ମୋବାଇଲ ଟାଓ୍ଵାରରୁ ବ୍ୟାଟେରି ଚୋରି : ୨ ଇଞ୍ଜିନିୟରିଂ ଛାତ୍ରଙ୍କ ସମେତ ୪ ଗିରଫ, ଖେଳନା ବନ୍ଧୁକ, ବ୍ୟାଟେରି ଓ ବାଇକ୍‌ ଜବତ

ବାଲେଶ୍ୱର : ମୋବାଇଲ ଟାଓ୍ଵାରରୁ ବ୍ୟାଟେରି ଚୋରି କରୁଥିବା ଏକ ଗ୍ୟାଙ୍ଗ୍‌ ଶନିବାର ବିଳମ୍ବିତ ରାତିରେ ଖନ୍ତାପଡ଼ା ପୁଲିସ ହାତରେ ଧରା ପଡ଼ିଛି। ପୁଲିସ ସେମାନଙ୍କ ପାଖରୁ ଖେଳନା ବନ୍ଧୁକ, ଶାବଳ, ୨୪ଟି ଟାଓ୍ଵାର ବ୍ୟାଟେରି, ୨ଟି ବାଇକ ଜବତ କରିଛି। ତେବେ ଧରା ପଡ଼ିଥିବା ଏହି ଗ୍ୟାଙ୍ଗ୍‌ର ୪ ସଦସ୍ୟଙ୍କ ମଧ୍ୟରେ ୨ ଜଣ ଇଞ୍ଜିନିୟରିଂ ଛାତ୍ର ଓ ଜଣେ କଲେଜ ଛାତ୍ର ଥିବା ଜଣାପଡ଼ିବା ପରେ ସାଧାରଣରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି।

ଗତ କିଛି ଦିନ ହେଲା ବାଲେଶ୍ୱରର ବିଭିନ୍ନ ମୋବାଇଲ ଟାଓ୍ଵାରରୁ ବାରମ୍ବାର ବ୍ୟାଟେରି ଚୋରି ହେଉଥିବା ଘଟଣା ସାମ୍ନାକୁ ଆସିଥିଲା। ହେଲେ ଅପରାଧୀମାନେ ପୁଲିସ ଆଖିରେ ଧୂଳି ଦେଇ ଖସି ଯାଉଥିଲେ। ଖନ୍ତାପଡ଼ା ଥାନା ଅଧୀନ ରସାଳପୁର ଅଞ୍ଚଳରେ ଟାଓ୍ଵାର ବ୍ୟାଟେରି ଚୋରି ସଂପର୍କରେ ଥାନାରେ ଅଭିଯୋଗ ହୋଇଥିଲା। ଗତ ୪ ତାରିଖ ରାତ୍ରିକାଳୀନ ପାଟ୍ରୋଲିଂ ବେଳେ ଖନ୍ତାପଡ଼ା ପୁଲିସ ବ୍ୟାଟେରି ନେଇ ବାଲେଶ୍ୱର ଅଭିମୁଖେ ଯାଉଥିବା ୨ ଇଞ୍ଜିନିୟରିଂ ଛାତ୍ରଙ୍କ ସମେତ ୪ଜଣ ଯୁବକ ଧରାପଡ଼ିଥିଲେ। ସେମାନେ ହେଲେ ସଂଜୀବ କୁମାର ସାହୁ, ତନ୍ମୟ କୁମାର ଭୂୟାଁ, ବିଶ୍ୱଜିତ ପାଣିଗ୍ରାହୀ, ହରେକୃଷ୍ଣ ବାରିକ।

ଖନ୍ତାପଡ଼ା ଥାନାରେ କେସ୍‌ ନଂ ୩୦୨ ଓ ଦଫା ୩୭୯, ୪୧୧/୩୪ ମୂଳେ ମାମଲା ରୁଜୁ କରାଯାଇ ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଖନ୍ତାପଡ଼ା ଆଇଆଇସି ଶ୍ରୀବଲ୍ଲଭ ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର