ଖଇରାରେ ବିଜେଡିର ମିଶ୍ରଣ ପର୍ବ ସମର୍ଥକଙ୍କ ସହ ଶଙ୍ଖ ଧରିଲେ ଶଶି

ଖଇରା: ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେବା ଘଟଣା ପରେ ସିମୁଳିଆରେ ସୃଷ୍ଟି ହୋଇଥିବା ରାଜନୈତିକ ସମୀକରଣ  ପୁଣି ଏକ ନୂଆ ମୋଡ଼ ନେଇଛି। ଗତ ନିର୍ବାଚନରେ ବିଜେପି ପ୍ରାର୍ଥୀ ହୋଇଥିବା ଶଶି କୁମାର ସାହୁ ନିଜର ବହୁ ସମର୍ଥକଙ୍କ ସହ ବିଜେଡିରେ ଯୋଗ ଦେଇଛନ୍ତି। ସେତେବେଳେ ପଦ୍ମଲୋଚନଙ୍କ ବିଜେପିରେ ଯୋଗଦାନକୁ ଶଶି କୁମାର ସାହୁ ଘୋର ବିରୋଧ କରିଥିଲେ। ସେ ଦଳ ବଦଳାଇବେ ନା ବିଜେପିରେ ରହିବେ, ସେନେଇ ପ୍ରଶ୍ନବାଚୀ ମଧ୍ୟ ସୃଷ୍ଟି ହୋଇଥିଲା।
ଆଜି ଖଇରା ବ୍ଲକ୍‌ କୁପାରୀ ପଞ୍ଚାୟତ ପଡ଼ିଆରେ ଏକ ମିଶ୍ରଣ ପର୍ବ ଆୟୋଜନ ହୋଇଥିଲା। ବିଜେଡି ନେତୃବୃନ୍ଦଙ୍କ ଏକ ଶୋଭାଯାତ୍ରା ଗଣ୍ଡିବେଡ଼ରୁ ବାହାରି ମଞ୍ଚ ନିକଟରେ ପହଂଚିବା ପରେ ବିଜେଡି ଜିଲ୍ଲା ସଭାପତି ରବୀନ୍ଦ୍ର କୁମାର ଜେନାଙ୍କ ପୌରୋହିତ୍ୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଯୋଗଦେଇ ଦଳକୁ ସ୍ୱାଗତ କରିଥିଲେ। ବଡ଼ କଥା ହେଲା ଏହି ମିଶ୍ରଣ ପର୍ବରେ ବର୍ତ୍ତମାନର ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମଧ୍ୟ ଯୋଗଦେଇ ଶଶିଙ୍କ ଯୋଗଦାନ ବିଜେଡିକୁ ସୁଦୃଢ଼ କରିବ ବୋଲି କହିଥିଲେ।
ଅନ୍ୟପକ୍ଷରେ ବିଜେଢିରେ ମିଶିବା ପରେ ଶ୍ରୀ ସାହୁ ତାଙ୍କ ଭାଷଣରେ ଦଳ ପ୍ରତି ନିଜର ଆନୁଗତ୍ୟ ପ୍ରଦର୍ଶନ କରିଥିଲେ। ସେ ଶୃଙ୍ଖଳା ରକ୍ଷା କରି କାର୍ଯ୍ୟ କରିବା ସହ ଦଳ ଯେଉଁ ଦାୟିତ୍ୱ ଦେବ; ତାକୁ ସୁଚାରୁ ଭାବେ ପାଳନ କରିବା ଏକମାତ୍ର ଲକ୍ଷ୍ୟ ହେବ ବୋଲି କହିଥିଲେ। ବିଜେଡି ଜିଲ୍ଲା ସଭାପତି ଶ୍ରୀ ଜେନା ତାଙ୍କ ଭାଷଣରେ ସିମୁଳିଆରେ ଦଳୀୟ ସ୍ଥିତି ମଜବୁତ କରିବା ପାଇଁ ସମସ୍ତ ନେତା ଓ କର୍ମୀଙ୍କୁ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଭଦ୍ରକ ସାଂସଦ ଅର୍ଜୁନ ଚରଣ ସେଠୀ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗିରୀଶ ଦାସ, ବିଜୁଯୁବ ଜନତା ଦଳର ରାଜ୍ୟ ଉପଦେଷ୍ଟା ଯଯାତି ଦାସ, ସଦର ବିଧାୟକ ଜୀବନପ୍ରଦୀପ ଦାସ, ବଡସାହି ବିଧାୟକ ଗଣେଶ୍ୱର ପାତ୍ର, ସୋର ବିଧାୟକ ପର୍ଶୁରାମ ଧଡ଼ା, ବ୍ଲକ୍‌ ଅଧ୍ୟକ୍ଷା ଅଭିଲିପ୍ସା ସାହୁ, ପୂର୍ବତନ ସରପଞ୍ଚ ଗଜେନ୍ଦ୍ର ପ୍ରସାଦ ଦାସ, ଜିଲ୍ଲା ପରିଷଦ ସଭ୍ୟା ଲୋପାମୁଦ୍ରା ଧର, ବିଜେଡି ସିମୁଳିଆ ବ୍ଲକ୍‌ ସଭାପତି ଗୌରାଙ୍ଗ ପାଢ଼ୀ, ଖଇରା ବ୍ଲକ୍‌ ସଭାପତି ବ୍ରଜକିଶୋର ମହାନ୍ତି ପମୁଖ ଉପସ୍ଥିତ ଥିଲେ। ଆଜିର ଏହି ମିଶ୍ରଣ ପର୍ବରେ ଶ୍ରୀ ସାହୁଙ୍କ ସହ ବିଜେପି ମଣ୍ଡଳ ସଭାପତି ଗଜେନ୍ଦ୍ର ପ୍ରସାଦ ଦାସ, ହରିପୁର ସମିତିସଭ୍ୟା ଚମ୍ପାବତୀ ପଣ୍ଡା, ନନ୍ଦୋର ସରପଞ୍ଚ ସୁରେନ୍ଦ୍ର ନାୟକ, ଶୁକଦେବ ପଣ୍ଡା, ଗରସଙ୍ଗ ସମିତିସଭ୍ୟ ରାଜେନ୍ଦ୍ର ଜେନା, ଦିଲ୍ଲୀପ ଗିରି, ଶ୍ରୀଧର ତ୍ରିପାଠୀଙ୍କ ସହ ବିଭିନ୍ନ ପଞ୍ଚାୟତର ୱାର୍ଡସଭ୍ୟ, ସେବା ସମବାୟ ସମିତିର ସଭାପତି, ବିଭିନ୍ନ ପଞ୍ଚାୟତର ସଭାପତି ପ୍ରମୁଖ ବିଜେଡିରେ ଯୋଗଦାନ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର