ମିଳିମିଳା ଓ ରୁବେଲା ଟିକାନେଇ ୨୦ରୁ ଊର୍ଦ୍ଧ୍ୱ ଗୁରୁତର

ସୋର: ମିଳିମିଳା ଓ ଜାପାନୀ ମିଳିମିଳା ଟିକା ନେଇ ସୋର ଥାନା ଅନ୍ତର୍ଗତ ପନଦା ବିଦ୍ୟାଳୟର ୨୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ସୋର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଗତକାଲି ଏହି ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ମିଳିମିଳା ଓ ଜାପାନୀ ମିଳିମିଳା ଟିକା ପ୍ରଦାନ କରାଯାଇଥିଲା। ଏହି ଟିକା ନେବା ପରେ କିଛି ପିଲା ରାତିରେ ଅସୁସ୍ଥ ହୋଇପଡ଼ିଥିଲେ। ଆଜି ଛାତ୍ରଛାତ୍ରୀମାନେ ବିଦ୍ୟାଳୟରେ ପହଞ୍ଚିବା ପରେ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଅସୁସ୍ଥ ଛାତ୍ରଛାତ୍ରୀମାନଙ୍କୁ ଆମ୍ବୁଲାନ୍‌ସରେ ସୋର ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ। ଖବର ପାଇ ସିଡିଏମ୍‌ଓ ଡା. ବିବେକାନନ୍ଦ ଦାସ ସୋର ଡାକ୍ତରଖାନାରେ ପହଞ୍ଚି ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ। ଅସୁସ୍ଥ ଛାତ୍ରଛାତ୍ରୀମାନେ ହେଲେ ୮ମ ଶ୍ରେଣୀର ଗୀତାଞ୍ଜଳି ବେହେରା, ସସ୍ମିତା ଜେନା, ଲକ୍ଷ୍ମୀପ୍ରିୟା ବେହେରା, ୬ଷ୍ଠ ଶ୍ରେଣୀର ଲିଲି ଲତା ଦଳେଇ, ଆଦିତ୍ୟ କୁମାର ପଣ୍ଡା, ସତ୍ୟବ୍ରତ ବିଶ୍ୱାଳ, କମଳାକାନ୍ତ ବାରିକ, ଓମ୍‌ପ୍ରକାଶ ପତି, ହିମାଂଶୁ କର, ୫ମ ଶ୍ରେଣୀର ଜଗବଂଧୁ ସାହୁ, ମହେଶ ଦାସ, ୪ର୍ଥ ଶ୍ରେଣୀର ଭବାନୀ ଶଂକର ସେଠୀ, ୩ୟ ଶ୍ରେଣୀର ଆଶିଷ ଦାସ ପ୍ରମୁଖ।

ସମ୍ବନ୍ଧିତ ଖବର