ବାଲେଶ୍ବର ବସଷ୍ଟାଣ୍ଡରୁ ନକଲି ଟଙ୍କା ସହ ୩ ସନ୍ଦିଗ୍ଧ ଗିରଫ

ବାଲେଶ୍ୱର : ବାଲେଶ୍ବରର ଜଣେ ଅଟୋଚାଳକଙ୍କୁ ନକଲି ନୋଟ୍‌ ଦେଇ ୩ ଜଣ ସନ୍ଦିଗ୍ଧ ବ୍ୟକ୍ତି ଆଜି ଗିରଫ ହୋଇଛନ୍ତି। ଏହି ୩ ଜଣ ହେଲେ; ଝାଡ଼ଖଣ୍ଡ ରାଜ୍ୟ ବୋକାର ଜିଲ୍ଲା ନବଡ଼ିହ ଅଞ୍ଚଳର ଇବ୍ରାରିର କାଜି (୪୭), ହାଫିଜ୍‌ ଅନୱାର(୪୬) ଓ ସାକିଲ କାଜି(୩୭)।

ସୂଚନା ଅନୁସାରେ, ଏହି ୩ଜଣ କିଛିଦିନ ହେଲା ବାଲେଶ୍ବର ସହରକୁ ନିୟମିତ ଆସୁଥିଲେ। ସେମାନେ ବସ୍‌ଷ୍ଟାଣ୍ଡରେ ପହଞ୍ଚି ଅଟୋରେ ବିଭିନ୍ନ ଅଞ୍ଚଳକୁ ଯାଉଥିଲେ। ମଦ୍ରାସା ସ୍କୁଲ୍‌ ଖୋଲିବା ପାଇଁ ସେମାନେ ଟଙ୍କା ଆଦାୟ କରୁଥିବା କହୁଥିଲେ। ଆଜି ସମ୍ପୃକ୍ତ ୩ ଜଣ ବାଲେଶ୍ୱର ସହଦେବଖୁଣ୍ଟା ବସ୍‌ଷ୍ଟାଣ୍ଡରେ ପହଞ୍ଚି ଅଟୋରେ ଗନିପୁର ଅଞ୍ଚଳକୁ ଯାଇଥିଲେ। ସେଠାରୁ ଫେରି ‌ଅଟୋଚାଳକଙ୍କୁ ୧୨୦ ଟଙ୍କା ଦେଇଥିଲେ। ହେଲେ ୧୦୦ଟଙ୍କିଆ ନୋଟ ଖଣ୍ଡିକ ନକଲି ସନ୍ଦେହ ହେବାରୁ ଅଟୋଚାଳକ ଜଣକ ନିକଟସ୍ଥ ବ୍ୟାଙ୍କକୁ ନେଇ ଦେଖାଇଥିଲେ। ସେଠାରେ ଏହି ନୋଟ୍‌କୁ ନକଲି ବୋଲି ଜଣାପଡ଼ିବା ପରେ ସେ ଅନ୍ୟ ଅଟୋଚାଳକ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ସମ୍ପୃକ୍ତ ୩ ଜଣଙ୍କୁ ଖୋଜାଖୋଜି କରିଥିଲେ। ପରେ ବସ୍‌ଷ୍ଟାଣ୍ଡ ଠାରୁ କିଛି ଦୂରରେ ଠାବ କରିଥିଲେ। ସେମାନଙ୍କୁ ଧରିବା ସହିତ ସହଦେବଖୁଣ୍ଟା ଆଦର୍ଶ ଥାନାକୁ ଖବର ଦେଇଥିଲେ।

ପୁଲିସ ପହଞ୍ଚି ଅଟୋଚାଳକଙ୍କୁ ସେମାନେ ଦେଇଥିବା ୧୦୦ ଟଙ୍କା ସହ ସେମାନଙ୍କଠାରେ ଥିବା ୫ ହଜାର ୩୦୦ ଟଙ୍କା‌ ଜବତ କରି ଥାନାକୁ ନେଇଯାଇଥିଲା। ତେବେ ଜବତ ନୋଟ୍‌ଗୁଡ଼ିକ ମଧ୍ୟରୁ ୪ଟି ୧୦୦ ଟଙ୍କିଆ ନୋଟ୍‌ ନକଲି ସଂଦେହ ହେଉଥିବା ଆଇଆଇସି ଶୁଭେନ୍ଦୁଶେଖର ନାୟକ କହିଛନ୍ତି।

ଅନ୍ୟପକ୍ଷରେ ସମ୍ପୃକ୍ତ ଅଭିଯୁକ୍ତମାନେ ନକଲି ଟଙ୍କା କାରବାର ସହ ସେମାନଙ୍କର କୌଣସି ସମ୍ପୃକ୍ତି ନଥିବା ଗଣମାଧ୍ୟମ ଆଗରେ କହିଛନ୍ତି।

ସମ୍ବନ୍ଧିତ ଖବର