ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଗୁଳିମାଡ଼

ବାଲେଶ୍ବର : ଆଜି ସନ୍ଧ୍ୟାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସହଦେବଖୁଣ୍ଟା ଥାନା ଅଧୀନ ଫୁଲାଡ଼ି ରାସ୍ତାର ବଳଙ୍ଗ ଲୁହାପୋଲ ନିକଟରେ ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଛି। ସମ୍ପୃକ୍ତ ଯୁବକ ଜଣକ ହେଲେ ସ୍ଥାନୀୟ କଣ୍ଟାବଣିଆ ଅଞ୍ଚଳର ବିରଞ୍ଚି ଦାସ(୨୮)। ସେ ନିଜ ବାଇକ୍‌ରେ ଫୁଲାଡ଼ି ଛକରୁ ଘରକୁ ଫେରୁଥିବା ସମୟରେ ତାଙ୍କୁ ପିଛା କରି ଆସୁଥିବା କିଛି ଯୁବକ ବଳଙ୍ଗ ଲୁହାପୋଲ ନିକଟରେ ଗୁଳିମାଡ଼ କରିଥିଲେ। ଗୁଳିଟି ତାଙ୍କ ପିଠି ମଝିରେ ବାଜିଥି‌ଲା। ଆହତ ବିରଞ୍ଚିଙ୍କୁ ଗାଁ ଲୋକେ ଉଦ୍ଧାର କରି ବାଲେଶ୍ବର ଜିଲ୍ଲା ହସ୍ପିଟାଲକୁ ଆଣିଥିଲେ। ତେବେ ଏହି ଗୁଳିକାଣ୍ଡକୁ ନେଇ କଣ୍ଟାବଣିଆ ଓ ଦହପଡ଼ା ଗ୍ରାମର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ତିନି ଜଣ ମହିଳା ଆହତ ହୋଇଛନ୍ତି। ଦୁଇ ଗାଁରେ ଉତ୍ତେଜନା ଲାଗି ରହିଥିବାରୁ ପୁଲିସ ଫୋର୍ସ ମୁତୟନ କରାଯାଇଛି।

ସ୍ଥାନୀୟ ଅଞ୍ଚଳରେ ବେଆଇନ୍‌ ବାଲିଖାଦାନକୁ କେନ୍ଦ୍ରକରି ଦହପଡ଼ା ଓ କଣ୍ଟାବଣିଆ ଗାଁର ଦୁଇଗୋଷ୍ଠୀ ମଧ୍ୟରେ ରହିଥିବା ପୂର୍ବଶତ୍ରୁତାର ଏହା କାରଣ ବୋଲି ଜାଣିବାକୁ ମିଳିଛି। ସନ୍ଧ୍ୟାରେ ଗୁଳିମାଡ଼ ଘଟଣା ପରେ କଣ୍ଟାବଣିଆର ‌କିଛି ପୁରୁଷ ଓ ମହିଳା ଦହପଡ଼ା ଗ୍ରାମରେ ପଶି ଗଣ୍ଡଗୋଳ ଓ ଭଙ୍ଗାରୁଜା କରିଥିଲେ। ଏଥିରେ ଦହପଡ଼ା ଗ୍ରାମର ଜଗନ୍ନାଥ ନାୟକଙ୍କ ପତ୍ନୀ ଭାନୁମତୀ(୪୦), ରାଜେନ୍ଦ୍ର ନାୟକଙ୍କ ପତ୍ନୀ ମମତା(୩୫) ଓ ରବୀନ୍ଦ୍ର ନାୟକଙ୍କ ପତ୍ନୀ ଲତାମଣୀ(୨୮) ଗୁରୁତର ଆହତ ହୋଇ ଜିଲ୍ଲା ଡାକ୍ତରଖାନାକୁ ଆସିଛନ୍ତି। ଖବର ପାଇ ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛି। ଉଭୟ ଗ୍ରାମରେ ଦୁଇ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି। ଏନେଇ ସହଦେବଖୁଣ୍ଟା ଥାନା ଦାୟିତ୍ବରେ ଥିବା ଟାଉନ୍‌ ଥାନା ଆଇଆଇସି ସରୋଜିନୀ ନାୟକ କହିଛନ୍ତି କିଏ ଓ କେଉଁ କାରଣରୁ ତାଙ୍କ ଉପ‌ରକୁ ଫାୟାରିଂ କଲେ ସେନେଇ ତଦନ୍ତ ଚାଲିଛି।

ସମ୍ବନ୍ଧିତ ଖବର