ପଥରରେ ଛେଚି ହତ୍ୟା, ୩ ଅଟକ

ବାଲେଶ୍ୱର : ପାଖାପାଖି ବର୍ଷେକାଳ ବାଲେଶ୍ୱର ସହର ଶାନ୍ତ ରହିବା ପରେ ପୁଣି ସହର ଉପକଣ୍ଠରେ ମୁଣ୍ଡ ଗଡ଼ିଛି। ୬୦ନମ୍ବର ଜାତୀୟ ରାଜପଥର ସହଦେବଖୁଣ୍ଟା ଥାନା ଅଧୀନ ଫୁଲାଡ଼ି କାସିମ୍‌ପୁର ଛକ ନିକଟରେ ଗତ ରାତିରେ କେତେକ ଦୁର୍ବୃତ୍ତ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଛନ୍ତି। ଶିଳ୍ପାଞ୍ଚଳ ଥାନା ଅଧୀନ ଗଣେଶ୍ୱରପୁର ଗାଁର ମାଧବ ବେହେରା (୫୨)ଙ୍କ ମୁଣ୍ଡକୁ ପଥରରେ ଛେଚି ଯେମିତି ହତ୍ୟା କରାଯାଇଛି, ସେଥିରୁ ଉଗ୍ର ପ୍ରତିହିଂସାର ଗନ୍ଧ ମିଳିଛି।

ପ୍ରାପ୍ତ ଖବର ଅନୁଯାୟୀ, ଗତ ରାତିରେ ଏହି ହତ୍ୟାକାଣ୍ଡ ଘଟଣା କିଛି ଯୁବକଙ୍କ ନଜରରେ ପଡ଼ିଥିଲା। କିଛି ଦୁର୍ବୃତ୍ତ ଜଣେ ବ୍ୟକ୍ତିଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରୁଥିବା ଦେଖି ସେମାନେ ସହଦେବଖୁଣ୍ଟା ଥାନାକୁ ଖବର ଦେଇଥିଲେ। ପୁଲିସ ତୁରନ୍ତ ସେଠାରେ ପହଞ୍ଚି ମାଧବଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରିଥିଲା। ଘଟଣାସ୍ଥଳରୁ ରକ୍ତଭିଜା ପଥରଖଣ୍ଡ ମଧ୍ୟ ଜବତ କରିଥିଲା ପୁଲିସ। ସଙ୍ଗେସଙ୍ଗେ ମାଧବଙ୍କୁ ବାଲେଶ୍ୱର ଡାକ୍ତରଖାନାକୁ ନିଆଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏନେଇ ମାଧବଙ୍କ ବଡ଼ଭାଇ ଯାଦବ ସହଦେବଖୁଣ୍ଟା ଥାନାରେ ଏତଲା ଦେଇଛନ୍ତି। ଥାନା କେସ୍‌ ନମ୍ବର ୩୦୫/୧୭ରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ପୁଲିସ ଗତ ରାତିରେ ଏନେଇ ବିଭିନ୍ନ ସ୍ଥାନରେ ଚଢ଼ଉ କରିଛି। ସନ୍ଦେହରେ ଗତ ରାତିରେ ଜଣକୁ ଓ ଆଜି ଆଉ ୨ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ପୂର୍ବଶତ୍ରୁତାକୁ କେନ୍ଦ୍ର କରି କେହି ମାଧବଙ୍କୁ ହତ୍ୟା କରିଥାଇ ପାରେ ବୋଲି ପୁଲିସ ସନ୍ଦେହ କରୁଛି।

ସମ୍ବନ୍ଧିତ ଖବର