ଜମାକାରୀଙ୍କ ୧୫ କୋଟି ନେଇ ଚିଟ୍‌ଫଣ୍ଡ କଂପାନି ଚମ୍ପଟ!

ବାଲେଶ୍ୱର : ଏବେ ବି ବାଲେଶ୍ୱର ସକ୍ରିୟ ଅଛି ଏକାଧିକ ଚିଟଫଣ୍ଡ ସଂସ୍ଥା। ଏମିତି ଏକ ଚିଟ୍‌ଫଣ୍ଡ କମ୍ପାନିର କାରନାମା ଆଜି ପଦାକୁ ଆସିଥିବାବେଳେ ଏହା ବିରୋଧରେ ଥାନାରେ ଦ୍ୱାରସ୍ଥ ହୋଇଛନ୍ତି ଜମାକାରୀ। ଅଧିକ ଅର୍ଥ ପାଇବାର ଲୋଭ ଦେଖାଇ ସଂପୃକ୍ତ ଠକ ସଂସ୍ଥା ବାଲେଶ୍ୱର ଓ ଭଦ୍ରକ ଦୁଇଟି ଜିଲ୍ଲାର ଜମାକାରୀଙ୍କ ନିକଟରୁ ପ୍ରାୟ ୧୫ କୋଟିରୁ ଅଧିକ ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଛି। ଏ ନେଇ ସେମାନେ ସହଦେବଖୁଣ୍ଟା ଥାନାରେ ଲିଖିତ ଏତଲା ଦେଇଛନ୍ତି।

ସୂଚନା ଅନୁସାରେ; ହାଇଟେକ୍‌ ରିଜିଓନାଲ୍‌ କୋଅପରେଟିଭ୍‌ ଲିମିଟେଡ୍‌ ସଂସ୍ଥା ନାମକ ଏକ ଚିଟଫଣ୍ଡ କଂପାନି ଖୋଲି ଅର୍ଜୁନ ଦାସ ଓ ତାଙ୍କ ଭଣଜା ବିଜୟ କେତନ ଦାସ ଲୋକଙ୍କଠାରୁ ଟଙ୍କା ଆଦାୟ କରୁଥିଲେ। ବାଲେଶ୍ୱର, ଭଦ୍ରକ, ସୋର, ଔପଦା, ହଳଦୀପଦା, ବାହାନଗା ପ୍ରଭୃତି ଅଞ୍ଚଳରେ ଅଫିସ ଖୋଲି ସଂସ୍ଥା ହଜାରେରୁ ଅଧିକ ଏଜେଣ୍ଟଙ୍କୁ ନିୟୋଜିତ କରିଥିଲା। ୨୦୧୧ରୁ ଆରମ୍ଭ ହୋଇଥିବା ଏ ସଂସ୍ଥା ୨୦୧୬ ପର୍ଯ୍ୟନ୍ତ ଲୋକଙ୍କଠାରୁ ପ୍ରାୟ ୧୫କୋଟି ଟଙ୍କା ସଂଗ୍ରହ କରିଛି। କଂପାନି ପକ୍ଷରୁ ପ୍ରତିଶ୍ରୁତି ମୁତାବକ କିଛି ଜମାକାରୀଙ୍କୁ ନିୟମିତ ଭାବରେ ଏ ଟଙ୍କା ମଧ୍ୟ ମିଳୁଥିଲା। ମାତ୍ର ଧୀରେ ଧୀରେ ଟଙ୍କା ବନ୍ଦ ହେବା ସହ ମୂଳ ଜମା ଟଙ୍କା ମଧ୍ୟ ଗ୍ରାହକଙ୍କୁ ଫେରାଗଲା ନାହିଁ। ଏହାପରେ ସେମାନେ କଂପାନି ମାଲିକଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସମସ୍ତେ ଆଡେଇ ଯାଇଥିଲେ। ପରେ ସଂସ୍ଥାଦ୍ୱାରା ପରିଚାଳିତ ରାଣୀତାଲର ଏକ କଲେଜକୁ ଯାଇଥିଲେ ଜମାକାରୀ। ସେଠାରେ କଲେଜ ଅଧ୍ୟକ୍ଷଙ୍କୁ ସାକ୍ଷାତ କରିବା ପରେ ମାଲିକଙ୍କ ରେମୁଣା ଘରକୁ ଯାଇ ଟଙ୍କା ନେବାକୁ ସେମାନେ ଗ୍ରାହକଙ୍କୁ ସୂଚନା ଦେଇଥିଲେ। ତେବେ ରେମୁଣାର ସାହାବାଜିପାଟଣାରେ ଥିବା ଅର୍ଜୁନ ଦାସଙ୍କ ଘରକୁ ଜମାକାରୀ ଆସିବା ବେଳକୁ ତାଙ୍କର ଆଉ ଦେଖାଦର୍ଶନ ମିଳିନଥିଲା। ଏହାପରେ ଗତ ସପ୍ତାହରେ ତାଙ୍କ ଘର ଆଗରେ ଜମାକାରୀ ବିକ୍ଷୋଭ କରିଥିଲୋ ସଂସ୍ଥାଦ୍ୱାରା ପରିଚାଳିତ ସେରଗଡ଼ର ଏକ ରାଇସ୍‌ ମିଲ ଓ ରେମୁଣା ବଜାରରେ ଥିବା ତେଲ ମିଲ୍‌ ମଧ୍ୟ ବନ୍ଦ ହୋଇଯାଇଛି। ସବୁ ଆଡ଼ୁ ନିରାଶ ହୋଇ ଜମାକାରୀ ତାଙ୍କ ଟଙ୍କା ଫେରିବା ପାଇଁ ଶେଷରେ ପୁଲିସର ଦ୍ୱାରସ୍ଥ ହୋଇଛନ୍ତି। ତେବେ ସେମାନେ ସବୁକିଛି ଲିଖିତ ଆକାରରେ ସହଦେବଖୁଣ୍ଟା ଥାନାରେ ଦେଇଥିବା ବେଳେ ଆଉ କିଛି ତଥ୍ୟ ଆବଶ୍ୟକ କରୁଛି ପୁଲିସ। ଏ ସବୁ ମିଳିବା ପରେ ମାମଲା ପଞ୍ଜୀକୃତ ହେବ ବୋଲି ଥାନା ଅଧିକାରୀ ଜୟନ୍ତ କୁମାର ବେହେରା କହିଛନ୍ତି।

ସମ୍ବନ୍ଧିତ ଖବର