କଂଗ୍ରେସକୁ ଫେରିବେ କାର୍ତିକେଶ୍ୱର ପାତ୍ର

ବାଲେଶ୍ୱର : ବାଲେଶ୍ୱରରୁ ପୂର୍ବତନ ସାଂସଦ ଡ.କାର୍ତ୍ତିକେଶ୍ୱର ପାତ୍ର ତାଙ୍କର ସମର୍ଥକଙ୍କ ସହ କଂଗ୍ରେସରେ ପୁନର୍ବାର ଯୋଗ ଦେବେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ଏଥିପାଇଁ ଆସନ୍ତା ୬ ତାରିଖରେ ପିସିସି ପକ୍ଷରୁ ଭୁବନେଶ୍ୱର କଂଗ୍ରେସ ଭବନଠାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହେବାକୁ ଯାଉଛି।

୨୦୧୪ ନିର୍ବାଚନରେ ଜୟଦେବ ଜେନା ଓ ଶ୍ରୀକାନ୍ତ ଜେନାଙ୍କ ନେତୃତ୍ୱକୁ ବିରୋଧ କରି ରାଜ୍ୟର ବହୁ ବରିଷ୍ଠ କଂଗ୍ରେସ ନେତା ଦଳ ଛାଡ଼ିଥିଲେ। ଏପରିକି କିଛି ନେତା ଅନ୍ୟ ଦଳର ଟିକଟରେ ନିର୍ବାଚନ ମଧ୍ୟ ଲଢ଼ିଥିଲେ। ସେମାନଙ୍କ ମଧ୍ୟରୁ ଭୋଗରାଇର ପୂର୍ବତନ ବିଧାୟକ ତଥା ବାଲେଶ୍ୱରର ପୂର୍ବତନ ସାଂସଦ ଡ.କାର୍ତ୍ତିକେଶ୍ୱର ପାତ୍ର ତୃଣମୂଳ କଂଗ୍ରେସ ଟିକଟରେ ବାଲେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ।

ଏ ନେଇ ଡ.ପାତ୍ରଙ୍କୁ ଯୋଗାଯୋଗ କରାଯିବାରୁ ସେ କଂଗ୍ରେସକୁ ଫେରୁଥିବା ଖବରକୁ ସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ ନିରଞ୍ଜନବାବୁଙ୍କ ନେତୃତ୍ୱକୁ ସମର୍ଥନ ଜଣାଇ ତାଙ୍କ ସହ ଗତ ନିର୍ବାଚନରେ ତୃଣମୂଳ କଂଗ୍ରେସରୁ ବାଲେଶ୍ୱରର ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଥିବା ଅଧିକାଂଶ ନେତା ଓ ତାଙ୍କ ସମର୍ଥକ ସହ ଆସନ୍ତା ୬ ତାରିଖରେ କଂଗ୍ରେସରେ ଯୋଗ ଦେବେ। ତୃଣମୂଳ କଂଗ୍ରେସ ଟିକଟରେ ବାଲେଶ୍ୱର ସଦରରୁ ପ୍ରାର୍ଥୀ ହୋଇଥିବା ଅର୍ଚ୍ଚନା ନନ୍ଦୀ, ରେମୁଣାର ରଘୁନାଥ ମଲ୍ଲିକ, ବସ୍ତାର ମଦନମୋହନ ଜେନା, ନୀଳଗିରିର ଲକ୍ଷ୍ମଣ ସିଂ ଏବଂ ବଡ଼ସାହିର ଡ.ହରିଶ ବେହେରା ପ୍ରମୁଖ କଂଗ୍ରେସକୁ ଫେରିବାକୁ ସମ୍ମତି ଦେଇଛନ୍ତି।

ଡ.ପାତ୍ରଙ୍କ କଂଗ୍ରେସକୁ ଫେରିବା ଖବର ଏବେ ଜିଲ୍ଲାର ରାଜନୈତିକ ମହଲରେ ଚର୍ଚାର ବିଷୟ ହୋଇଥିଲେ ମଧ୍ୟ ଏ ନେଇ କୌଣସି ପ୍ରମୁଖ କଂଗ୍ରେସ ନେତା ମୁହଁ ଖୋଲି ନାହାନ୍ତି। ଡ.ପାତ୍ରଙ୍କ ଘରବାହୁଡ଼ାର ପ୍ରଭାବ ଜିଲ୍ଲା କଂଗ୍ରେସ ରାଜନୀତି ଉପରେ କ’ଣ ପ୍ରଭାବ ପକାଇବ ତାହା ଏଯାଏ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ଭୋଗରାଇ କଂଗ୍ରେସ ରାଜନୀତିରେ ଏହା ଏକ ନୂତନ ସମୀକରଣ ସୃଷ୍ଟି କରିବ ବୋଲି ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର