୧୩ରେ ବାଲେଶ୍ବର ଆସୁଛନ୍ତି ମୁଖ୍ୟମନ୍ତ୍ରୀ: ବହୁ ପ୍ରତୀକ୍ଷିତ ସୁବର୍ଣ୍ଣରେଖା ବନ୍ଦରର ଶୁଭଦେବେ

ଲୋକଙ୍କ ପାଇଁ ଖୋଲିବ ତାମୁଳିଆ ରେଳ ଓଭରବ୍ରିଜ୍‌ : ଆରମ୍ଭ ହେବ ରିଂ ରୋଡ଼ର ପ୍ରଥମ ପର୍ଯ୍ୟାୟ କାମ

ସୁବର୍ଣ୍ଣରେଖା ପନ୍ତେଇ ଘାଟରେ ନିର୍ମାଣ ହେବ ପୋଲ
୪ଟି ପ୍ରକଳ୍ପରେ ବିନିଯୋଗ ହେବ ୪୭୯୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା: ସାଂସଦ

ବାଲେଶ୍ବର,: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୩ ତାରିଖରେ ବାଲେଶ୍ୱର ଗସ୍ତରେ ଆସୁଛନ୍ତି। ସେଦିନ ଅପରାହ୍ଣରେ ସେ ଏଠାରେ ହେବାକୁ ଥିବା ୪ଟି ଜିଲ୍ଲାର ବିଜୁ ଯୁବ ବାହିନୀର ଏକ ବିଶାଳ ସମାବେଶରେ ଯୋଗ ଦେବା ସହ ବାଲେଶ୍ବର ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ବିକାଶ ଓ ପ୍ରଗତି ଲାଗି ସୁବର୍ଣ୍ଣ‌େରଖା ବନ୍ଦରର ଶିଳାନ୍ୟାସ ସମେତ ୩ଟି ମହତ୍ତ୍ବାକାଂକ୍ଷୀ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହା ବ୍ୟତୀତ ବହୁ ପ୍ରତୀକ୍ଷିତ ତାମୁଳିଆ ଓଭରବ୍ରିଜ୍‌କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିବେ ବୋଲି ବାଲେଶ୍ବର ସାଂସଦ ରବୀନ୍ଦ୍ର କୁମାର ଜେନା ସୂଚନା ଦେଇଛନ୍ତି।
ଆଜି ଏକ ଫେସ୍‌ବୁକ୍ ଲାଇଭ୍ କାର୍ଯ୍ୟକ୍ରମରେ ଶ୍ରୀ ଜେନା ଗତ ୫ ବର୍ଷ ମଧ୍ୟରେ ସେ ବାଲେଶ୍ବର ଜିଲ୍ଲା ପାଇଁ କରିଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ ସଂପର୍କରେ ଲୋକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ସହ ଆସନ୍ତା ୧୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ବର ଗସ୍ତ ସମୟରେ ଆରମ୍ଭ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଆଗୁଆ ସୂଚନା ଦେଇଥିଲେ। ଶ୍ରୀ ଜେନା କହିଥିଲେ ଯେ ପ୍ରାୟ ଏକ ଦଶନ୍ଧି ଧରି ବାଲେଶ୍ବର ଜିଲ୍ଲାରେ ଏକ ବୃହତ୍ ବନ୍ଦର ନିର୍ମାଣ ଲାଗି କଥାବାର୍ତ୍ତା ଚାଲିଥିଲେ ମଧ୍ୟ ଶେଷରେ ଏହି ସ୍ବପ୍ନ ସାକାର ହେବାକୁ ଯାଉଛି। ବାଲିଆପାଳ ବ୍ଲକ୍ ଅନ୍ତର୍ଗତ ଚୌମୁଖଠାରେ ୪୨୦୦ କୋଟି ଟଙ୍କା ବ୍ୟୟରେ ବନ୍ଦର ନିର୍ମାଣ ଲାଗି ସମସ୍ତ ନିଷ୍ପତ୍ତି ହୋଇ ସାରିଥିବାବେ‌େଳ ଆସନ୍ତା ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହି ବନ୍ଦର ପ୍ରକଳ୍ପ କାର୍ଯ୍ୟ ୩୬ ମାସରେ ସମ୍ପୂର୍ଣ୍ଣ ହେବ ଏବଂ ବନ୍ଦର ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲେ ୧୦ ହଜାରରୁ ଅଧିକ ଯୁବକଯୁବତୀ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିଯୁକ୍ତି ପାଇବେ। ଏହାଛଡ଼ା ସୁବର୍ଣ୍ଣରେଖା ବନ୍ଦର ଉତ୍ତର ଓଡ଼ିଶା ତଥା ଓଡ଼ିଶା ପାଇଁ ବିରାଟ ଅର୍ଥନୈତିକ ବିକାଶର ରାସ୍ତା ଫିଟାଇବ ବୋଲି ସାଂସଦ ଶ୍ରୀ ଜେନା କହିଛନ୍ତି।
ଏଥିସହ ମୁଖ୍ୟମନ୍ତ୍ରୀ ପ୍ରାୟ ୩୫୦ କୋଟି ଟଙ୍କା ବ୍ୟୟରେ ୩ଟି ପର୍ଯ୍ୟାୟରେ ନିର୍ମାଣ ହେବାକୁ ଥିବା ବାଲେଶ୍ବର ରିଂରୋଡର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଭିତ୍ତିପ୍ରସ୍ତର ସ୍ଥାପନ ହେବାର ଦିନେ ଦୁଇ ଦିନ ମଧ୍ୟରେ ଏହାର ପ୍ରଥମ ପର୍ଯ୍ୟାୟ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ଏବଂ ୩ଟି ପର୍ଯ୍ୟାୟରେ ୩୫୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟ ହେବ ବୋଲି ଶ୍ରୀ ଜେନା ସୂଚନା ଦେଇଥିଲେ।
କେବଳ ସେତିକି ନୁହେଁ, ୧୩ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଆଉ ଦୁଇଟି ବଡ଼ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରିବେ। ଭୋଗରାଇ ଓ ବାଲିଆପାଳ ଭଳି ଉତ୍ତର ବାଲେଶ୍ବରବାସୀଙ୍କ ଯୋଗାଯୋଗ ବ୍ୟବସ୍ଥାକୁ ଅଧିକ ସୁଗମ କରିବା ପାଇଁ ସୁବର୍ଣ୍ଣରେଖା ନଦୀ ଉପରେ ପନ୍ତେଇ ଘାଟଠାରେ ୨୦୪ କୋଟି ଟଙ୍କା ବ୍ୟୟରେ ଏକ ପୋଲ ନିର୍ମାଣ ହେବ। ସେହିପରି ବାଲେଶ୍ବର ଡିଆଇସି କଲୋନିଠାରେ ପ୍ରାୟ ୩୫ କୋଟି ଟଙ୍କା ବ୍ୟୟରେ ଭୁବନେଶ୍ବର ଢାଞ୍ଚାରେ ଏକ ଫର୍ଚୁନ୍‌ ଟାୱାର ନିର୍ମାଣ ହେବ। ବାଲେଶ୍ବର ସହରର କେନ୍ଦ୍ରସ୍ଥଳରେ ନିର୍ମାଣ ହେବାକୁ ଥିବା ଏହି ଟାୱାର ବହୁ ବଡ଼ ବଡ଼ ସଂସ୍ଥାର କାର୍ଯ୍ୟାଳୟ ଓ ବିପଣନ କେନ୍ଦ୍ର ରହିବ ବୋଲି ଶ୍ରୀ ଜେନା ସୂଚନା ଦେଇଥିଲେ।
ଏଠାରେ ଉଲ୍ଲେଖଯୋଗ୍ୟ ‌େଯ ୧୩ ତାରିଖ ଦିନ ଅପରାହ୍ଣରେ ବାଲେଶ୍ବର ପୁଲିସ ପଡ଼ିଆଠାରେ ହେବାକୁ ଥିବା ବିଶାଳ ସମାବେଶରେ ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ଓ ଯାଜପୁର ଜିଲ୍ଲାର ବିଜୁ ଯୁବ ବାହିନୀର ୪୦ ହଜାରରୁ ଊର୍ଦ୍ଧ୍ବ କର୍ମୀଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବୋଧନ କରିବେ।

ସମ୍ବନ୍ଧିତ ଖବର