ନୀଳଗିରିରେ ଭାଲୁ ମଡ଼କ , ମାସକରେ ୪ ମୃତ ଘାଗରାନାଳ ନିକଟରୁ ୨ ଭାଲୁଙ୍କ ମୃତଦେହ ଉଦ୍ଧାର କାରଣ ଖୋଜୁଛି ବନବିଭାଗ, ଚିନ୍ତାରେ ପରିବେଶବିତ୍

ନୀଳଗିରି: ନୀଳଗିରିରେ ଆଜି ପୁଣି ୨ଟି ଭାଲୁଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହାକୁ ମିଶାଇ ଗତ ଏକମାସ ମଧ୍ୟରେ ୪ଟି ଭାଲୁଙ୍କ ମୃତଦେହ ଉଦ୍ଧାର କରାଗଲାଣି। ଏ ନେଇ ପରିବେଶବିତ୍‌ମାନେ ଉଦ୍‌ବେଗ ପ୍ରକାଶ କରିଥିବା ବେଳେ ବନବିଭାଗ ଭାଲୁ ମୃତ୍ୟୁର କାରଣ ଖୋଜୁଛି। ଏହି ଧାରା ଅବ୍ୟାହତ ରହିଲେ ୬ ମାସ ମଧ୍ୟରେ ନୀଳଗିରି ବନାଞ୍ଚଳରୁ ଭାଲୁ ବଂଶ ଲୋପ ପାଇଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି।
ସୂଚନା ଅନୁସାରେ, ନୀଳଗିରି ରେଞ୍ଜ ଅଧୀନସ୍ଥ ସଂରକ୍ଷିତ ସ୍ବର୍ଣ୍ଣଚୂଡ଼ ପାହାଡ଼ର ପାଦଦେଶରେ ଥିବା ଜାମୁଡିହା ପଞ୍ଚାୟତର ଘାଗରାନାଳ ନିକଟରେ ଆଜି ୨ଟି ଭାଲୁ ମୃତ ଅବସ୍ଥାରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ବନବିଭାଗକୁ ଖବର ଦେଇଥିଲେ। ଖବର ପାଇ ନୀଳଗିରି ରେଂଜର କବି ସୁକୁମାର ଦାସ, ସଜନାଗଡ଼ ଫରେଷ୍ଟର ସରୋଜ ପ୍ରଧାନ, ନୀଳଗିରି ଫରେଷ୍ଟର ଦେବରାଜ ରାଉତ, ଫରେଷ୍ଟଗାର୍ଡ ହିମାଂଶୁ ପାଢ଼ୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ମୃତ ଭାଲୁ ଦୁଇଟିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ବ୍ୟବଚ୍ଛେଦ ପରେ ଭାଲୁ ୨ଟିକୁ ପୋତି ଦିଆଯାଇଥିଲା।
ଭାଲୁ ମୃତ୍ୟୁର କାରଣ ବାବଦରେ ରେଂଜର ଶ୍ରୀ ଦାସଙ୍କୁ ପଚାରିବାରୁ ଭାଲୁ ୨ଟି ଦେହରେ ଘା’ ହୋଇଥଲା ବୋଲି କହିବା ସହ ବ୍ୟବଚ୍ଛେଦ ରିପୋର୍ଟ ମିଳିଲେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କହିଛନ୍ତି। ଅନ୍ୟପକ୍ଷରେ ଶ୍ରୀ ଦାସ କହିଥିଲେ ଯେ, ନୀଳଗିରି ଅଞ୍ଚଳରେ ଛେଳି, ଗୋରୁ, କୁକୁର ଆଦି ମରୁଛନ୍ତି। ଭାଲୁ ବି ମରୁଛନ୍ତି। ତାଙ୍କ ଦେହରେ ଘା’ ଥିବା ଦେଖିବାକୁ ମିଳିଛି। ମୃତ୍ୟୁର କାରଣ ସଠିକ୍ ଜଣା ପଡ଼ୁ ନ ଥିବାରୁ ଘଟଣା ସଂପର୍କରେ ଡିଏଫ୍‌ଓଙ୍କୁ ଅବଗତ କରାଯାଇଥିଲା। ଡିଏଫ୍‌ଓ ବିଶ୍ବରାଜ ପଣ୍ତା ପଶୁପକ୍ଷୀଙ୍କ ମୃତ୍ୟୁକୁ ରୋକିବା ପାଇଁ ବାଲେଶ୍ବର ସିଡିଭିଓଙ୍କୁ ଅବଗତ କରାଇ ଏକ ବିଶେଷଜ୍ଞ ଦଳ ଏହାର ତଦନ୍ତ କରିବାକୁ ଅନୁରୋଧ କରିଥିଲେ। ତେଣୁ ଅନୁଧ୍ୟାନ ହେଲେ ଏହାର କାରଣ ଜଣାପଡ଼ିବ ବୋଲି ସେ କହିଛନ୍ତି। ଘଟଣା ବାବଦରେ ବାଲେଶ୍ବର ଡିଏଫ୍ଓ ବିଶ୍ବରାଜ ପଣ୍ତାଙ୍କୁ ପଚାରିବାରୁ ଭାଲୁ ମୃତ୍ୟୁ ପାଇଁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ଖୁବ୍ ଶୀଘ୍ର ତଦନ୍ତ କରାଯିବ ତଥା ଶିମିଳିପାଳରୁ ତଦନ୍ତ ପାଇଁ ଏକ ଟିମ୍ ଆସୁଥିବା ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ଏପରି ଭାଲୁ ମୃତ୍ୟୁକୁ ନେଇ ପରିବେଶବିତ୍‌ ଓ ସ୍ଥାନୀୟ ଜନସାଧାରଣ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଗତ ଜାନୁଆରି ପ୍ରଥମ ସପ୍ତାହରେ କାଠଗୋଛି ଅଞ୍ଚଳରେ ଏକ ଭାଲୁର ମୃତ୍ୟୁ ହୋଇଥିଲା। ପୁଣି ଚଳିତ ମାସ ୧୭ ତାରିଖରେ ଧୋବଶିଳା ପଞ୍ଚାୟତର ଚଲଣାପାଳ ଅଞ୍ଚଳରୁ ଏକ ଭାଲୁର ମୃତଦେହ ଉଦ୍ଧାର କରାଯାଇଥିଲା। ଆଜି ପୁଣି ଜାମୁଡ଼ିହାର ଘାଗରାନାଳଠାରେ ୨ଟି ଭାଲୁ ମରିଥିବା ଦେଖାଯାଇଛି। ଏଭଳି କ୍ରମାଗତ ଭାବେ ଭାଲୁ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପାହାଡ଼ ପାଦଦେଶରେ କାଉ, ଛେଳି, ଗୋରୁ ମୃତ୍ୟୁକୁ ନେଇ ବନବିଭାଗ ଚିନ୍ତାରେ ରହିଛି। ନୀଳଗିରିରେ ପଶୁପକ୍ଷୀ ମଡ଼କ ପ୍ରତି ଧ୍ୟାନ ଦିଆନଗଲେ ଆଗାମୀ କିଛି ମାସ ମଧ୍ୟରେ ସଂରକ୍ଷିତ ସ୍ବର୍ଣ୍ଣଚୂଡ଼ ପାହାଡ଼ରୁ ପଶୁପକ୍ଷୀଙ୍କ ବଂଶ ଲୋପ ପାଇଯିବ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି।

ସମ୍ବନ୍ଧିତ ଖବର