ବାଲେଶ୍ୱର: ଟ୍ରକ ଧକ୍କାରେ ଜଳସେଚନ ସହକାରୀ ଯନ୍ତ୍ରୀଙ୍କ ମୃତ୍ୟୁ

ବାଲେଶ୍ୱର: ୬୦ ନମ୍ବର ଜାତୀୟ ରାଜପଥର ସଦର ଥାନା ଅଧୀନ ନଗ୍ରମ ଛକ ନିକଟ ବିପିସିଏଲ ତେଲଟାଙ୍କି ନିକଟରେ ଆଜି ଏକ ଟ୍ରକ ଧକ୍କାରେ ଜଣେ ସହକାରୀ ଯନ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତ ଯନ୍ତ୍ରୀ ହେଉଛନ୍ତି ରବୀନ୍ଦ୍ରନାଥ ଦତ୍ତ(୫୨)। ସେ ବସ୍ତା ବ୍ଲକ ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଥିଲେ।
ମିଳିଥିବା ଖବର ଅନୁଯାୟୀ, ଇଂ ରବୀନ୍ଦ୍ର ନାଥ ଦତ୍ତ ଆଜି ମଧ୍ୟାହ୍ନରେ ଏକ କାମରେ ନିଜ ବାଇକ୍‌(ଓଡି-୦୧ଇ-୫୬୮୮) ଯୋଗେ ବାଲେଶ୍ୱର ସହରକୁୁ ଆସୁଥିଲେ। ୬୦ ନମ୍ବର ଏନ୍‌ଏଚର ନଗ୍ରମ ଛକସ୍ଥିତ ବିପିସିଏଲ ତେଲଟାଙ୍କି ନିକଟରେ ରାସ୍ତାର ଅପରପାର୍ଶ୍ବରେ ଯାଉଥିବା ଏକ ଟ୍ରକ(ଓଆର-୦୧ଏଲ-୦୨୬୫) ହଠାତ୍‌ ତେଲଟାଙ୍କି ଆଡ଼କୁ ମାଡ଼ିଆସି ରବୀନ୍ଦ୍ରଙ୍କ ଉପରେ ଚଢ଼ିଯାଇଥିଲା। ସ୍ଥାନୀୟ ଲୋକ ଗୁରୁତର ଅବସ୍ଥାରେ ରବୀନ୍ଦ୍ରଙ୍କୁ ଉଦ୍ଧାର କରିବା ସହିତ ଟ୍ରକକୁ ଅଟକାଇଥିଲେ। ହେଲେ ଟ୍ରକର ଡ୍ରାଇଭର ଖସି ପଳାଇଥିଲା। ଖବରପାଇ ଘଟଣାସ୍ଥଳରେ ହଳଦୀପଦା ଫାଣ୍ଡି ପୁଲିସ୍‌ ପହଞ୍ଚି ଗୁରୁତର ରବୀନ୍ଦ୍ରଙ୍କୁ ଆମ୍ବୁଲାନ୍ସରେ ଜିଲ୍ଲା ହସ୍ପିଟାଲକୁ ଆଣିଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ଏଠାରୁ ତାଙ୍କୁ ପୁଣି କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ସୋର ନିକଟରେ ତାଙ୍କର ମୃତ୍ୟୁ ଘଟିଥିଲା। ସଦର ଥାନାରେ ଏନେଇ ୧୭/୧୯ରେ ମାମଲା ରୁଜୁ ହୋଇ ଶବ ବ୍ୟବଚ୍ଛେଦ କରାଯାଇଛି। ସୂଚନାଯୋଗ୍ୟ, ରବୀନ୍ଦ୍ରଙ୍କ ଘର ବାଲିଆପାଳ ଥାନା ଅଧୀନ ରେମୁ ଗ୍ରାମରେ। ଏବେ ସେ ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅଧୀନ ରାଣୀପାଟଣାରେ ପରିବାର ସହ ରହୁଥିଲେ। ତାଙ୍କର ଏଭଳି ଅକାଳ ମୃତ୍ୟୁରେ ପରିବାର ଲୋକେ ଭାଙ୍ଗି ପଡ଼ିଥିବା ବେଳେ ବିଭିନ୍ନ ମହଲରୁ ଶୋକ ପ୍ରକାଶ କରାଯାଇଛି।
ସମ୍ବନ୍ଧିତ ଖବର