ପରିବର୍ତ୍ତନ ନ ଆସିଲେ ଆମକୁ ବିଦା କରିଦେବେ: ନବଜ୍ୟୋତି

ଭୋଗରାଇରେ କଂଗ୍ରେସର ରୋଡ୍‌ ସୋ’, ବିପୁଳ ସମର୍ଥନ

ଭୋଗରାଇ/ କମର୍ଦ୍ଦା: ବାଲେଶ୍ବର ଜିଲ୍ଲାରେ କଂଗ୍ରେସକୁ ୫ ବର୍ଷ ପାଇଁ ସୁଯୋଗ ଦିଅନ୍ତୁ। ଦେଖିବେ ଜିଲ୍ଲାରେ ଶିଳ୍ପ, ସ୍ବାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ନିଶ୍ଚିତ ପରିବର୍ତ୍ତନ ହେବ। ପରିବର୍ତ୍ତନ ନ ହେଲେ ଆମକୁ ବିଦା କରିଦେବେ ବୋଲି ଆଜି ଭୋଗରାଇ ନିର୍ବାଚନ ମଣ୍ଡଳୀରେ ପ୍ରଚାର ସମୟ‌ରେ ବାଲେଶ୍ବର ଲୋକସଭା ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ କହିଛନ୍ତି।
ଭୋଗରାଇ ନିର୍ବାଚନ ମଣ୍ଡଳୀର ନାଚିନ୍ଦାରେ ଏକ ବିଶାଳ ରୋଡ୍‌ ସୋ’ରୁ କଂଗ୍ରେସ ପକ୍ଷରୁ ଆଜିର ପ୍ରଚାର ଆରମ୍ଭ ହୋଇଥିଲା। ଏଥିରେ ଲୋକସଭା ପ୍ରାର୍ଥୀ ଶ୍ରୀ ପଟ୍ଟନାୟକଙ୍କ ସହ ବିଧାନସଭା ପ୍ରାର୍ଥୀ ସତ୍ୟଶିବ ଦାସ ସାମିଲ ହୋଇ ସେମାନଙ୍କୁ ବିପୁଳ ସଂଖ୍ୟାରେ ଭୋଟ୍‌ ଦେଇ ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ। ଅପରାହ୍ନରେ ବ୍ଲକ୍‌ର ୩୦ ଓ ୩୨ ନଂ ଜୋନ୍‌ରେ ରୋଡ୍‌ ସୋ’ ଓ ପ୍ରଚାର କରାଯାଇଥିଲା। ଏନେଇ ଆୟୋଜିତ ବିଶାଳ ମୋଟର ସାଇକେଲ ରାଲିରେ ଲୋକସଭା ପ୍ରାର୍ଥୀ ଶ୍ରୀ ପଟ୍ଟନାୟକ ଓ ବିଧାୟକ ପ୍ରାର୍ଥୀ ଶ୍ରୀ ଦାସଙ୍କ ସହ ହଜାର ହଜାର କର୍ମୀ ଉପସ୍ଥିତ ଥି‌ଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ସାଂସଦ ଡ. କାର୍ତ୍ତିକେଶ୍ବର ପାତ୍ର, ୩୨ ନଂ ଜୋନ୍‌ ସଭାପତି କାର୍ତ୍ତିକ ଚନ୍ଦ୍ର ପାତ୍ର, ୩୦ ନଂ ଜୋନ୍‌ ସଭାପତି ରାଜେନ୍ଦ୍ର ପଣ୍ଡା, ୬ଟି ଜୋନ୍‌ର ସଭାପତି ସନ୍ତୋଷ କୁମାର ଜେନା, ସୁମନ୍ତ ବେହେରା, ପ୍ରଦୀପ ନାୟକ, ରବୀନ୍ଦ୍ର ନାଥ ପ୍ରଧାନଙ୍କ ସହ ୨୦ଟି ପଞ୍ଚାୟତର କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।
ମହାଗବ ହାଟ ପଡ଼ିଆରେ ଆୟୋଜିତ ସଭାରେ ଲୋକସଭା ପ୍ରାର୍ଥୀ ଶ୍ରୀ ପଟ୍ଟନାୟକ ଓ ବିଧାୟକ ପ୍ରାର୍ଥୀ ଶ୍ରୀ ଦାସ ଯୋଗଦେଇ ଭୋଗରାଇର ବିକାଶ ପାଇଁ ପରିବର୍ତ୍ତନର ଆବଶ୍ୟକତା ଥିବାରୁ କଂଗ୍ରେସକୁ ବିପୁଳ ସଂଖ୍ୟାରେ ଭୋଟଦେବାକୁ ଅନୁରୋଧ କରିଥିଲେ। ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ଗରିବୀରୁ ମୁକ୍ତି ପାଇଁ କଂଗ୍ରେସ ‘ନ୍ୟାୟ’ ଯୋଜନାକୁ ନେଇ ଜନତାଙ୍କ ପାଖରେ ଭୋଟ୍‌ ଭିକ୍ଷା କରୁଥିଲା ବେଳେ ବିଜେଡି ଓ ବିଜେପି ମୁଦ୍ଦା ବିହୀନ ହୋଇଛନ୍ତି। ଭୋଗରାଇ ବୁଦ୍ଧିଜୀବୀ ଓ ସାହିତ୍ୟିକଙ୍କ ମାଟି। କିନ୍ତୁ ଏଠାରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ଭୁଶୁଡ଼ି ପଡ଼ିଛି। ଗତ ୧୯ ବର୍ଷରେ କୌଣସି ବି ଆଖିଦୃଶିଆ ଉନ୍ନତିମୂଳକ କାର୍ଯ୍ୟ ହୋଇନାହିଁ। ଏଠାରେ ଶିଳ୍ପ ନାହିଁ କି ଭୋଗରାଇ ବ୍ଲକ୍‌ର ପ୍ରମୁଖ ପର୍ଯ୍ୟଟନସ୍ଥଳୀଗୁଡ଼ିକର ବିକାଶ ହୋଇନାହିଁ। କଂଗ୍ରେସ ହିଁ କେବଳ ବିକାଶ ଓ ପରିବର୍ତ୍ତନର ବାର୍ତ୍ତାବହ। ତେଣୁ କଂଗ୍ରେସକୁ ୫ ବର୍ଷ ସୁଯୋଗ ଦେବାପାଇଁ ଶ୍ରୀ ପଟ୍ଟନାୟକ ଓ ଶ୍ରୀ ଦାସ ଦିବେଦନ କରିଥିଲେ।

ସମ୍ବନ୍ଧିତ ଖବର