ବାଲେଶ୍ୱର: ପଛ ପଟୁ ଆସି ଟ୍ରକ ଚଢ଼ିଗଲା, ଶ୍ରମିକ ମୃତ

ବାଲେଶ୍ୱର: କାରଖାନାରେ କାମ ସାରି ଖୁସିରେ ଘରକୁ ଫେରୁଥିବା ବେଳେ ପଛ ପଟରୁ ଟ୍ରକ ଚଢ଼ି ଯିବାରୁ ଜଣେ ଶ୍ରମିକ ଜୀବନ ହାରିଛନ୍ତି। ଆଜି  ଅପରାହ୍ନରେ କାମ ସାରି ସାଇକଲରେ ଘରକୁ ଫେରୁଥିବା ବେଳେ ପଛ ପଟରୁ ଟ୍ରକ (ଓଆର ୦୧ ଆର୍‌ ୯୩୧୧) ଚଢ଼ିଯାଇଥିଲା। ମିଳିଥିବା ସୂଚନା ଅନୁସାରେ ଜାତୀୟ ରାଜପଥ ୧୮ ନମ୍ବର ଅନ୍ତର୍ଗତ ଲେମ୍ବୁ ନଈ ପୋଲ ନିକଟରେ ରବିବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି ବିର୍ଲା କାରଖାନାର ଜଣେ ଶ୍ରମିକ ଦୟାନିଧି ବେହେରା(୩୨)।

ସେରଗଡ଼ ଫାଣ୍ଡି ଅନ୍ତର୍ଗତ ସାହାର୍ଦ୍ଦା ନିବାସୀ ଦୟାନିଧୀ କମ୍ପାନିରୁ କାମ ସାରି ରବିବାର ଅପରାହ୍ନରେ ଘରକୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଜାତୀୟ ରାଜପଥ ଆମ୍ବୁଲାନ୍ସ ଯୋଗେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଦୟାନିଧିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସୂଚନା ମିଳିବା ପରେ ଖନ୍ତାପଡ଼ା ଥାନା ଅନ୍ତର୍ଗତ ସେରଗଡ଼ ଫାଣ୍ଡି ପୁଲିସ ପହଞ୍ଚି ଟ୍ରକ ଜବତ କରିଥିବା ବେଳେ ଏହାର ଟ୍ରକ ଚାଳକ ଫେରାର ହୋଇ ଯାଇଛି।

ସମ୍ବନ୍ଧିତ ଖବର