ବାଲେଶ୍ୱର: ମଧ୍ୟାହ୍ନ ଭୋଜନ ଖାଇ ୨୨ ପିଲା ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଜଳେଶ୍ୱର: ବାଲେଶ୍ୱର ଜିଲ୍ଲାର ଭୋଗରାଇ ବ୍ଲକରେ ବୁଧବାର ମଧ୍ୟାହ୍ନ ଭୋଜନ ଖାଇ ୨୨ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି। ସୂଚନା ଅନୁସାରେ କମର୍ଦ୍ଦା ୟୁପି ସ୍କୁଲର ପିଲାମାନେ ଅସୁସ୍ଥ ହେବା ପରେ, ସେମାନଙ୍କୁ ଜଳେଶ୍ୱର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଆଜି ଅପରାହ୍ନରେ ମଧ୍ୟାହ୍ନ ଭୋଜନ ଖାଇବା ପରେ ପ୍ରାୟ ୨ଟା ୩୦ ବେଳକୁ ପିଲାମାନଙ୍କର ମୁଣ୍ଡ ବୁଲାଇବା ଏବଂ ବାନ୍ତି କରିବା ଆରମ୍ଭ ହୋଇ ଯାଇଥିଲା। ପିଲାମାନେ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହେବା ପରେ ଗାଁରେ ଅଭିଭାବକଙ୍କ ମହଲରେ ଉତ୍ତେଜନା ପ୍ରକାଶ ପାଇଥିଲା। ସେମାନେ ବିଦ୍ୟାଳୟରେ ପହଞ୍ଚି ପାଟିତୁଣ୍ଡ କରିଥିଲେ। ରିପୋର୍ଟ ଲେଖାଯିବା ବେଳକୁ ହସ୍ପିଟାଲର ଡାକ୍ତର ଗଣେଶ ଚନ୍ଦ୍ର ପାଲ କହିଛନ୍ତି, ଚିକିତ୍ସାଧୀନ ସମସ୍ତ ପିଲାଙ୍କ ସ୍ୱାସ୍ଥ୍ୟ ସ୍ଥିର ଅଛି।

ସୂଚନାଯୋଗ୍ୟ କମର୍ଦ୍ଦା ୟୁପି ସ୍କୁଲରେ ପ୍ରଥମରୁ ୮ମ ଯାଏଁ ୧୯୩ ଜଣ ପିଲା ପଢ଼ନ୍ତି। ଏଥିରୁ ଆଜି ୨୪ ଜଣ ପିଲା ମଧ୍ୟାହ୍ନ ଭୋଜନ କରିଥିଲେ। ପିଲାମାନେ ଅସୁସ୍ଥ ହେବା ପରେ ବଳି ପଡ଼ିଥିବା ମଧ୍ୟାହ୍ନ ଭୋଜନ ଯାଞ୍ଚ ବେଳେ ଅଣ୍ଡା ତରକାରୀରେ ଏକ ଝିଟିପିଟି ପଡ଼ିଥିବାର ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର