ଚେନ୍ନାଇରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ: ପରିବାର ସଦସ୍ୟଙ୍କ ଅପେକ୍ଷା, ମଧ୍ୟ ରାତ୍ରିରେ ପହଞ୍ଚିବ ମୃତଦେହ

ନୀଳଗିରି: ଚେନ୍ନାଇରୁ ଶନିବାର ଓଡ଼ିଆ ଶ୍ରମିକଙ୍କ ମୃତଦେହ ଆସୁଛି। ରାତି ୧ଟା ପରେ ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଅନ୍ତର୍ଗତ ନରଣପୁର ଗ୍ରାମର ଭାଗୀରଥି ଭୂୟାଙ୍କ ବଡ଼ପୁଅ ମଣିଶଙ୍କର ଭୂୟା(୩୨)ଙ୍କ ମୃତଦେହ ପହଞ୍ଚିବ। ଶବକୁ ଦେଖିବା ପାଇଁ ପରିବାର ଲୋକେ ଚାତକ ପରି ଅନାଇ ବସିଛନ୍ତି। ପେଟର କ୍ଷୁଧା ମେଣ୍ଟାଇବା ଓ ପରିବାର ପୋଶିବା ପାଇଁ ମଣିଶଙ୍କର ନିଜର ସାନ ଭାଇଙ୍କ ସହିତ ୭ ଦିନ ତଳେ ଯାଇ ସେ ଚେନ୍ନାଇ ନିକଟସ୍ଥ ତିରୁଭାଲ୍ଲର ଜିଲ୍ଳାର ଆମ୍ବା ବଢ଼ତୁର ଥାନାଅଞ୍ଚଳରେ ଥିବା ଏକ କଷ୍ଟ୍ରକସନ୍‌ କମ୍ପାନିରେ କାମ କରୁଥିଲେ। ଗତ ନଭେମ୍ବର ୨ରେ କାମ କରୁଥିବା ବେଳେ ଅପରାହ୍ନ ୨ଟାରେ ଛାତରୁ ଖସି ପଡ଼ି ମୃତ୍ୟୁ ମୁଖରେ ପଡ଼ିଥିଲେ।

ନୀଳଗିରିର ପୂର୍ବତନ ବିଧାୟକ ପ୍ରତାପ ଷଡ଼ଙ୍ଗୀଙ୍କ ହସ୍ତକ୍ଷେପ ପରେ ଜିଲ୍ଲାପାଳ ପ୍ରମୋଦ କୁମାର ଦାସ ତିରୁଭାଲ୍ଲର ଜିଲ୍ଳାପାଳଙ୍କ ସହିତ ଯୋଗାଯୋଗ କରିଥିଲେ। ତାମିଲନାଡୁର ଜିଲ୍ଲାପାଳ ଥାନା ସହିତ ଯୋଗାଯୋଗ କରି ମୃତଦେହ ଓଡ଼ିଶାକୁ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତାମିଲନାଡୁ ପୁଲିସ ଶ୍ରମିକ ଠିକାଦାରଙ୍କୁ ଅଢ଼େଇ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିଦ୍ଦେଶ ଦେଇଛି। ମଣିଶଙ୍କରଙ୍କ ସାନଭାଇ ସୋମନାଥଙ୍କୁ ଠିକାଦାର ୫୦,୦୦୦ ଟଙ୍କା ଦେଇଥିବା ବେଳେ, ବାକି ୨ଲକ୍ଷ ଟଙ୍କା ଶୀଘ୍ର ଦେବାକୁ ନିର୍ଦ୍ଦେଶ ହୋଇଛି।

ସମ୍ବନ୍ଧିତ ଖବର