ମନସା ପୂଜା ବେଳେ ଲକ୍ଷ୍ମଣନାଥରେ ଅଘଟଣ:ଧରାଶାୟୀ ହେଲା ପୁରୁଣା ଅଶ୍ୱତ୍‌ଥ ଗଛ

୨ ଘର ଭାଙ୍ଗିଲା, ଅଳ୍ପକେ ବର୍ତ୍ତିଲେ ଶତାଧିକ ଶଦ୍ଧାଳୁ

ଜଳେଶ୍ୱର: ଜଳେଶ୍ୱର ବ୍ଲକ ଅଧୀନ ଲକ୍ଷ୍ମଣନାଥ ଗ୍ରାମରେ ମା’ ମନସା ଦେବୀଙ୍କ ପୂଜା ବେଳେ ଅଘଟଣ ଘଟିଛି। ଏକ ପୁରୁଣା ଅଶ୍ୱତ୍‌ଥ ଗଛ ଧରାଶାୟୀ ହେବରୁ ୨ଟି ଘର ଭାଙ୍ଗିଯାଇଛି। ଏପରିକି ଏହି ଗଛଟି ପୂଜାସ୍ଥଳରେ ଧରାଶାୟୀ ହେବାରୁ ସେଠାରେ ଉପସ୍ଥିତ ଦେଢ଼ଶହରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଲକ୍ଷ୍ମଣନାଥଗଡ଼କୁ ଯିବା ରାସ୍ତା ବି ଅବରୋଧ ହୋଇରହିଛି।
ଲକ୍ଷ୍ମଣନାଥ ଭଗବତୀ ମନ୍ଦିର ନିକଟରେ ଥିବା ଅଶ୍ୱତ୍‌ଥ ଗଛମୂଳରେ ଆଜି ମଧ୍ୟାହ୍ନ ସମୟରେ ପ୍ରଥମେ ଶିଳା ପୂଜା ଆରମ୍ଭ ହୋଇଥିଲା। ଶିଳା ପୂଜା ଶେଷ ହେବା ସୁସଜ୍ଜିତ ତୋରଣ ମଧ୍ୟରେ ମା’ ମନସାଙ୍କ ପୂଜାପାଇଁ ପ୍ରସ୍ତୁତି ଚାଲିଥିଲା। ସେତେବେଳେ ସେଠାରେ ଦେଢ଼ଶହରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ମଧ୍ୟ ପୂଜାଥାଳ ଧରି ଉପସ୍ଥିତ ଥିଲେ। ତେବେ ଏହି ସମୟରେ ହଠାତ୍‌ ହଠାତ୍‌ ବିରାଟକାୟ ଅଶ୍ୱତ୍‌ଥ ଗଛଟି ହଲିବା ଆରମ୍ଭ ହେବା ସହ ଧରାଶାୟୀ ହୋଇଥିଲା। ଗଛତଳେ ପଡ଼ୁଥିବା ଜାଣି ଭୟରେ ଶ୍ରଦ୍ଧାଳୁମାନେ ପୂଜାଥାଳି ଛାଡ଼ି ସେଠାରୁ ଦୌଡ଼ି ପଳାଇଥିଲେ। ଗଛପଡ଼ି ତୋରଣଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା ବେଳେ ପାଖରେ ଥିବା ଧନୁ କିସ୍କୁ ଓ ସିଦ୍ଧୁ କିସ୍କୁଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ଏହି ସମୟରେ ଧନୁ ଓ ସିଦ୍ଧୁଙ୍କ ପରିବାର ଲୋକେ ଘର ଭିତରେ ଥିବା ବେଳେ ସେମାନେ ପଦାକୁ ଦୌଡ଼ି ଆସିଥିଲେ। ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସରପଞ୍ଚ ବବିତା ରାଉତ, ଯୁବନେତା ବ୍ରଜଗୋପାଳ ରାଉତ, ଜିତେନ୍ଦ୍ର ଦାସ, ଶିବିର ଓଝା ପ୍ରମୁଖ ଏ ନେଇ ଅତିରିକ୍ତ ତହସିଲଦାରଙ୍କ ସହ ଆଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର