ଗୁଳି ମାରି ଲୁଟିଲେ ୬୦ ଲକ୍ଷ ଟଙ୍କା

ବାଲେଶ୍ୱର : ବାଲେଶ୍ୱର ଠାରୁ ଦୁଇ କିମି ଦୂର ଜାତୀୟ ରାଜପଥର ସଦର ଥାନା ନିକଟ ଏକ ହୋଟେଲ ସାମ୍‌ନାରେ ସୋମବାର ଦିନ ଦି’ପହରେ ଦୁର୍ବୃତ୍ତମାନେ ଗୁଳିମାଡ଼ କରି ୬୦ ଲକ୍ଷ ଟଙ୍କା ଲୁଟିନେଇ ପଳାଇଛନ୍ତି। ବ୍ୟାଙ୍କରେ ଜମା କରିବାକୁ ଟୋଲଗେଟ୍‌ ଟଙ୍କା ନେଇ ଯାଉଥିବା କର୍ମଚାରୀ ଏହି ଲୁଟର ଶିକାର ହୋଇଛନ୍ତି। ସଦର ଥାନା ପୁଲିସ ପହଞ୍ଚି ତଦନ୍ତ କରୁଛି।

ଗୁଳିମାଡ଼ରେ ଶେରଗଡ଼ ଟୋଲଗେଟ୍‌ ସୁପରଭାଇଜର ପ୍ରଦୀପ ଯାଦବ(୩୬) ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ପ୍ରଥମେ ବାଲେଶ୍ୱର ଓ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରୁ ୨ଟି ଖୋକା ଜବତ ହୋଇଛି। ବ୍ୟାଙ୍କରେ ଜମା କରିବାକୁ ଟୋଲଗେଟ୍‌ ଟଙ୍କା ନେଇ ଯାଉଥିବା କର୍ମଚାରୀଙ୍କ ଉପରେ ଘଟିଥିବା ଏହି ମରଣାନ୍ତକ ଆକ୍ରମଣ ଆତଙ୍କ ଖେଳାଇ ଦେଇଛି। ତବେ ଲୁଟ୍‌ ପଛରେ ଟୋଲ୍‌ଗେଟ୍‌ର କେହି କର୍ମଚାରୀଙ୍କ ସଂପୃକ୍ତ ଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି। ସଦର ଥାନା ପୁଲିସ ଟଙ୍କା ନେଇ ଯାଉଥିବା ଗାଡ଼ିର ଡ୍ରାଇଭରକୁ ଥାନାକୁ ଆଣି ପଚରାଉଚରା କରୁଛି। ଏସପି ନୀତିଶେଖର ଓ କ୍ରାଇମ ଡିଏସପି ଅମରେଶ ପଣ୍ଡା ପହଞ୍ଚି ତଦନ୍ତ କରୁଛନ୍ତି।

ସୋମବାର ମଧ୍ୟାହ୍ନ ୧୨ଟା ୩୫ରେ ଘଟିଥିଲା ଏହି ଘଟଣା। ଏକ ଧଳା ରଂଗର ଇଣ୍ଡିକା (ଓଆର-୦୧-୬୮୨୦)ରେ ୬୦ ଲକ୍ଷ ଟଙ୍କା ଧରି ଟୋଲଗେଟ ଆକାଉଣ୍ଟାଣ୍ଟ ଲଲିତ ବ୍ୟାସ ଓ ସୁପରଭାଇଜର ପ୍ରଦୀପ ଏକ୍ସିସ୍‌ ବ୍ୟାଙ୍କରେ ଜମା କରିବାକୁ ଯାଉଥିଲେ। ହଠାତ ସଦର ଥାନା ସାମ୍ନା ଶାନ୍ତି ହୋଟେଲ ପାଖରେ ପଛରୁ ଆସୁଥିବା ଆଉ ଏକ ଧଳାରଙ୍ଗ ଇଣ୍ଡିକା (୦ଆର-୦୧-ଏସ୍‌-୬୮୨୦) ଓଭରଟେକ୍‌ କରି ଏହି ଗାଡ଼ିକୁ ଅଟକାଇଥିଲା। କେହି କିଛି ବୁଝିବା ପୂର୍ବରୁ ୪ଜଣ ଦୁର୍ବୃତ୍ତ ମୁହଁରେ କପଡ଼ା ବାନ୍ଧି ଟୋଲ୍‌ଗେଟ୍‌ ଗାଡ଼ିକୁ ଘେରି ଯାଇଥିଲେ। ଜଣେ ଦୁର୍ବୃତ୍ତ ପ୍ରଥମେ ଗାଡ଼ି ସାମ୍‌ନା କାଚକୁ ଗୁଳି ମାରିବା ପରେ ସୁପରଭାଇଜର ପ୍ରଦୀପଙ୍କୁ ଗୁଳି ମାରିଥିଲା। ପରେ ବିନା ବାଧାରେ ଦୁର୍ବୃତ୍ତମାନେ ଟଙ୍କା ବ୍ୟାଗ ନେଇ ସେଠାରୁ ଚମ୍ପଟ ମାରିଥିଲେ। ଖବର ପାଇ ପୁଲିସ ଏକ ଘରୋଇ ଆମ୍ବୁଲାନ୍ସରେ ପ୍ରଦୀପଙ୍କୁ ଡାକ୍ତରଖାନାକୁ ପଠାଇବା ସହ ଟୋଲ୍‌ଗେଟ୍‌ ଗାଡ଼ି ଓ ଡ୍ରାଇଭର ମନୋଜ ନାୟକକୁ ଥାନାକୁ ନେଇ ପଚରା ଉଚରା କରୁଛି। ଏନେଇ ବିଭିନ୍ନ ଥାନାକୁ ଗାଡ଼ି ଯାଞ୍ଚ୍‌ ପାଇଁ ନିର୍ଦେଶ ଦିଆଯାଇଛି। ଏସ୍‌ପି, ଡିଏସପି ଓ ସଦର ଥାନା ଅଧିକାରୀ ଦୟାନିଧି ଦାସ ଘଟଣାର ତଦନ୍ତ ଜାରି ରଖିଛନ୍ତି। ଜାତୀୟ ରାଜପଥ ଓ ସହରର ବିଭିନ୍ନ ସ୍ଥାନରେ ଗାଡ଼ି ଅଟକାଇ ଯାଞ୍ଚ୍‌ ଚାଲିଛି।

ଶେରଗଡ଼ ଟୋଲଗେଟ କର୍ମଚାରୀଙ୍କୁ ଗୁଳିମାରି ୬୦ ଲକ୍ଷ ଟଙ୍କା ଲୁଟ୍‌ ଘଟଣାରେ କାହାର ହାତ ଅଛି ସେ ନେଇ ଆଖପାଖ ଅଞ୍ଚଳରେ ଚର୍ଚ୍ଚା ଜୋର୍‌ ଧରିଛି। ପୁଲିସ୍‌ ଘଟଣାର ତଦନ୍ତ କରୁଥିଲେ ହେଁ ଘଟଣା ପଛରେ ଟୋଲଗେଟରୁ ବେଆଇନ ବଟି ଆଦାୟ କରୁଥିବା ଗ୍ୟାଙ୍ଗର ହାତଥିବା ସନ୍ଦେହ କରାଯାଇଛି। ଦିନ ହେଉ କି ରାତି ଏହି ଗ୍ୟାଙ୍ଗ ଖୁଲମଖୁଲା ଟୋଲଗେଟ୍‌ରେ ବେଆଇନ୍‌ ବଟି ଆଦାୟ କରିଥାନ୍ତି। ୪ କିମି ଦୂରରେ ଖନ୍ତାପଡ଼ା ଥାନା ଥିଲେ ବି ପୁଲିସ ଚୁପ୍‌ ବସିଥାଏ। ଗ୍ୟାଙ୍ଗ୍‌ ଲୋକେ ବଟି ଆଦାୟ ବେଳେ ମାରଣାସ୍ତ୍ର ବ୍ୟବହାର କରୁଥିବାରୁ କେହି ପାଟି ଫିଟାନ୍ତି ନାହିଁ। ୩-୪ଦିନ ପୂର୍ବରୁ ବଟି ଆଦାୟକୁ କେନ୍ଦ୍ର କରି ଗ୍ୟାଙ୍ଗ୍‌ ସହ ଟୋଲଗେଟ କର୍ମଚାରୀଙ୍କ ଝଗଡ଼ା ହୋଇଥିଲା। ଆଜିର ଘଟଣା ପଛରେ ଏହା କାରଣ ହୋଇପାରେ ବୋଲି ସନ୍ଦେହ କରୁଛନ୍ତି ସ୍ଥାନୀୟ ଲୋକେ। ଏଣେ ତଦନ୍ତକାରୀ ପୁଲିସ ଘଟଣା ପଛରେ ଟୋଲ୍‌ଗେଟ୍‌ କର୍ମଚାରୀଙ୍କ ସଂପୃକ୍ତିକୁ ନେଇ ସନ୍ଦେହ କରୁଛି। ତିନି ଦିନର ଆଦାୟ ଟଙ୍କା ଆଜି ବ୍ୟାଙ୍କକୁ ଯିବ ବୋଲି ଦୁର୍ବୃତ୍ତ ଜାଣିଲେ କିପରି, ଏହି ପ୍ରଶ୍ନ ଆଧାରରେ ପୁଲିସର ତଦନ୍ତ ଭିନ୍ନମୋଡ଼ ନେଇଛି। ଏଣେ ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ଲୁଟେରାଙ୍କ ପତ୍ତା ମିଳିନାହିଁ କି ଲୁଟ୍‌ ଅର୍ଥ ଜବତ ହୋଇନାହିଁ।

ସମ୍ବନ୍ଧିତ ଖବର