଉପରେ ପୁଲିସ ତୀକ୍ଷ୍‌ଣ ନଜର ରଖିଛି ବୋଲି ଡିଏସ୍‌ପି(କ୍ରାଇମ୍‌) ସୁଦର୍ଶନ ଦାସ ‘ସମ୍ବାଦ’କୁ କହିଛନ୍ତି।

ସମ୍ବନ୍ଧିତ ଖବର