ରାହୁଲ ମିଶାଇଥିଲେ; ଶ୍ରୀକାନ୍ତ ବାଟ ଓଗାଳୁଛନ୍ତି!

ଜଳେଶ୍ବର : କଂଗ୍ରେସକୁ ତୃଣମୂଳ ସ୍ତରରୁ ଅଧିକ ମଜଭୁତ କରିବାକୁ ବାଲେଶ୍ବରରୁ ଆରମ୍ଭ ହୋଇଛି ପିସିସିର ଜନଜାଗରଣ ପଦଯାତ୍ରା। ଜିଲ୍ଲାରେ ଦୁର୍ବଳ ହୋଇ ପଡ଼ିଥିବା କଂଗ୍ରେସ ସଂଗଠନର ଜାଗରଣ ପାଇଁ ରାଜ୍ୟ ନେତୃତ୍ବ ଅଣ୍ଟା ଭିଡ଼ିଥିବା ବେଳେ ଏବେ ବି ଦଳର ତୁଙ୍ଗ ନେତାମାନଙ୍କ ମଧ୍ୟରେ ଛକାପଞ୍ଝା କାରଣରୁ ଗୋଷ୍ଠୀ ବିବାଦ ପଦାରେ ପଡ଼ିଯାଉଛି। ଗତ ୬ ତାରିଖରେ ଜଳେଶ୍ବର ହାଟପଡ଼ିଆରେ କଂଗ୍ରେସର ଜନଜାଗରଣ ମଂଚକୁ ଦଳରେ ନୂଆ କରି ସାମିଲ ହୋଇଥିବା ନଦୀ ବଞ୍ଚାଅ ଆନ୍ଦୋଳନର ନେତା ସୁଦର୍ଶନ ଦାସଙ୍କୁ ବାରଣ ନେଇ ପୁଣି କଂଗ୍ରେସ ରାଜନୀତି ସରଗରମ ହୋଇଛି।

ଏକଦା କଂଗ୍ରେସର ଦୁର୍ଗ କୁହାଯାଉଥିବା ଜଳେଶ୍ବରରେ ନେତାମାନେ ଏକାଧିକ ଗୋଷ୍ଠୀରେ ବିଭକ୍ତ ହୋଇ ଯାଇଥିବାବେଳେ ବରିଷ୍ଠ କଂଗ୍ରେସ ନେତା ଜୟନାରାୟଣ ମହାନ୍ତି ଦଳ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। କେବଳ ସେତିକି ନୁହେଁ, ସେ ଜଳେଶ୍ବର ଆସନରୁ ୨୦୧୯ ନିର୍ବାଚନ ଲଢିବେ ବୋଲି ଘୋଷଣା କରିବା କଂଗ୍ରେସ ହାଇକମାଣ୍ଡଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଥିଲା। ଏଠାରେ କଂଗ୍ରେସ ନିଜ ସ୍ଥିତି ରଖିବାକୁ ସଂଘର୍ଷ କରୁଥିବା ବେଳେ ପିସିସି ସଭାପତି ଭାବେ ନିରଂଜନ ପଟ୍ଟନାୟକଙ୍କ ନିଯୁକ୍ତି ତୃଣମୂଳ ସ୍ତରରେ କଂଗ୍ରେସ ପାଇଁ କାମ କରୁଥିବା ଦଳୀୟ କର୍ମୀଙ୍କ ମନୋବଳକୁ ବୃଦ୍ଧି କରିଥିଲା। ତେବେ‌ ଏହି ସମୟରେ ସୁବର୍ଣ୍ଣ‌େରଖା ନଦୀ ବଂଚାଅ, ନିଶା ନିବାରଣ, ଭୂମିହୀନଙ୍କ ଘରଡିହ ପ୍ରଦାନ ଆଦି ଦାବି ନେଇ ଜଳେଶ୍ବରରେ ସକ୍ରିୟ ଥିବା ସୁଦର୍ଶନ ଦାସଙ୍କ ଉପରେ କଂଗ୍ରେସ ହାଇକମାଣ୍ଡଙ୍କ ଦୃଷ୍ଟି ପଡ଼ିଥିଲା। ଜୟନାରାୟଣ କଂଗ୍ରେସ ଛାଡ଼ିବା ଦଳ ଉପରେ ପ୍ରଭାବ ପକାଇବା ଆଶଙ୍କା କରି ସୁଦର୍ଶନଙ୍କୁ ଦଳ‌େର ସାମିଲ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା।

ଶେଷରେ ଗତ ସେପ୍ଟେମ୍ବର ୧୯ ତାରିଖରେ ନୂଆଦିଲ୍ଲୀ‌େର ରାହୁଲ ଗାନ୍ଧୀ ଓ ପିସିସି ସଭାପତିଙ୍କ ଉପସ୍ଥିତିରେ ସୁଦର୍ଶନ ଦଳରେ ସାମିଲ‌ ହୋଇଥିଲେ। କିନ୍ତୁ ଘରେ ନ ପଶୁଣୁ ମୁଣ୍ଡରେ ଚାଳ ବାଜିଲା ଭଳି ଜଳେଶ୍ବରରେ ଶ୍ରୀକାନ୍ତ ଜେନାଙ୍କ ଦୃଢ଼ ସମର୍ଥକ ଭାବେ ପରିଚିତ କଂଗ୍ରେସ ନେତୃବୃନ୍ଦ ସୁଦର୍ଶନଙ୍କୁ ଦଳକୁ ସ୍ବାଗତ କରିବା ପରିବର୍ତ୍ତେ ସିଧାସଳଖ ବିରୋଧ କଲେ। ଏହାର ପ୍ରତିଫଳନ ଦେଖିବାକୁ ମିଳିଲା କଂଗ୍ରେସର ଜନଜାଗରଣ ସଭାରେ। ସୁଦର୍ଶନ ମଂଚକୁ ଗଲେ ତାଙ୍କୁ ତୀବ୍ର ବିରୋଧ କରାଯିବ ବୋଲି ଜଳେଶ୍ବରର କତିପୟ କଂଗ୍ରେସ ନେତା ପିସିସି ସଭାପତିଙ୍କୁ ଶୁଣାଇ ଦେବାରୁ ପରିସ୍ଥିତି ଜଟିଳ ହୋଇ ପଡ଼ିଲା। ତେଣୁ ଜନଜାଗରଣ ଯାତ୍ରାରେ ସମ୍ଭାବ୍ୟ ଗୋଷ୍ଠୀ ବିବାଦ ଓ ଗଣ୍ଡଗୋଳକୁ ଏଡ଼ାଇବା ପାଇଁ ନିଜେ ପିସିସି ସଭାପତି ସୁଦର୍ଶନଙ୍କୁ ମଂଚକୁ ଚଢିବା ପାଇଁ ବାରଣ କରିଥିଲେ।

ରାହୁଲଙ୍କ ଉପସ୍ଥିତିରେ ସୁଦର୍ଶନ କଂଗ୍ରେସରେ ମିଶିବା ସତ୍ତ୍ବେ ତାଙ୍କୁ କଂଗ୍ରେସ ମଂଚକୁ ଉଠାଇ ନଦେବା ପଛରେ କାହାର ହାତ ରହିଛି ତାହା ଏବେ ଦଳୀୟ କର୍ମୀଙ୍କ ମଧ୍ୟରେ ଆଲେଚନା ପାଇଁ ଖୋରାକ ଯୋଗାଉଛି। ନିରଞ୍ଜନ ଓ ଶ୍ରୀକାନ୍ତଙ୍କ ମଧ୍ୟରେ ଥିବା ତିକ୍ତ ସଂପର୍କ ସୁଧୁରି ଯାଇଛି ବୋଲି ଉପରକୁ ଯେତେ‌ ଦେଖାଇଲେ ଭିତରେ ଭିତରେ ନିରଞ୍ଜନଙ୍କ ନିଷ୍ପତ୍ତିକୁ ବାଲେଶ୍ବରରେ କାର୍ଯ୍ୟକାରୀ କରାଇ ନ ଦେବା ପାଇଁ ଶ୍ରୀକାନ୍ତ ଯେ ଏବେବି ଚକ୍ରାନ୍ତ ଚଳାଇଛନ୍ତି ତାହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଶ୍ରୀକାନ୍ତ ଖୋଦ ରାହୁଲ ଗାନ୍ଧିଙ୍କ ନିଷ୍ପତ୍ତିକୁ ମଧ୍ୟ ଚ୍ୟ‌ାଲେଞ୍ଜ କରିଥିବା ରାଜନୈତିକ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର