ରାଇସ୍‌ ମିଲ୍‌ରେ ଶ୍ରମିକଙ୍କ ସଂଦେହଜନକ ମୃତ୍ୟୁ  :କ୍ଷତିପୂରଣ ଦାବିରେ ଶବ ରଖି ଜାତୀୟରାଜପଥ ଅବରୋଧ

0

ବାହାନଗା/ଗୋପାଳପୁର: କାମ କରୁଥିବା ବେଳେ ଜଣେ ଶ୍ରମିକଙ୍କ ସଂଦେହଜନକ ମୃତ୍ୟୁ ହୋଇଛି। ଏନେଇ ସହଶ୍ରମିକ ଓ ପରିବାରବର୍ଗ କ୍ଷତିପୂରଣ ଦାବିରେ ଶବ ରଖି ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଏମିତି ଏକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍‌ରେ।
ସୂଚନା ଅନୁସାରେ; ଖନ୍ତାପଡ଼ା ପଞ୍ଚାୟତ ସୁଠଙ୍ଗଠାରେ ଥିବା ମା’ ଦୁର୍ଗା ରାଇସ୍‌ ମିଲ୍‌ କିଛିଦିନ ହେବ ବନ୍ଦ ଥିଲା। ତେବେ ୮ ମାସ ହେବ ଏହା କାର୍ଯ୍ୟକ୍ଷମ ହୋଇଛି। ଉକ୍ତ ମିଲ୍‌ରେ ବସ୍ତା ଥାନା କୁରାଡ଼ିହା ଗ୍ରାମ ମଲ୍ଲି ସାହିର ହରିହର ବାରିକଙ୍କ ପୁଅ ମନ୍ମଥ (୨୫) ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ତେବେ ଗତକାଲି ମଧ୍ୟରାତିରେ ମନ୍ମଥ କୌଣସି କାରଣରୁ ଗୁରୁତର ହୋଇପଡ଼ିଥିଲେ। କାର୍ଯ୍ୟରତ ଅନ୍ୟ ଶ୍ରମିକ ଓ ମିଲ୍‌ କର୍ମଚାରୀ ମନ୍ମଥଙ୍କୁ ବାଲେଶ୍ୱର ସଦର ହସ୍ପିଟାଲ୍‌କୁ ନେଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପ୍ରଚାରିତ ହେବା ପରେ ସହଶ୍ରମିକ ଓ ପରିବାରବର୍ଗ କ୍ଷତିପୂରଣ ଦାବିରେ ମୃତଦେହ ରଖି ଜାତୀୟ ରାଜପଥ କରିଥିଲେ। ଖନ୍ତାପଡ଼ା ପୁଲିସ ପହଂଚି ପରିସ୍ଥିତିକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲା। ଏହି ସମୟରେ ଅବରୋଧକାରୀ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ଦେଖିବାକୁ ମିଳିଥିଲା। ତେବେ ବୁଝାସୁଝା ପରେ ସମସ୍ତେ ଶାନ୍ତ ପଡ଼ିଥିଲେ। ଯାହା ଜଣାପଡ଼ିଛି; ହରିହରଙ୍କ ଏତଲା କ୍ରମେ ଥାନାରେ ୧୦୬/୧୯ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିବା ଆଶଂକାରେ ଖନ୍ତାପଡ଼ା ଥାନାଧିକାରୀ ଶ୍ରୀବଲ୍ଲଭ ସାହୁ, ସୋର ଥାନାଧିକାରୀ କ୍ଷମାସାଗର ପଣ୍ଡା, ଏସ୍‌ଆଇ ଲିଲି ନାୟକ, ବନିତା ନାୟକ, ଏଏସ୍‌ଆଇ ଗୌରହରି ଦାସ, ଶେରଗଡ଼ ଫାଣ୍ଡି ଅଧିକାରୀ ଅଭିମନ୍ୟୁ ଦାସ ପ୍ରମୁଖ ଥାନା ଓ ମିଲ୍‌ ଉପରେ ନଜର ରଖିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.