ନକଲି ଆଇଏଏସ୍‌ ଗିରଫ ଘଟଣା:ଠକ ସାମ୍ବାଦିକ ବି ବନ୍ଧା ହେଲେ 

ଖୁଣ୍ଟାରୁ ଝାରପୋଖରିଆକୁ ଲମ୍ବିଛି ଠକାମୀର ଚେର

ଚାକିରି କରାଇଦେବାକୁ କହି ଉଭୟ ୧୮ ଲକ୍ଷ ଠକିଛନ୍ତି:ଗିରଫ ସାମ୍ବାଦିକଙ୍କ ଘରୁ ନକଲି ନିଯୁକ୍ତିପତ୍ର ଜବତ

ସାରସକଣା: ନିଜକୁ ଆଇଏଏସ୍‌ ଅଫିସର ବୋଲି ପରିଚୟ ଦେଇ ବିଭିନ୍ନ ଲୋକଙ୍କୁ ଚାକିରି କରାଇଦେବା ବାହାନାରେ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ରଜତ ପଣ୍ଡା ନାମକ ଜଣେ କୁଖ୍ୟାତ ଠକ ଗିରଫ ହେବା  ଘଟଣା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ତାଙ୍କୁ ଏହି ଠକେଇରେ ସହଯୋଗ କରିଥିବା ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ପୁଲିସ୍‌ ଆଜି ଜଣେ ସ୍ଥାନୀୟ ସାମ୍ବାଦିକଙ୍କୁ ଗିରଫ କରିଛି। ଗିରଫ ସାମ୍ବାଦିକ ଜଣକ ହେଉଛନ୍ତି ଅବିନାଶ ପ୍ରହରାଜ। ତାଙ୍କ ଘର ସ୍ଥାନୀୟ ଗହଳାମୁଣ୍ଡା ଗାଁରେ। ବିଭିନ୍ନ ଚାକିରି ଆଶାୟୀଙ୍କଠାରୁ ଦୁହେଁ ମିଶି ପ୍ରାୟ ୧୮ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ସେ ଠକିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ପୁଲିସ ସୂଚନା ଅନୁସାରେ, ନିଜକୁ ଆଇଏଏସ୍‌ ଅଫିସର ପରିଚୟ ଦେଇ ଖୁଣ୍ଟା ଅଞ୍ଚଳରେ ଜଣେ ଯୁବତୀଙ୍କୁ ବିବାହ କରିଥିବା ରଜତ ପଣ୍ଡା ଜଣେ କୁଖ୍ୟାତ ଠକ ବୋଲି ଜଣାପଡ଼ିବା ପରେ ମଙ୍ଗଳବାର ରାତିରେ ଖୁଣ୍ଟା ପୁଲିସ ତାଙ୍କୁ ଗିରଫ କରିଥିଲା। ତଦନ୍ତବେଳେ ରଜତର ଠକାମୀର ଚେର ଝାରପୋଖରିଆ ଅଞ୍ଚଳକୁ ଲମ୍ବିଥିବା ଜଣାପଡ଼ିଥିଲା। ଝାରପୋଖରିଆ ଥାନା ହାତବାରି ଗ୍ରାମର ସନ୍ତୋଷ କୁମାର ମହାନ୍ତ ନାମକ ଜଣେ ଯୁବକ ସ୍ଥାନୀୟ ଗହଳାମୁଣ୍ଡା ଗ୍ରାମବାସୀ ତଥା ଗଣମାଧ୍ୟମ ପ୍ରତିନିଧି ଅବିନାଶ ପ୍ରହରାଜ  ମାଧ୍ୟମରେ ଜେଲ ଓ୍ଵାର୍ଡର ଚାକିରି ପାଇଁ ରଜତକୁ ଦେଢ଼ ଲକ୍ଷ ଟଙ୍କା ଦେଇଥିଲେ। ମାତ୍ର ପରେ ସେ ଠକାମୀର ଶିକାର ହୋଇଥିବା ଜାଣିବା ପରେ ଏନେଇ ସେ ଝାରପୋଖରିଆ ଥାନାରେ ଏତଲା ଦେଇଥିଲେ। ପୁଲିସ ଥାନା କେସ୍‌ ନଂ. ୪୬/୧୮ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। ତେଣୁ ଗତକାଲି ରଜତ ଖୁଣ୍ଟାରେ ଗିରଫ ହୋଇଥିବା ଜାଣିବା ପରେ ଝାରପୋଖରିଆ ଥାନା ଆଇଆଇସି ଶରତ କୁମାର ମହାଳିକ ଅଧିକ ତଦନ୍ତ ପାଇଁ ରଜତକୁ ଏଠାକୁ ଆଣି ଜେରା କରିଥିଲେ।  ଏହି ଠକାମୀରେ ଅବିନାଶର ସଂପୃକ୍ତି ଥିବା ପୁଲିସ ଜାଣି ପାରିଥିଲା। ଅନୁରୂପ ଭାବେ ତାଙ୍କ ପୁଅର ଚାକିରି ପାଇଁ ୨ଲକ୍ଷ ୫୦ ହଜାର ଟଙ୍କା ଅବିନାଶ ନେଇଥିବା ଭୂର୍‌ଷାଣି ଅଞ୍ଚଳର ଗୋବର୍ଦ୍ଧନ ମହାନ୍ତ ନାମକ ଜଣେ ବ୍ୟକ୍ତି ଅଭିଯୋଗ କରିଥିଲେ। ସେହିପରି କିଛି ଦିନ ପୂର୍ବରୁ ଏହି ନକଲି ଆଇଏଏସ୍‌ ଅଫିସର ରଜତ ପଣ୍ଡା ସାରସକଣା ତହସିଲଦାରଙ୍କୁ ଧମକ ଦେଇଥିବା ନେଇ ତହସିଲଦାର ଲଲାଟେନ୍ଦୁ ସି ମଧ୍ୟ ଥାନାରେ ଏତଲା ଦେଇଥିଲେ। ଏହାପରେ ଝାରପୋଖରିଆ ଥାନା ପୁଲିସ ଆଜି ଅବିନାଶକୁ ଗିରଫ କରିବା ସହିତ ତାଙ୍କ ଘରୁ କିଛି ନକଲି ନିଯୁକ୍ତିପତ୍ର ଜବତ କରିଥିଲା। ଏହି ୩ଟି ଅଭିଯୋଗ ମୁତାବକ ଅଭିଯୁକ୍ତ ରଜତ ଓ ଅବିନାଶକୁ ପୁଲିସ ଆଜି ଅପରାହ୍ନରେ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର