ନୀଳଗିରି: ବାପ ଘର ଲୋକେ ଜ୍ୱାଇଁଙ୍କୁ ସୁନାଚେନ୍ ଦେଇ ନଥିବାରୁ ଶାଶୁଘର ଲୋକେ ନବବଧୂର ଦେହରେ କିରୋସିନ ଢାଳି ନିଅାଁ ଲଗାଇ ଦେଇଛନ୍ତି। ନିଅାଁ ଲାଗି ଦେହ ଜଳୁଥିବା ବେଳେ ନବବଧୂ ଗାଁ ଦାଣ୍ଡରେ ଦୌଡୁଥିବା ସମୟରେ ୨ ଜଣ ସହୃଦୟ ବ୍ୟକ୍ତି ତାଙ୍କୁ ଉଦ୍ଧାର କରିଛନ୍ତି। ବାଲେଶ୍ୱର ଜିଲ୍ଲାର ଖନ୍ତାପଡ଼ା ଥାନା ଅନ୍ତର୍ଗତ ଚିଲାପଦା ଗାଁରେ ମଙ୍ଗଳବାର ଏହି ଅଭାବନୀୟ ଘଟଣା ଘଟାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ଅନୁସାରେ ଖନ୍ତାପଡ଼ା ଥାନା ଅନ୍ତର୍ଗତ ଚିଲାପଦା ଗାଁର ବାଞ୍ଛାନିଧି ଦାସଙ୍କ ପୁଅ ମୁକ୍ତିକାନ୍ତ ଦାସ ଗତ ଏପ୍ରିଲ ୧୮ରେ ଦୀଖାପଦା ଗାଁର ବଜେନ୍ଦ୍ର ବାରିକ ଓ ସସ୍ମିତା ବାରିକଙ୍କ ଝିଅ ସୁଇଟ୍ ସମ୍ପା ବାରିକଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ବିବାହ ସମୟରେ କନ୍ୟା-ପିତାଙ୍କ ପରିବାର ପକ୍ଷରୁ ସୁନାରୁପା, ଟଙ୍କା ଓ ଅନ୍ୟାନ୍ୟ ଜିନିଷ ପତ୍ର ଯୌତୁକ ବାବଦକୁ ଦଦିଆଯାଇଥିଲା। ମାତ୍ର ଜ୍ୱାଇଁକୁ ଏକ ସୁନା ଚେନ ମିଳି ନଥିିବାରୁ ଶାଶୁଘର ଲୋକେ ନବବଧୂଙ୍କୁ ନିର୍ଯ୍ୟାତନ ଦେଇ ଆସୁଥିଲେ। ବିଗତ ୪ ମାସ ମଧ୍ୟରେ ସୁନାଚେନ ପାଇଁ ନବବଧୂଙ୍କୁ ଅନେକ ଥର ହଇରାଣ ହେବାକୁ ପଡ଼ିଛି। ଭଦ୍ର ଲୋକଙ୍କ ଦ୍ୱାରା ଅନେକ ଥର ବୈଠକ ବସିଛି।
ବାପ ଘରୁ ସୁନାଚେନ ଆଣିବା ପାଇଁ ମଙ୍ଗଳବାର ଭୋର ସକାଳୁ ମୁକ୍ତିକାନ୍ତ ଦାସ, ବାଞ୍ଛାନିଧି, ଶାଶୁ ଜୟନ୍ତୀ ଓ ବିବାହିତ ନଣନ୍ଦ ସନ୍ଧ୍ୟାରାଣୀ ସମସ୍ତେ ଏକାଠି ହୋଇ ସୁଇଟଙ୍କ ଦେହରେ କିରୋସିନ ଢାଳି ଦେଇଥିଲେ। ପରେ ସୁଇଟ୍ଙ୍କ ଦେହରେ ନିଅାଁ ଲଗାଇ ଦେଇଥିଲେ। ଜବୀନ ବଞ୍ଚାଇବା ପାଇଁ ସୁଇଟ୍ ଦେହରୁ ଶାଢ଼ୀ ଖୋଲି ଦେଇ ଗାଁ ଦାଣ୍ଡରେ ଦୌଡୁଥିଲେ। ଏହି ଦୃଶ୍ୟ ସଂପୂର୍ଣ୍ଣ ଭାବରେ ହୃଦୟ ବିଦାରକ ଥିଲା ବୋଲି ପ୍ରତକ୍ଷ୍ୟଦର୍ଶୀ କହିଛନ୍ତି। ପଡ଼ୋଶୀ ଲୋକଙ୍କ ଦ୍ୱାରା ସୁଇଟ୍ ଉଦ୍ଧାର ହେବା ପରେ, ବଜେନ୍ଦ୍ର ବାରିକଙ୍କୁ ଘଟଣା ସଂପର୍କରେ ଖବର ଦିଆଯାଇଥିଲା। ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ସୁଇଟସ୍ଙ୍କୁ ବାଲେଶ୍ୱର ଉପଖଣ୍ଡ ଚିକିତ୍ସାଳୟର ୧୩ ନମ୍ବର ଓ୍ଵାର୍ଡରେ ଭର୍ତ୍ତି କରାଯାଇଛି।