ଗଞ୍ଜେଇ ବେପାରୀକୁ ୧୦ବର୍ଷ ଜେଲ୍‌ଦଣ୍ଡ

ବାଲେଶ୍ୱର : ବାଲେଶ୍ୱର ସ୍ୱତନ୍ତ୍ର ଅଦାଲତ ଆଜି ଜଣେ ଗଂଜେଇ ବେପାରୀକୁ ୧୦ ବର୍ଷ ଜେଲ୍‌ଦଣ୍ଡ ଶୁଣାଇଛନ୍ତି। ଅଭିଯୁକ୍ତ ଜଣକ ହେଲେ ସୋର ଥାନା ଅଧୀନ ପାଇକସାହିର ଫିରୋଜୁଲ ଅଖ୍‌ତାର ଅମନ୍‌।

ମାମଲାର ବିବରଣୀ ଅନୁଯାୟୀ ୨୦୧୪ ଅଗଷ୍ଟ ୨୩ ତାରିଖ ଦିନ ଫିରୋଜୁଲ ମାରୁତି ୮୦୦ କାର୍‌ ଓଆର-୦୨-ଏଚ-୬୦ରେ ଗଞ୍ଜେଇ ଭର୍ତ୍ତି କରି ଘରକୁ ଫେରୁଥିଲେ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସୋର ଥାନା ପୁଲିସ ତାଙ୍କ ଘରେ ଚଢ଼ଉ କରିଥିଲେ। ଫିରୋଜୁଲ କାରରୁ ଗଞ୍ଜେଇ ବସ୍ତା ବାହାର କରିବା ବେଳେ ପୁଲିସ ତାଙ୍କୁ କାବୁ କରିଥିଲା। ଖାନତଲାସ ବେଳେ କାର୍‌ରୁ ୨ଟି ବସ୍ତାରୁ ୪୫କେଜି ଗଞ୍ଜେଇ ମିଳିଥିଲା। ଗାଡ଼ିରେ ଗଂଜେଇ ଓଜନ ପାଇଁ ତରାଜୁ ଓ ବଟକରା ସହ ବିକ୍ରିଲବ୍ଧ ୬୩ ହଜାର ଟଙ୍କା ମଧ୍ୟ ଜବତ ହୋଇଥିଲା। ଫିରୋଜୁଲକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜାମିନ ନାମଂଜୁର ହେବାରୁ ଅଭିଯୁକ୍ତକୁ ଜେଲକୁ ପଠାଇ ଦିଆଯାଇଥିଲା। ଏ ନେଇ ବାଲେଶ୍ୱର ସ୍ୱତନ୍ତ୍ର ଅଦାଲତରେ କେସ୍‌ ନମ୍ବର ୧୧୬/୭୧/୨୦୧୪ରେ ମାମଲା ରୁଜୁ ହୋଇ ବିଚାର ଚାଲିଥିଲା।

ଏହି ମାମଲାର ଚୂଡ଼ାନ୍ତ ରାୟ ଆଜି ପ୍ରକାଶ ପାଇଛି। ଜିଲ୍ଲା ଅତିରିକ୍ତ ଦୌରାଜଜ୍‌ ଦେବାଶିଷ ରାଉତ ମାମଲାର ବିଚାର କରି ଫିରୋଜୁଲକୁ ୧୦ବର୍ଷ ସଶ୍ରମ ଜେଲ ଦଣ୍ଡ ସହ ୧ଲକ୍ଷ ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦାୟେ ଅଦାଲତ ଅଧିକ ବର୍ଷେ ଜେଲ୍‌ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଗୌରଚନ୍ଦ୍ର ବାରିକ ଏହି ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର