ପରିଖି ଫାଣ୍ଡି ନିକଟରୁ ସିରିିଜ୍ ଚୋରି ଉଦ୍ୟମ, ବ୍ୟ‌ାଙ୍କ୍‌ ଓ ଦୋକାନର ତାଲା ଭାଙ୍ଗିଲେ ଦୁର୍ବୃତ୍ତ

ପୁଲିସର ନିଷ୍କ୍ରିୟତା ପ୍ରତିବାଦରେ ରାସ୍ତାରୋକ

ବାଲେଶ୍ୱର: ମଙ୍ଗଳବାର ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲା ସଦର ଥାନା ଅଧୀନ ପରିଖି ଫାଣ୍ଡି ନିକଟରୁ ସିରିଜ୍ ଚୋରି ଉଦ୍ୟମ ହୋଇଛି। ଦୁର୍ବୃତ୍ତମାନେ ଏହି ଫାଣ୍ଡି ସାମ୍‌ନାରେ ଥିବ‌ା ଏକ ରଡ୍‌-ସିମେଣ୍ଟ ଦୋକାନ, ୧୦୦ ମିଟର ଦୂରରେ ଥିବା ଏକ ମୋବାଇଲ ରିପେୟାରିଂ ଦୋକାନ ଏବଂ ଆହ୍ଲାବାଦ ବ୍ୟାଙ୍କ ଶାଖାର ସଟରର ତାଲା ଭାଙ୍ଗି ଓ ସଟର୍‌ ତାଡ଼ି ଲୁଟ୍‌ ଉଦ୍ୟମ କରିଛନ୍ତି। ଆଜି ସକାଳେ ଏହା ଦେଖିବା ପରେ ସ୍ଥାନୀୟ ଲୋକେ ଏନେଇ ପୁଲିସ୍‌କୁ ଖବର ଦେଇଥିଲେ। ତେବେ ପୁଲିସ ସେଠାରେ ପହଞ୍ଚିବାକୁ ବିଳମ୍ବ କରିବାରୁ ଉତ୍ତେଜନା ପ୍ରକାଶ ପାଇବା ସହିତ ଲୋକେ ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ନୂଆବର୍ଷ ଥିବା ବେଳେ ବିଳମ୍ବିତ ରାତିରେ ଡକାୟତମାନେ ଏହି ଅଞ୍ଚଳରୁ ଲୁଟ୍‌ କରିବାକୁ ଯୋଜନା କରିଥିଲେ। ପରିଖି ଫାଣ୍ଡି ନିକଟରେ ଥିବା ଆହ୍ଲାବାଦ ବ୍ୟାଙ୍କର ସଟରକୁ ଗ୍ୟାସ କଟରରେ କାଟି ଭିତରକୁ ଡକାୟତମାନେ ଭିତରକୁ ପଶି ସିସି କ୍ୟାମେରା ଭାଙ୍ଗିଥିଲେ। ତା ପରେ ବ୍ୟାଙ୍କର କମ୍ପ୍ୟୁଟର, ଖାତା ଓ ବିଭିନ୍ନ କାଗଜପତ୍ର ଫିଙ୍ଗାଫିଙ୍ଗି କରିଥିଲେ। ତେବେ ବ୍ୟାଙ୍କରୁ ସେମିତି କୌଣସି ଟଙ୍କା ପଇସା ନଥିବାରୁ ସେମାନେ ପଳାଇ ଯାଇଥିଲେ। ଏଥିରେ କେବଳ ଗୋଟିଏ ପାସବୁକ୍‌ ଭିତରେ ରଖାଯାଇଥିବା ଅଳ୍ପ କିଛି ଟଙ୍କା ନେଇଯାଇଥିବା ଜଣାଯାଇଛି। ସେହିପରି ବ୍ୟାଙ୍କ ନିକଟରେ ଥିବା ମନୋରଂଜନ ମଣ୍ଡଳଙ୍କ ମୋବାଇଲ ରିପେୟାରିଂ ଦୋକାନ ତାଲା ଭାଙ୍ଗି ସେମାନେ ଭିତରକୁ ପଶିଥିବା ଦେଖାଯାଇଛି। ଆଜି ସକାଳୁ ଏହା ଦେଖିବା ପରେ ଲୋକେ ପରିଖି ଫାଣ୍ଡି ଅଧିକାରୀ ଓ ସଦର ଥାନାକୁ ଖବର ଦେଇଥିଲେ। ହେଲେ ପୁଲିସ୍‌ ପହଞ୍ଚିବାର ବିଳମ୍ବ ଦେଖି ଉତ୍ତ୍ୟକ୍ତ ଲୋକେ ରାସ୍ତା ଉପରେ ଟାୟାର ଜାଳି ଅବରୋଧ କରିଥିଲେ। ଦୀର୍ଘ ସମୟ‌ ପରେ ସଦର ଥାନା ଆଇଆଇସି ମମତା ସାହୁ ଘଟଣା ସ୍ଥଳ‌ରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ରାସ୍ତା ଅବରୋଧରୁ ଉଠାଇବା ପରେ ଚୋରି ହୋଇଥିବା ତିନିଟି ସ୍ଥାନରେ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ତେବେ ଏନେଇ ସଂଧ୍ୟା ସୁଦ୍ଧା ଥାନାରେ କୌଣସି ଅଭିଯୋଗ ହୋଇନଥିବା ଆଇଆଇସି ଶ୍ରୀମତୀ ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର