ମାଟ୍ରିକ୍‌ ଫଳ ଖରାପ ହେବ ବୋଲି କହିବାରୁ ଝିଅକୁ ପୋଡ଼ି ମାରିବାକୁ ଉଦ୍ୟମ

0 558

ନୀଳଗିରି : ଆସନ୍ତାକାଲି ବାହାରିବ ମାଟ୍ରିକ ପରୀକ୍ଷା ଫଳ। ଏହାକୁ ନେଇ ପରୀକ୍ଷାର୍ଥୀମାନେ ନାନା ଆଶା ଆଶଙ୍କା ମଧ୍ୟରେ ଥିବାବେଳେ ସଚେତନ ଅଭିଭାବକମାନେ ସେମାନଙ୍କୁ ମାନସିକ ଚାପରୁ ଦୂରେଇ ରଖିବାକୁ ଚେଷ୍ଟା କରୁଛନ୍ତି। ମାତ୍ର ନୀଳଗିରି ଅଞ୍ଚଳରେ ଜଣେ ବ୍ୟକ୍ତି ମାଟ୍ରିକ ପରୀକ୍ଷା ଖରାପ ଫଳ କରିବା ଆଶଙ୍କାରେ ନିଜ ଝିଅକୁ ଘରେ ପୂରାଇ କିରୋସିନ ଢାଳି ପୋଡ଼ି ମାରିବାକୁ ଉଦ୍ୟମ କରିବା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। କୌଣସି ବଡ଼ ଅଘଟଣ ଘଟିବା ପୂର୍ବରୁ ପଡ଼ୋଶୀଙ୍କ ସହାୟତାରେ ପୁଲିସ ଭୟଭୀତ ଅବସ୍ଥାରେ ଥିବା ଝିଅକୁ ଉଦ୍ଧାର କରିଛି। ତେବେ ନାବାଳିକା ଜଣକ ନିଜ ବାପାର ଏଭଳି ନୃଶଂସତା ସଂପର୍କରେ ଥାନାରେ କୌଣସି ଅଭିଯୋଗ ନ କରିବାରୁ ପୁଲିସ ସୈତାନ ବାପାକୁ ଗିରଫ ନକରି ଫେରି ଆସିଛି। ଏପରି ଏକ ଅଭାବନୀୟ ଘଟଣା ଘଟିଛି ନୀଳଗିରି ବ୍ଲକ ଅଧୀନସ୍ଥ ଜାମୁଡ଼ିହା ଗ୍ରାମରେ। ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ମିଲି (ଛଦ୍ମନାମ) (୧୪) ଚଳିତବର୍ଷ ଭୂଦାରଚଣ୍ଡି ହାଇସ୍କୁଲରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଇଥିଲା । ଆସନ୍ତାକାଲି ପରୀକ୍ଷାଫଳ ବାହାରୁ ଥିବାରୁ ଆଜି ଅପରାହ୍ଣରେ ତା’ର ବାପା ଝିଅକୁ ଡକାଇ କେଉଁ ଗ୍ରେଡ୍‌ ପାଇବୁ ବୋଲି ପଚାରିଥିଲା। ତେବେ ଝିଅଟି ସନ୍ତୋଷଜନକ ଉତ୍ତର ନ ଦେଇପାରିବାରୁ ଏଥିରେ ଉତ୍‌କ୍ଷିପ୍ତ ହୋଇ ବାପା ତା’କୁ ଘର ଭିତରେ ପୂରାଇ ବାହାର ପଟୁ ଚାବି ପକାଇ ଦେଇଥିଲା। ପରେ କିରୋସିନି ନେଇ କବାଟ ଓ ଆଜବେଷ୍ଟ ଉପରେ ଢାଳି ନିଅାଁ ଲଗାଇବା ପାଇଁ ଉଦ୍ୟମ କରୁଥିଲା । ଏହର ଦେଖି ତାଙ୍କ ପଡ଼ୋଶୀ ନୀଳଗିରି ଥାନାକୁ ଖବର ଦେଇଥିଲେ। ଖବର ପାଇ ତୁରନ୍ତ ନୀଳଗିରି ଥାନାର ଏଏସ୍‌ଆଇ ବିଷ୍ଣୁମୋହନ ରାଉତ ସଦଳବଳେ ଘଟଣାସ୍ଥଳରେ ପହଞ୍ଚଥିଲେ ଏବଂ ନାବାଳିକାକୁ ଘର ଭିତରୁ ଉଦ୍ଧାର କରିଥିଲେ। ଏ ନେଇ ନାବାଳିକାକୁ ପଚାରିବାରୁ ତାଙ୍କ ବାପା ମଦ ପିଇ ଏଭଳି କରିଥିବା ସେ ପୁଲିସ ଆଗରେ ପ୍ରକାଶ କରିଥିଲା।

ସମ୍ବନ୍ଧିତ ଖବର

Leave A Reply

Your email address will not be published.