ନାବାଳିକା ଛାତ୍ରୀଙ୍କୁ ରାସ୍ତାକୁ ଟେକି ନେଇ ଗଣଦୁଷ୍କର୍ମ ଘଟଣା :ଦୁଇ ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

ଦଶ ହଜାର ଟଙ୍କା ଜରିମାନା: ଜରିମାନା ଅନାଦେୟରେ ୩ମାସ ସଶ୍ରମ କାରାଦଣ୍ଡ

ବାଲେଶ୍ୱର: ଠିକ୍ ଦୁଇ ବର୍ଷ ତଳେ ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅଞ୍ଚଳରେ ଜଣେ ନାବାଳିକା ଛାତ୍ରୀଙ୍କୁ ରାସ୍ତାରୁ ଟେକି ନେଇ ଗଣଦୁଷ୍କର୍ମ କରିଥିଲେ ଦୁଇ ଜଣ ଯୁବକ।  ଏହି ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାର ବିଚାର କରି ବାଲେଶ୍ବର ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ ତଥା ପୋକ୍‌ସୋର ସ୍ବତନ୍ତ୍ର ଅଦାଲତର ବିଚାରପତି ଅଜନ୍ତା ଷଡ଼ଙ୍ଗୀ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରିଛନ୍ତି। ୧୮ ଜଣ ସାକ୍ଷୀଙ୍କ ବୟାନ ଓ ୨୩ଟି ଦଲିଲକୁ ଭିତ୍ତି କରି ଅଭିଯୁକ୍ତ ଧୂଳିଆ ଓରଫ ସନାତନ ମଣ୍ଡଳ(୨୪) ଓ ବିକ୍ରମ ମାଝୀ(୧୮)ଙ୍କୁ ପୋକ୍‌ସୋ ଆଇନର ଧାରା ୪୨ ଅନୁସାରେ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ଅଭିଯୁକ୍ତମାନେ ୩ ମାସ ସଶ୍ରମ କାରାଦଣ୍ଡ ଭୋଗିବେ। ୩ ବର୍ଷରୁ କମ୍‌ ସମୟ ମଧ୍ୟରେ ମାମଲାର ବିଚାର କରାଯାଇଥିବାରୁ ବିଭିନ୍ନ ମହଲରେ ଏହାକୁ ସ୍ବାଗତ କରାଯାଇଛି।

ସୂଚନା‌ଯୋଗ୍ୟ ଯେ, ୨୦୧୬ ଜାନୁଆରି ୧ ତାରିଖ‌ ସଂଧ୍ୟା ୭ଟାରେ ଜଳେଶ୍ବର ଥାନା ଅଞ୍ଚଳରେ ଜଣେ ଛାତ୍ରୀ ପରୀ(୧୪)(ଛଦ୍ମନାମ)ଙ୍କୁ ତାଙ୍କ ଗାଁର ଧୂଳିଆ ଓରଫ ସନାତନ ମଣ୍ଡଳ(୨୪) ମୁହଁରେ ଗାମୁଛା ଦେଇ ଏକ ନିଛାଟିଆ ସ୍ଥାନକୁ ଟେକିନେଇ ବାରମ୍ବାର ଦୁଷ୍କର୍ମ କରିଥିଲା। ଏହି ଘଟଣା କାହା ଆଗରେ ପ୍ରକାଶ କଲେ ତାକୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲା। ଏହାପରେ ପରୀ ଭୟରେ ଏକଥା କାହାକୁ କହି ନଥିଲେ। ତେବେ ସ୍କୁଲ୍‌ରୁ ଫେରିବା ବାଟରେ ସନାତନ ପରୀଙ୍କୁ ଅସଦ୍‌ବ୍ୟବଦାର କରୁଥିଲା। ପରୀ ନିରବ ରହିବାର ସୁଯୋଗ ନେଇ ସେ ପୁଣିଥରେ ଦୁଷ୍କର୍ମ କରିବାକୁ ଯୋଜନା କରିଥିଲା। ତେଣୁ ଜାନୁଆରୀ ୩୧ ତାରିଖ ଅପରାହ୍ନ ୫ଟାରେ ପରୀ ପାଇଖାନା ଯାଇଥିବା ସମୟରେ ଆଗରୁ ଛପି ବସିଥିବା ସନାତନ ଓ ତା’ର ଜଣେ ସାଥୀ ବିକ୍ରମ ମାଝୀ(୧୮) ପରୀକୁ ମୁହଁରେ ଗାମୁଛା ଦେଇ ଟେକି ନେଇଥିଲେଏବଂ ଜଣକ ପରେ ଜଣେ ଗଣ ଦୁଷ୍କର୍ମ କରିଥିଲେ। ଫଳରେ ପରୀ ଅଚେତ ହୋଇ ସେଠାରେ ପଡ଼ି ରହିଥିଲେ। ପରେ ଏ ନେଇ ପରୀ ତାଙ୍କ ମା’ଙ୍କୁ କହିଥିଲେ। ଘରକୁ ତାଙ୍କ ବାପା ଫେରିବା ପରେ ଫେବ୍ରୁଆରି ୯ ତାରିଖରେ ଜଳେଶ୍ବର ଥନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୁଲିସ ଥାନା କେସ୍‌ ନଂ ୨୬/୨୦୧୬ରେ ଆଇପିସିର ଦଫା ୩୭୬(୨)(ଆଇ), ୩୭୬(ଡି), ୫୦୬ ଓ ପୋକ୍‌ସୋ ଆଇନର ୨୦୧୨ର ଦଫା୬ରେ ମାମାଲା ରୁଜୁକରି ଅଭିଯୁକ୍ତମାନଙ୍କୁ ‌ଖୋଜିଥିଲେ। ଶେଷରେ ପୁଲିସ ଅଭିଯୁକ୍ତ ବିକ୍ରମଙ୍କୁ ଫେବ୍ରୁଆରି ୧୧ ତାରିଖରେ ଓ ସନାତନକୁ ମାର୍ଚ୍ଚ ୧୩ ତାରିଖରେ ଗିରଫ କରି କୋର୍ଟ ଚାଲାଣ କରିଥି‌ଲା। ସରକାରଙ୍କ ତରଫରୁ ପିପି ପ୍ରଣବ ପଣ୍ଡା ଓ ଅଭିଯୁକ୍ତମାନଙ୍କ ତରଫରୁ ଆଡଭୋକେଟ୍‌ ଏସ୍‌ ରାଉତ ମକଦ୍ଦମା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର