ବନ୍ଧୁକ ଦେଖାଇ ବସ୍‌ରୁ ଡକାୟତି : ଲକ୍ଷାଧିକ ଟଙ୍କାର ଅଳଙ୍କାର ସହ ନଗଦ ୨୦ ହଜାର ଲୁଟିନେଲେ, ଜଣେ ଗିରଫ

ନୀଳଗିରି : ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ ସଜନାଗଡ଼ଠାରେ ଏକ ଡକାୟତ ଗ୍ୟାଙ୍ଗ ବନ୍ଧୁକ ଓ ଭୁଜାଲି ଦେଖାଇ ବସ୍‌ ଯାତ୍ରୀଙ୍କଠାରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ସହ ନଗଦ ୨୦ ହଜାର ଟଙ୍କା ଲୁଟି ନେଇଛନ୍ତି। ପୁଲିସ୍‌ ତନାଘନା ଚଳାଇ ରବିବାର ଦିନ ଘଟଣାରେ ସଂପୃକ୍ତ ଜଣେ ଯୁବକକୁ ଗିରଫ କରିଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଶନିବାର ରାତି ପ୍ରାୟ ୧୧ଟା ସମୟରେ ବିଜୟ ନାମକ ଯାତ୍ରୀବାହୀ ବସ୍‌ (ଓଡି୦୫ଇ-୯୧୯୨) ମୟୂରଭଞ୍ଜ ଜିଲ୍ଲା ଶରତରୁ ଭୁବନେଶ୍ବର ଯାଉଥିଲା। ‌୧୯ ନମ୍ବର ରାଜପଥର ସଜନାଗଡ଼ ଜାମୁଡିହି ସାହି ଛକଠାରେ ୩ଟି ବାଇକ୍‌ରେ ଦୁର୍ବୃତ୍ତମାନେ ଆସି ବସ୍‌କୁ ଅଟକାଇଥିଲେ। ବସ‌୍‌ କଣ୍ଡକ୍ଟର ଏବଂ ଯାତ୍ରୀଙ୍କ ମୁଣ୍ତରେ ବନ୍ଧୁକ ଓ ଭୁଜାଲି ଲଗାଇ ଏକ ସୁନାଚେନ୍‌ ଓ ନଗଦ ୨୦ ହଜାର ଟଙ୍କା ଲୁଟି ନେଇଥିଲେ। ଏଥିସହିତ ମାରଣାସ୍ତ୍ର ଦେଖାଇ ଦୁର୍ବୃତ୍ତମାନେ ପିଟାମରା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ୍‌ ତଦନ୍ତ କରି ଘଟଣାର ମାଷ୍ଟରମାଇଣ୍ଡ କୁହାଯାଉଥିବା ଲମ୍ବୋଦର ବିଶ୍ବାଳକୁ ପୁଲିସ ରବିବାର ଦିନ ଗିରଫ କରିଛି। ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଥାନା ଆଇଆଇସି ନଳିତା ମୋଦୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର