‘ଭଲ କବିତାର ଖୋଜ୍‌’ ଓ ଟାଇମ୍‌ପାସ୍‌ ମିଳିତ ଆନୁକୂଲ୍ୟରେ ଲୋକାର୍ପିତ ହେଲା କବି ଉତ୍ପଳ ମହାନ୍ତିଙ୍କ ଧାଡ଼ିକିଆ କବିତା ସଂକଳନ ‘ଆଣ୍ଟିବାୟୋଟିକ୍‌’

ବାସ୍ତବତାକୁ ସାମ୍ନା କରିବାର ସମ୍ଭ୍ରମତା ହିଁ କବିତା

ବାଲେଶ୍ୱର, ୨୬|୦୮: କବିତା ଅଛି ଲଜ୍ଜାରେ। ଲଜ୍ଜା ବା ସମ୍ଭ୍ରମତା ବ୍ୟତିରେକ କବିତା ସମ୍ଭବ ନୁହେଁ। ନଗ୍ନତା ଏକ ବାସ୍ତବତା ନୁହଁ। ତେଣୁ ନଗ୍ନତାରେ ନଥାଏ ବାସ୍ତବତା। ବାସ୍ତବତାକୁ ଅନୁଭବ କରି ଏବଂ ତାକୁ ସମ୍ଭ୍ରମତା ସହ ଯୋଡ଼ି ଲେଖାଯାଉ କବିତା। କବିତାର ଭୂଷଣ ହେଉଛି ଲଜ୍ଜା। ଏହି ଲଜ୍ଜା ସହ ସନ୍ଦିଗ୍ଧତା, କୌତୁକ ଓ ସମ୍ଭ୍ରମତା ନିହିତ ରହିବା ଜରୁରୀ ବୋଲି ବିଶିଷ୍ଟ କବି, ସମାଲୋଚକ ଓ ଭାଷ୍ୟକାର ହରପ୍ରସାଦ ଦାସ ମତବ୍ୟକ୍ତ କରିଛନ୍ତି।
ରବିବାର ଦିନ ସ୍ଥାନୀୟ ଭେନିଆ ପାରାଡାଇଜ୍‌ ଠାରେ ପୂର୍ବାହ୍ନ ଏଗାରଟାରେ ଅନୁଷ୍ଠିତ ହୋଇଯାଇଛି କବି ଉତ୍ପଳ ମହାନ୍ତିଙ୍କ ଧାଡ଼ିକିଆ କବିତା ସଂକଳନ ‘ଆଣ୍ଟିବାୟୋଟିକ୍‌’ର ଅନାବରଣ ଉତ୍ସବ। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀଦାସ କହିଲେ, ଆଜିର ସମୟରେ କବି ଆହୁରି ଧ୍ୟାନମଗ୍ନ ହୋଇ ବାସ୍ତବତାର ଉର୍ଦ୍ଧ୍ୱକୁ ଉଠି ଧ୍ୟାନସ୍ଥ ଓ କଳ୍ପଲୋକୀୟ ଭାବନାରେ ସନ୍ତରଣ କୁର । ‘ଆଣ୍ଟିବାୟୋଟିକ୍‌’ ପୁସ୍ତକରେ ପତ୍ରସ୍ଥ ପ୍ରତ୍ୟେକ ଧାଡ଼ିକିଆ କବିତା ଉତ୍ପଳଙ୍କ ଏକ ଧ୍ୟାନସ୍ଥ ଚେତନାରୁ ସୃଷ୍ଟି ହୋଇଥିବା କଥା କହି ଶ୍ରୀ ଦାସ ସୂଚେଇ ଦେଲେ ଯେ ରହସ୍ୟର ଉତ୍ତର ରହସ୍ୟରେ ଦିଆ ନଯାଉ। ପାଠକକୁ କବିତାର ଗୋଟିଏ ଧାଡ଼ି ହିଁ ବାନ୍ଧି ରଖିଥାଏ। ଏବଂ ସେଇ ଧାଡ଼ିଟି ହିଁ କବିତା। ବାକି ଧାଡ଼ିଗୁଡ଼ିକ କବିତ୍ୱର ଅନାବଶ୍ୟକ ଅହଂ ଛଡ଼ା ଆଉ କିଛି ନୁହେଁ।


କବି ବିଜୟ ମଲ୍ଲଙ୍କ ମନ୍ତ୍ରମୁଗ୍ଧ ମଞ୍ଚ ସଂଚାଳନାରେ ଆୟୋଜିତ ଏହି ପୁସ୍ତକ ଅନାବରଣ ଉତ୍ସବର ପ୍ରାରମ୍ଭରେ ଟାଇମ୍‌ପାସ୍‌ ପ୍ରକାଶନୀ ସଂସ୍ଥାର ନିର୍ଦ୍ଦେଶକ କବି ସରୋଜ ବଳ ଅତିଥିଙ୍କୁ ମଞ୍ଚ ଆମନ୍ତ୍ରଣ କରିବା ସହିତ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ଜଗନ୍ନାଥଙ୍କ ପ୍ରତିର୍ମୂିରେ ଅତିଥି ମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବରେ ଉତ୍ସବକୁ ଉଦ୍ଘାଟନ କରିଥିଲେ। ଏହି ଉତ୍ସବରେ ମୁଖ୍ୟବକ୍ତା ଭାବରେ ଯୋଗଦେଇ ସୁଖ୍ୟାତ କଥାକାର ଓ ଔପନ୍ୟାସିକ ଡକ୍ଟର ଅଜୟ ସ୍ୱାଇଁ କହିଲେ, ଆିବାୟୋଟିକ୍‌ ସହିତ ଡାକ୍ତରମାନେ ଆାସିଡ଼୍‌କୁ ଯେଉଁ ଆଶାରେ ଦେଇଥାନ୍ତି, କବି ଉତ୍ପଳ ମହାନ୍ତି ଆିବାୟୋଟିକ୍‌ ପରେ ପରେ ଆାସିଡ୍‌ ନାମକ ଆଉ ଏକ କବିତା ପୁସ୍ତକ ପାଠକକୁ ଭେଟି ଦେବା ଆବଶ୍ୟକ। ଉତ୍ପଳଙ୍କ ଧାଡ଼ିକିଆ କବିତା ସବୁ ଗଦ୍ୟ ଭଳି ହୋଇଥିବାରୁ ଏହାକୁ ଜଣେ କବିତା ଭଳି କିମ୍ବା ଗପ ଭଳି ବି ପଢ଼ି ପାରିବ।
ବାଲେଶ୍ୱରରୁ ପ୍ରକାଶିତ ‘ରେବତୀ’ ପତ୍ରିକାର ସମ୍ପାଦିକା ତଥା ସମାଜସେବୀ ସୁବାସିନୀ ଜେନା ଏହି ଆସରରେ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ କହିଲେ ଯେ, କବି ଦୁଃଖ ଭିତରେ ଆନନ୍ଦ, ଅନ୍ଧକାର ଭିତରେ ଆଲୋକ ଏବଂ ସର୍ବୋପରି ଦୁର୍ବଳତା ଭିତରେ ଶକ୍ତିର ସନ୍ଧାନ କରେ। ବାଲେଶ୍ୱର ମାଟିରୁ ଏପରି ଏକ ଶକ୍ତିର ସନ୍ଧାନ ‘ଆିବାୟୋଟିକ୍‌’ ମାଧ୍ୟମରେ କବି ଉତ୍ପଳ ମହାନ୍ତିଙ୍କ ଦ୍ୱାରା ହୋଇ ପାରିଥିବାରୁ ସେ କବିଙ୍କୁ ସାଧୁବାଦ ଜଣାଇଥିଲେ।
ପ୍ରାରମ୍ଭରେ ‘ଭଲ କବିତାର ଖୋଜ୍‌’ର ବରେଣ୍ୟ ଆବାହକ କବି ଶ୍ରୀଦେବ ନିଜସ୍ୱ ଅଭିଭାଷଣରେ ‘ଭଲ କବିତାର ଖୋଜ୍‌’ର ଲକ୍ଷ୍ୟ ଓ ଆଭିମୁଖ୍ୟ ସହିତ କବି ଉତ୍ପଳଙ୍କ ଧାଡ଼ିକିଆ କବିତାର ସମ୍ପର୍କ କଣ, ସେ ବାବଦରେ ସୂଚନା ପ୍ରଦାନ କରିଥିଲେ। କବି ଉତ୍ପଳ ମହାନ୍ତି ଲେଖକୀୟ ଅଭିବ୍ୟକ୍ତି ରଖିବା ସହ ଧାଡ଼ିକିଆ କବିତା ଲେଖିବା ପଛରେ ଥିବା ପ୍ରଚୋଦନା ବିଷୟରେ କହିଥିଲେ। ଏହି ଅବସରରେ ‘ଆଣ୍ଟିବାୟୋଟିକ୍‌’ କବିତାଗୁଡ଼ିକର ଇଂରାଜୀ ଅନୁବାଦକ ଡକ୍ଟର ସୁବାସ ଚନ୍ଦ୍ର ପାତ୍ର ଏବଂ ସଂଜୀବ୍‌ ମହାନ୍ତିଙ୍କ ସମେତ କବି ଶ୍ରୀଦେବ ଓ କୃଷ୍ଣ କୁମାର ମହାନ୍ତିଙ୍କୁ କୃତଜ୍ଞତା ପତ୍ର ଓ ଉପଢ଼ୌକନ ପ୍ରଦାନ କରି ମୁଖ୍ୟ ଅତିଥି ହରପ୍ରସାଦ ସମ୍ବର୍ଦ୍ଧିତ କରିଥିଲେ। ଠିକ୍‌ ସେହିପରି ଭଲ କବିତାର ଆବାହକ ତ୍ରୟ ଫକୀରମୋହନଙ୍କ ଫଟୋଚିତ୍ର ଓ ସ୍ୱାକ୍ଷର ସମ୍ବଳିତ ଅଭିନନ୍ଦନ ପତ୍ର ପ୍ରଦାନ କରି ଅତିଥିମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଶେଷରେ କବି ସରୋଜ ବଳ ଅକ୍ଷୟ ମହାନ୍ତିଙ୍କ ‘ଟୋକା ଏମ୍‌ତି ହେଉଛିରେ…’ ଗୀତର ସ୍ୱରରେ ରଚିତ ନିଜର ଏକ ନୂଆ କବିତା ‘ବୁଢ଼ା ଏମ୍‌ତି ହେଉଛିରେ ଯେମିତି କିଛି ଜାଣେନି’କୁ ମ୍ୟୁଜିକ୍‌ ସହ ଗାୟନ କରି ଉପସ୍ଥିତ ତିନି ଶହରୁ ଉର୍ଦ୍ଧ୍ୱ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିବା ପରେ ପରେ କବି କୃଷ୍ଣ କୁମାର ମହାନ୍ତି ଉତ୍ସବକୁ ଶେଷ ସ୍ପର୍ଶ ଦେଇଥିଲେ। ଏହି ଉତ୍ସବର ଆୟୋଜନରେ ସହଯୋଗ କରିଥିଲେ କବି ରଞ୍ଜନ ବାଗ, ରାଜେଶ ଗିରି ଓ ନୃତ୍ୟ ସଙ୍ଗୀତ କଳାମନ୍ଦିର ନନ୍ଦ କୁମାର। ଟାଇମପାସ୍‌ ପକ୍ଷରୁ ସଭାସ୍ଥଳରେ ‘ଆଣ୍ଟିବାୟୋଟିକ୍‌’ ସମେତ ଅନ୍ୟାନ୍ୟ ବଛା ବଛା ପୁସ୍ତକର ପ୍ରଦର୍ଶନୀ ଓ ବିକ୍ରିର ବ୍ୟବସ୍ଥା କରାଯାଇଥିଲା।

ସମ୍ବନ୍ଧିତ ଖବର