ନୀଳଗିରି: ଆବାସିକ ଛାତ୍ରୀ ନିବାସରେ ହାତ କାଟିଲେ ୧୫ ପିଲା

ଘଟଣାର ତଦନ୍ତ ଦାବି କଲେ ଅବସରପ୍ରାପ୍ତ ଶିକ୍ଷକ ଓ ଗ୍ରାମବାସୀ, ଅଧିକାରୀ କହିଲେ ହାତ କାଟିବା ଆଦିବାସୀ ପରଂପରା

ନୀଳଗିରି: ବାଲେଶ୍ୱର ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଛାତ୍ରୀଙ୍କ ନିମନ୍ତେ ରାଜ-ବରହମପୁର ଥାନା ଅନ୍ତର୍ଗତ ଛତ୍ରପୁର ଗ୍ରାମରେ ପ୍ରତିଷ୍ଠା କରାଯାଇଥିବା କସ୍ତୁରବା ଗାନ୍ଧି ଆବାସିକ ଛାତ୍ରୀ ନିବାସରେ ୧୫ ଜଣ ଛାତ୍ରୀ ହାତ କାଟି ଥିବା ସୂଚନା ମିଳିଛି। ସାରା ବିଶ୍ୱରେ ବ୍ଲୁ ହେ୍ଵଲକୁ ନେଇ ଆଲୋଚନା ଚାଲିଥିବା ବେଳେ, ସୂଚନା ଓ ପ୍ରଯୁକ୍ତିବିଦ୍ୟାରୁ ବଞ୍ଚିତ ଆଦିବାସୀ ଅଞ୍ଚଳର ପିଲାମାନେ କାହାକୁ ଆଧାର କରି ହାତ କାଟିଛନ୍ତି, ସେ ନେଇ ସନ୍ଦେହ କରାଯାଉଛି। କର୍ତ୍ତୃପକ୍ଷ ଘଟଣା ସମ୍ପର୍କରେ କିଛି ଖୁଲାସା କରିବାକୁ ଇଚ୍ଛା ପ୍ରକାଶ କରୁ ନଥିବା ବେଳେ ଏ ନେଇ ଗଣମାଧ୍ୟମ ପାଖରେ ଅନେକ ତଥ୍ୟ ସାମ୍ନାକୁ ଆସିଛି।

ଆବାସିକ ଛାତ୍ରୀ ନିବାସରେ କିଛି ଦିନ ହେଲା ପିଲାଏ ହାତ କାଟୁଛନ୍ତି। ଏ ସମ୍ପର୍କରେ କର୍ତ୍ତୃପକ୍ଷ ଜାଣିବା ପରେ କିଛି ଛାତ୍ରୀଙ୍କୁ ଘରକୁ ପଠାଇ ଦିଆଯାଇଛି। ଗ୍ରାମର କିଛି ଲୋକ ଏ ବାବଦରେ ଆଲୋଚନା କରୁଥିବା ବେଳେ ଗଣମାଧ୍ୟମର ପ୍ରତିନିଧିମାନେ ହଷ୍ଟେଲକୁ ପହଞ୍ଚି ଥିଲେ। ସୋମାନେ ୭ମ ଶ୍ରେଣୀର ୨ଜଣ ଛାତ୍ରୀଙ୍କୁ ଘଟଣା ସମ୍ପର୍କରେ ପଚରାଉଚୁରା କରୁଥିବା ବେଳେ ବ୍ଲକ ଶିକ୍ଷାଧିକାରୀ ମାଳତୀ ଟୁଡୁ, ଜନମଙ୍ଗଳ ଅଧିକାରୀ ନିରଞ୍ଜନ ବେହେରା, ଓଆଇସି ଗୋପାଳ ସିଂହ ପହଞ୍ଚି ଯାଇଥିଲେ। ସେମାନେ ଗଣମାଧ୍ୟମର ପ୍ରତିନିଧିଙ୍କୁ ହଷ୍ଟେଲ ଭିତରକୁ ଛାଡି ଦେଇ ନଥିଲେ। ଦୁଇ ଜଣ ଛାତ୍ରୀଙ୍କ ମଧ୍ୟରୁ ଜଣକ ହାତରେ ‘ସି’ ଢଙ୍ଗରେ ହାତ କଟିଥିବା ବେଳେ ଅନ୍ୟ ଜଣେ ‘ଡି’ ଢଙ୍ଗରେ ହାତ କାଟିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଯେ, ୨ ଦିନ ହେବ ଏମିତି ଅଭାବନୀୟ ଘଟଣା ଚାଲିଥିବା ବେଳେ କର୍ତ୍ତୃପକ୍ଷ କେମିତି କିଛି ଜାଣି ପାରିଲା ନାହିଁ ତାହା ହିଁ ଆଶ୍ଚର୍ଯ୍ୟର ବିଷୟ।

କେମିତି ଚାଲିଛି ଆଦିବାସୀ ହଷ୍ଟେଲ?

ଅନୁସୂଚିତ ଜନଜାତି ଅଞ୍ଚଳର ବାଳିକାମାନଙ୍କ ପାଇଁ ପ୍ରତିଷ୍ଠା କରାଯାଇଥିବା ହଷ୍ଟେଲରେ ୧୦୦ ଜଣ ଛାତ୍ରୀ ପଢ଼ନ୍ତି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ପଢ଼ିବା ପାଇଁ ବ୍ୟବସ୍ଥା ଥିବା ହଷ୍ଟେଲରେ ୬ଜଣ ଶିକ୍ଷକ, ଜଣେ ଚପରାସି, ଜଣେ କିରାଣୀ ଓ ଜଣେ ମେଟରନ୍‌ ଅଛନ୍ତି। କେନ୍ଦ୍ର ସରକାରଙ୍କ ଆଇଟିଡିଏ ଓ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ଦ୍ୱାରା ପରିଚାଳିତ ଛାତ୍ରୀ ନିବାସ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ କସ୍ତୁରବା ଗାନ୍ଧୀ ଆବାସିକ ଛାତ୍ରୀ ନିବାସରେ ଅଭାବନୀୟ ଘଟଣା ଦେଖିବାକୁ ମିଳୁଛି।

ପ୍ରଶାସନିକ ଅଧିକାରୀ ସୁନୀଲ ନରଓ୍ଵଣେ କହିଛନ୍ତି, ଆଦିବାସୀ ପରମ୍ପରା ଅନୁସାରେ ଝିଅ ମାନେ ହାତରେ ଝୋଟି ଚିତା କାଟନ୍ତି। ସେଥିପାଇଁ ସେମାନେ ହାତ କାଟି ଥାନ୍ତି। ୨ଜଣ ଛାତ୍ରୀ ଝୋଟି କାଟିବା ପାଇଁ ହାତ କାଟିଛନ୍ତି ବୋଲି ଅଧିକାରୀ କହିଛନ୍ତି।

ବଡ଼ଓଷା ପାଇଁ ବିଦ୍ୟାଳୟ ଛୁଟି ଥିବା ବେଳେ ଛାତ୍ରୀମାନେ ହାତ କାଟିଛନ୍ତି। ଏଭିଳ ଘଟଣା ସମ୍ପର୍କରେ କର୍ତ୍ତୃପକ୍ଷ ଜାଣି ନପାରିବା କ୍ଷୋଭର ବିଷୟ। ୧୨ରୁ ୧୩ଜଣ ଛାତ୍ରୀଙ୍କୁ ଘରକୁ ପଠାଇ ଦିଆଯାଇଛି। ଘଟଣାର ତଦନ୍ତ ହେବା ଦରକାର।
-ଅବସରପ୍ରାପ୍ତ ଶିକ୍ଷକ ଗଣେଶ ମିଶ୍ର ଓ ଓ୍ଵାର୍ଡମେମ୍ବର ଉର୍ମିଳା ଜେନା

ସମ୍ବନ୍ଧିତ ଖବର