ଶିକାରୀ ଗୁଳିରେ ସବୁଜ ବାହିନୀ ଗୁରୁତର

ନୀଳଗିରି : ବାଲେଶ୍ୱର ଜିଲ୍ଲାର କୁଲଡିହା ଅଭୟାରଣ୍ୟରେ ଆଜି ସନ୍ଧ୍ୟାରେ ଗୁଳି ଫୁଟିଛି। ଶିକାରୀ ଗୁଳିରେ ସବୁଜବାହିନୀ ସଭ୍ୟ ଚନ୍ଦନ ବାଗ(୩୮) ଗୁରୁତର ହୋଇଛନ୍ତି। ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁଯାୟୀ, କୁଲଡିହା ଅଭୟାରଣ୍ୟରେ ବାଲିଚୁଆ ବିଟ୍‌ ହାଉସ୍‌ ଚାଇଁନ୍ଦର ନିକଟରେ ଚନ୍ଦନ ବାଗ, ରାମ ସିଂ, ରାମନନ୍ଦନ ସିଂ କାର୍ଯ୍ୟ କରୁଥିବା ବେଳେ ସନ୍ଧ୍ୟା ସାଢ଼େ ୭ଟା ପାଖାପାଖି ୫/୭ ଜଣିଆ ଶିକାରୀ ଦଳ ଅଭୟାରଣ୍ୟ ଭିତରକୁ ପ୍ରବେଶ କରିଥିଲେ। ସେମାନଙ୍କୁ ସବୁଜବାହିନୀ ସଭ୍ୟ ୩ ଜଣ ଅନୁସରଣ କରିଥିଲେ। ସବୁଜ ବାହିନୀଙ୍କୁ ରୋକିବାକୁ ଶିକାରୀମାନେ ୩ ରାଉଣ୍ଡ ଗୁଳି ଚଳାଇଥିଲେ। ଗୋଟିଏ ଗୁଳି ଚନ୍ଦନଙ୍କ ବାମ ହାତରେ ବାଜିଥିବା ବେଳେ ଦୁଇଟି ଗୁଳି ବାମପଟ ଛାତିରେ ବାଜିଛି। ଖବର ପାଇଁ କୁଲଡିହା ରେଞ୍ଜର ଲକ୍ଷ୍ମଣ ପ୍ରଧାନ, ଫରେଷ୍ଟର ପରମାନନ୍ଦ ନାୟକ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଚନ୍ଦନକୁ ନୀଳଗିରି ହସ୍‌ପିଟାଲକୁ ଆଣିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି।

ଖବର ଲେଖାହେବା ସୁଦ୍ଧା ବନବିଭାଗ ପକ୍ଷରୁ କୌଣସି ମାମଲା ରୁଜୁ ହୋଇନଥିବା ବେଳେ ଶିକାରୀମାନେ ଫେରାର ହୋଇଯାଇଛନ୍ତି।

ସମ୍ବନ୍ଧିତ ଖବର