ଏଫ୍‌ଏମ୍‌ ମେଡିକାଲ କଲେଜ ଷ୍ଟାଫ୍‌ ନର୍ସ ନିଯୁକ୍ତିରେ ବ୍ୟାପକ ଅନିୟମିତତା!

ତିନିଥର ବଦଳିଛି ପ୍ରାର୍ଥୀଙ୍କ ତାଲିକାO ମନ ଇଚ୍ଛା ବଦଳା ଯାଇଛି ସଂରକ୍ଷଣ ତାଲିକାOଅଧୀକ୍ଷକ କହିଲେ ସବୁ ତାଲିକା ଠିକ୍ ଅଛି

ବାଲେଶ୍ବର: ବାଲେଶ୍ବରର ଫକୀର‌ ମୋହନ ସରକାରୀ ମେଡିକାଲ କଲେଜ ଷ୍ଟାଫ୍‌ ନର୍ସ ନିଯୁକ୍ତି ପ୍ରକ୍ରିୟାରେ ସ୍ବଚ୍ଛତା ଅବଲମ୍ବନ କରାଯାଇ ନାହିଁ। ମନୋନୀତ ତାଲିକା ତିନିଥର ବଦଳା ଯାଇଥିବାବେଳେ ନୂଆ ପ୍ରାର୍ଥୀଙ୍କ ନାମ ଯୋଡ଼ାଯାଇଛି। କେବଳ ସେତିକି ନୁହେଁ, ବିଭିନ୍ନ ବର୍ଗର ପ୍ରାର୍ଥୀଙ୍କ ସଂରକ୍ଷଣ ସଂଖ୍ୟାରେ ମଧ୍ୟ ତାଳମେଳ ନାହିଁ। ତେଣୁ ଏଥିରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଆଶାୟୀ ପ୍ରାର୍ଥୀମାନେ ସଂଗିନ ଅଭିଯୋଗ କରିଛନ୍ତି। କେତେକ ନ୍ୟସ୍ତ ସ୍ବାର୍ଥ ଲୋକଙ୍କ ପ୍ରରୋଚନାରେ ପଡ଼ି ମେଡିକାଲ କଲେଜର ଅଧୀକ୍ଷକ ଏଭଳି କରିଥିବା ଅଭିଯୋଗ ଆସିଥିବାବେଳେ ଏହାର ନିରପେକ୍ଷ ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି।
ଉଲ୍ଲେଖଯୋଗ୍ୟ ଯେ ଚଳିତ ବର୍ଷ ଉଦ୍‌ଘାଟିତ ହୋଇଥିବା ଫକୀର ମୋହନ ମେହିକାଲ କଲେଜରେ ୧୦୭ ଜଣ ଷ୍ଟାଫ ନର୍ସ ଓ ଅନ୍ୟାନ୍ୟ ପଦରେ ନିଯୁକ୍ତି ପାଇଁ ଗତ ମେ’ ୯ ତାରିଖରେ ମେଡିକାଲ କଲେଜ ତରଫରୁ ବିଜ୍ଞପ୍ତି (ନଂ ୨୭୮/ଏସ୍‌/ଜିଏମ୍‌ସିଏଚ୍‌ବି) ପ୍ରକାଶ ପାଇଲା। ଏଥିପାଇଁ ସାରା ରାଜ୍ୟରୁ ଶତାଧିକ ପ୍ରାର୍ଥୀ ଆବେଦନ କରିଲେ। ଆବେଦନକାରୀଙ୍କ ମଧ୍ୟରୁ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ କରିବା ପାଇଁ ମେଡିକାଲ କଲେଜ ଅଧୀକ୍ଷକଙ୍କ ଅଧ୍ୟକ୍ଷତାରେ ଏକ ୫ ଜଣିଆ କମିଟି ଗଠନ କରା ଯାଇଥିଲା। ଏହି କମିଟିରେ ଜିଲ୍ଲାପାଳଙ୍କ ପ୍ରତିନିଧିଭାବେ ଜିଲ୍ଲା ଶିଳ୍ପ କେନ୍ଦ୍ରର ମହାପ୍ରବନ୍ଧକ, ମେଡିକାଲ କଲେଜର ଡିନ୍‌, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଓ ମେଡିକାଲ କଲେଜ ପ୍ରଶାସନିକ ଅଧିକାରୀ ରହିଥିଲେ। ମାତ୍ର ଏହି ସମସ୍ତ ଦାୟିତ୍ବ ସଂପନ୍ନ ଅଧିକାରୀଙ୍କ ଦ୍ବାରା କରାଯାଇଥିବା ଚୟନ ତାଲିକା ବାରମ୍ବାର ବଦଳା ଯାଇଥିବାରୁ ସାଧାରଣରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି।
ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଷ୍ଟାଫ୍‌ ନର୍ସ ପାଇଁ ଆବେଦନକାରୀ ପ୍ରାର୍ଥୀମାନଙ୍କ ମଧ୍ୟରୁ ବିଜ୍ଞପ୍ତିରେ ୧୦୨ ଜଣ ପ୍ରାର୍ଥୀମାନଙ୍କ ଏକ ମେରିଟ୍‌ ଲିଷ୍ଟ ପ୍ରକାଶ କରାଯାଇ ପ୍ରାର୍ଥୀମାନେ ଅକ୍ଟୋବର ୯ ରୁ ୧୨ ତାରିଖ ମଧ୍ୟରେ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ‌ପ୍ରମାଣପତ୍ର ଯାଞ୍ଚ କରିବାକୁ ଉଲ୍ଲେଖ କରା ଯାଇଥିଲା। ମେରିଟ୍‌ ଲିଷ୍ଟରେ ଥିବା ପ୍ରାର୍ଥାମାନେ ମଧ୍ୟ ଅକ୍ଟୋବର ୯ ତାରିଖରେ ପହଞ୍ଚି ତାଙ୍କର ପ୍ରମାଣପତ୍ର ଦେଖାଇଥିଲେ। ତେବେ ସେଦିନ କେତେକ ପ୍ରାର୍ଥୀ ଅଭିଯୋଗ କରିଲେ ଯେ, ସଂରକ୍ଷଣ ଆଧାରରେ ପ୍ରାର୍ଥୀମାନଙ୍କ ତାଲିକା ପ୍ରସ୍ତୁତ କରାଯାଇ ନାହିଁ। ଏହାକୁ ନେଇ ସେମାନେ ହୋହଲ୍ଲା କରିବାରୁ ଏହି ଦିନ ହେବାକୁ ଥିବା କାର୍ଯ୍ୟକ୍ରମକୁ ସ୍ଥଗିତ କରାଯାଇ ପରବର୍ତ୍ତୀ ତାଲିକା ୧୨ ତାରିଖରେ ପ୍ରକାଶ କରାଯିବ ବୋଲି ବିଜ୍ଞପ୍ତି ପ୍ରକାଶ କରାଗଲା। ‌କିନ୍ତୁ ଅକ୍ଟୋବର ୧୨ ତାରିଖ ବଦଳରେ ୧୫ ତାରିଖରେ ଆଉ ଏକ ବିଜ୍ଞପ୍ତି ପ୍ରକାଶ କରାଗଲା ଯେ, ଖବର କାଗଜରେ ବିଜ୍ଞାପନ ଦେଇ ପ୍ରାର୍ଥୀମାନଙ୍କ ତାଲିକା ପ୍ରକାଶ କରାଯିବ। ନଭେମ୍ବର ୨ ତାରିଖରେ ଆନେକ୍ସଶ୍ଚର ‘ଇ’ରେ ୧୦୩ ଜଣ ଷ୍ଟାଫ ନର୍ସ ଓ ଆନେକ୍ସଶ୍ଚର ଏରେ ୧୪୧୭ ଜଣ ଷ୍ଟାଫ ନର୍ସ ପ୍ରାର୍ଥୀଙ୍କର ପୁଣି ଏକ ତାଲିକା ପ୍ରକାଶ ପାଇଲା। ଏହାପରେ ନଭେମ୍ବର ୨ ତାରିଖର ତାଲିକାକୁ ୬ ତାରିଖରେ ପୁଣି ପରିବର୍ତ୍ତନ କରାଯାଇ ୧୦୩ଜଣ ପ୍ରାର୍ଥୀଙ୍କ ତାଲିକା ଥିବା ପୁଣି ଏକ ବିଜ୍ଞପ୍ତି ପ୍ରକାଶ କରାଗଲା। ଏହି ବିଜ୍ଞପ୍ତିରେ ପ୍ରାର୍ଥୀମାନଙ୍କୁ ବାଲେଶ୍ବର ଆସି ଆଜିଠାରୁ ୧୨ ତାରିଖ ପର୍ଯ୍ୟନ୍ତ ସେମାନଙ୍କ ପ୍ରମାଣପତ୍ର ଯାଞ୍ଚ କରିବାକୁ କୁହାଗଲା। ତେବେ ଏହି ତାଲିକା ପ୍ରସ୍ତୁତିରେ ମଧ୍ୟ ଅନେକ ବ୍ୟତିକ୍ରମ ଥିବା ପରିଲକ୍ଷିତ ହୋଇଛି।
ମୀନାକ୍ଷି ଶେଷାଦ୍ରୀ ନାମ୍ନୀ ଜଣେ ଆବେଦନକାରୀ ଅଭିଯୋଗ କରିଛନ୍ତି ଯେ, ପ୍ରଥମ ତାଲିକାରେ ତାଙ୍କର କ୍ରମିକ ନଂ ୫୯ରେ ଥିଲା, ଦ୍ବିତୀୟ ତାଲିକାରେ ଏହା ୬୨ରେ ରହିଲା(ଆନେକ୍ସଶ୍ଚର ‘ଇ’)। କିନ୍ତୁ ନଭେମ୍ବର ୬ରେ ବାହାରିଥିବା ବଦଳା ଯାଇଥିବା ତାଲିକାରେ ତାଙ୍କର ନାମ ନାହିଁ। କିନ୍ତୁ କ୍ରମିକ ନଂ ୫୪, ୫୫, ୫୬ରେ ଥିବା ନାମ ଗୁଡ଼ିକ ପୂର୍ବ ପ୍ରକାଶିତ ତାଲିକାରେ ନଥିବା ବେଳେ ହଠାତ କେମିତି ସେମାନଙ୍କ ନାମ ପ୍ରକାଶ ପାଇଲା ବୋଲି ସେ ପ୍ରଶ୍ନ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ୧୦୭ଟି ପଦ ପାଇଁ ବିଜ୍ଞପ୍ତି ପ୍ରକାଶପାଇଥିବା ବେଳେ କେବଳ ୧୦୩ ଜଣ ପ୍ରାର୍ଥୀଙ୍କ ନାମ କାହିଁକି ପ୍ରକାଶ କରାଯାଇଛି? ସେହିଭଳି ପ୍ରଥମ ତାଲିକାରେ ୫୩ ନଂ କ୍ରମିକରେ ଥିବା କାର୍ତ୍ତିକ ଚନ୍ଦ୍ର ବାରିକ ଅଭିଯୋଗ କରିଛନ୍ତି ଯେ, ନଭେମ୍ବର ୨ ତାରିଖରେ ପ୍ରକାଶିତ ତାଲିକାରେ ତାଙ୍କ ନାମ ୫୭ କ୍ରମିକ ନଂରେ ଥିବା ବେଳେ ତାଙ୍କଠାରୁ କମ ପ୍ରତିଶତ ନମ୍ବର ରଖିଥିବା ସୁନିତା ନାୟକଙ୍କ ନାମ ୬ ତାରିଖରେ ବଦଳାଯାଇ ପ୍ରକାଶିତ ତାଲିକାର କ୍ରମିକ ନଂ ୬୧ରେ ସ୍ଥାନ ପାଇଛି। ତାହା କିଭଳି ହୋଇଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଅନ୍ୟତମ ଆବେଦନକାରୀ ସାରଣା ବରାଳ ଅଭିଯୋଗ କରିଛନ୍ତି ଯେ, ତାଙ୍କର ଅଭିଜ୍ଞତାକୁ ଚୟନରେ ବିବେଚନା କରାଯାଇ ନାହିଁ।
ଏ ନେଇ ମେଡିକାଲ କଲେଜର ଅଧୀକ୍ଷକ ଡା. ସୁଧୀର କୁମାର ଘୋଷଙ୍କୁ ପଚାରିବାରୁ ସେ କହିଥିଲେ ଯେ, ପ୍ରଥମ ତାଲିକା ସଂରକ୍ଷଣ ନିୟମ ଅନୁସାରେ ପ୍ରସ୍ତୁତ କରାଯାଇ ନ ଥିବାରୁ ତାହାକୁ ସଂରକ୍ଷଣ ଭିତ୍ତିରେ ପ୍ରସ୍ତୁତ କରାଯାଇ ଦ୍ବିତୀୟ ତାଲିକା ପ୍ରକାଶ ପାଇଥିଲା। ପ୍ରଥମ ତାଲିକାରେ ୩ ଜଣ ପ୍ରାର୍ଥୀଙ୍କ ନାମ ମହିଳା ତାଲିକାରେ ଭୁଲରେ ସ୍ଥାନ ପାଇଥିଲା। ତେଣୁ ଚୂଡ଼ାନ୍ତ ତାଲିକାରେ ସେମାନଙ୍କ ନାଁକୁ ଯୋଡ଼ାଗଲା। ସମସ୍ତ ତାଲିକା ଠିକ୍‌ ଅଛି। ଯଦି କାହାର ଅଭିଯୋଗ ଅଛି ତେବେ ସେମାନେ ଲିଖିତ ଅଭିଯୋଗ କରିଲେ ତାହାକୁ ଯାଞ୍ଚ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର