ଉଜୁଡ଼ିଯିବ ଉତ୍ତର ବାଲେଶ୍ୱରର ଭାତହାଣ୍ଡି!, ୧୫ ହଜାର ହେକ୍ଟର ଚାଷ ଜମିରେ ରବି ଧାନ ଅମଳ ହେବ କେମିତି?

ଜଳେଶ୍ୱର : ଉତ୍ତର ବାଲେଶ୍ୱରର ଚାଷୀଙ୍କ ପାଇଁ କାଳବୈଶାଖୀ ବର୍ଷା ଦାଉ ସାଧୁଛି। ଗତ ଦୁଇ ସପ୍ତାହ ଧରି ଲଗାତାର ବର୍ଷା ପରିସ୍ଥିତି ଯୋଗୁଁ ଖାଲୁଆ ଅଞ୍ଚଳରେ ଧାନ କିଆରି ସବୁ ପାଣିରେ ବୁଡ଼ି ରହିଛି। ଧାନ ଅମଳ ନେଇ ଚାଷୀ ସନ୍ଦେହରେ ଥିବା ବେଳେ ଆଜି କୃଷି ବିଭାଗର ଉପନିର୍ଦେଶକ କ୍ଷତିଗ୍ରସ୍ତ ଅଞ୍ଚଳର କ୍ଷେତ୍ର ପରିଦର୍ଶନ କରିଛନ୍ତି ଏବଂ ସପ୍ତାହେ ମଧ୍ୟରେ ରାଜସ୍ୱ ଓ କୃଷି ବିଭାଗ ତରଫରୁ କ୍ଷୟକ୍ଷତି ଆକଳନ କରି ପଦକ୍ଷେପ ନେବାକୁ ବାଲେଶ୍ୱର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ବାଲେଶ୍ୱର ଜିଲ୍ଲାର ଭାତହାଣ୍ଡି କହିଲେ ଉତ୍ତର ବାଲେଶ୍ୱରର ଜଳେଶ୍ୱର ଓ ଭୋଗରାଇ ବ୍ଲକକୁ ବୁଝାଏ। ସମଗ୍ର ଜିଲ୍ଲାରେ ଗୋଟିଏ ରବି ଋତୁରେ ଯେତିକି ଧାନ ଚାଷ ହୁଏ ତାହାର ଅର୍ଦ୍ଧାଧିକ ଚାଷ ଏହି ଦୁଇ ବ୍ଲକରେ ହୋଇଥାଏ। କୃଷି ବିଭାଗର ପରିସଂଖ୍ୟାନ ଅନୁଯାୟୀ, ଚଳିତ ରବି ଋତୁରେ ଭୋଗରାଇରେ ୧୧୫୦୦ ହେକ୍ଟର ଓ ଜଳେଶ୍ୱର ବ୍ଲକରେ ୬୫୦୦ ହେକ୍ଟର ଜମିରେ ଧାନଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ତେବେ ଅନୁକୂଳ ପାଗ ଯୋଗୁଁ ଚାଷୀ ଅଧିକ ଆଗଭର ହୋଇ ଭୋଗରାଇରେ ୧୨ ହଜାର ୫୦୦ ଓ ଜଳେଶ୍ୱରରେ ୮୨୦୦ ହେକ୍ଟର ଜମିରେ ଚାଷ କାର୍ଯ୍ୟ କରିଥିଲେ। ବିଗତ ବର୍ଷଗୁଡ଼ିକ ତୁଳନାରେ ଚଳିତ ବର୍ଷ ଧାନ ବି ଭଲ ଫଳିଥିଲା। କିନ୍ତୁ ଧାନ ପାଚିବା ବେଳକୁ କଳାବୈଶାଖୀ ବର୍ଷା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି। ଗତ ଦୁଇ ସପ୍ତାହ ହେଲା ପ୍ରତି ଦିନେ ଦୁଇଦିନ ଅନ୍ତରରେ କାଳବୈଶାଖୀ ବର୍ଷା ଚାଷୀକୁଳର ନିଦ ହଜାଇ ଦେଇଛି। ଚାଷୀ ଅମଳ ପାଇଁ ବିଲକୁ ଓହ୍ଲାଇ ପାରୁନି। ବର୍ଷା ପାଣିରେ ବିଲ ଉବୁଟୁବୁ ହେଉଥିବାରୁ ଧାନ କାଟିବା ସମ୍ଭବ ହୋଇ ପାରୁନି। ସମ୍ପୃକ୍ତ ୨ଟି ବ୍ଲକର ପ୍ରାୟ ୩୦ଟି ପଞ୍ଚାୟତ ଅଧୀନ ୧୮୪ଟି ଖାଲୁଆ ଗାଁରେ ସଙ୍ଗିନ ପରିସ୍ଥିତି ସୃଷ୍ଟି ହୋଇଛି। କୃଷି ବିଭାଗର ଆକଳନ ଅନୁଯାୟୀ, ଗତ ଅପ୍ରିଲ ୨୦ ପରେ କେଉଁଠି କେଉଁଠି ଧାନକଟା ଆରମ୍ଭ ହୋଇ ଅଦ୍ୟାବଧି ମାତ୍ର ୨୦ ପ୍ରତିଶତ ଧାନକଟା ସରିଛି। ତେବେ କଟା ହୋଇଥିବା ଧାନବିଡ଼ା ପାଣିରେ ଭାସୁଛି। ଆଉ କଟା ହୋଇ ନ ଥିବା ଧାନ ପାଣିରେ ବୁଡ଼ି ରହିଛି। ବିଲ ଭିତରକୁ ଧାନକଟା ମେସିନ କିମ୍ବା ମୂଲିଆ ଯିବା ସମ୍ଭବ ହେଉନାହିଁ। ଫଳରେ ଭଲ ଧାନ ଫଳିଥିଲେ ମଧ୍ୟ ସମ୍ପୂର୍ଣ୍ଣ ଫସଲ ଉଜୁଡ଼ିଯିବାକୁ ବସିଛି। ବାଲେଶ୍ୱରସ୍ଥିତ କୃଷି ବିଭାଗର ଉପ ନିର୍ଦେଶକ କୈଳାସ ଚନ୍ଦ୍ର ପରିଡ଼ା ଆଜି ଭୋଗରାଇ ଅଞ୍ଚଳ ଗସ୍ତ କରି କ୍ଷତିଗ୍ରସ୍ତ ଧାନ କ୍ଷେତ ବୁଲି ଦେଖିଛନ୍ତି। ଆଉ ଦିନେ ଦୁଇଦିନ ଏପରି କାଳବୈଶାଖୀ ବର୍ଷା ଲାଗିରହିଲେ ପରିସ୍ଥିତି ସଙ୍ଗିନ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର