ଯୁବତୀଙ୍କ ହାତରୁ ଫୋନ୍‌ ଝିଙ୍କି ନେବା ମହଙ୍ଗା ପଡ଼ିଲା; ଗ୍ରାମବାସୀଙ୍କ ହାବୁଡ଼ରେ ପଡ଼ି ଗଛରେ ବନ୍ଧା ହୋଇ ମାଡ଼ ଖାଇଲେ ୨ ଯୁବକ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁର ବ୍ଲକ ଅନ୍ତର୍ଗତ ସାହାଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ୨ ଜଣ ଯୁବକ ଫୋନ୍‌ରେ ଗପି ଗପି ଯାଉଥିବା ସେହି ଗ୍ରାମର ଜଣେ ଯୁବତୀଙ୍କ ହାତରୁ ମୋବାଇଲ୍‌ ଛଡ଼ାଇ ନେଉଥିବା ବେଳେ ସ୍ଥାନୀୟ ଲୋକଙ୍କ ହାତରେ ଧରାପଡ଼ିଛନ୍ତି। ଲୋକାମାନେ ଅଭିଯୁକ୍ତ ଯୁବକଙ୍କୁ ଧରି ଏକ ଗଛରେ ବାନ୍ଧି ପକାଇବା ସହ ମାରଧର କରିଥିବା ସୂଚନା ରହିଛି।

ଉଲ୍ଲେଖଯୋଗ୍ୟ, ସାହାଦା ଗ୍ରାମର ଉକ୍ତ ଯୁବତୀ ଜଣକ ଛକରୁ ନିଜ ଘରକୁ ସାହାଦା ରାସ୍ତାରେ ଚାଲି ଚାଲି ଆସୁଥିଲେ। ସେହି ସମୟରେ ଯୁବକ ଦ୍ୱୟ ଏକ ସ୍କୁଟି ନେଇ ସେଇ ପଟେ ଆସିଥିଲା। ଯୁବତୀ ଜଣକ କାନରେ ଫୋନ ଦେଇ ଗପି ଗପି ଆସୁଥିବା ବେଳେ ସେମାନେ ତାଙ୍କ ହାତରୁ ଫୋନ୍‌ ଛଡ଼ାଇ ନେଇ ପଳାଇବାକୁ ଚେଷ୍ଟା କରିଥିଲେ।

ଫଳରେ ଯୁବତୀ ଚିତ୍କାର କରିବାକୁ ଲାଗିଥିଲେ। ଚିତ୍କାର ଶୁଣି ଗ୍ରାମବାସୀ ଧାଇଁ ଆସି ଅଭିଯୁକ୍ତ ଯୁବକଙ୍କୁ ଧରିବାରେ ସମର୍ଥ ହୋଇଥିଲେ। ଧରିବା ପରେ ଗ୍ରାମବାସୀ ସେ ଦୁହଁଙ୍କୁ ମାରଧର କରି ଗଛରେ ବାନ୍ଧି ରଖିଛନ୍ତି। ପୁଲିସ୍‌କୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର