୫୦ ବର୍ଷ ବୟସରେ ଏଭରେଷ୍ଟ ଚଢ଼ିଥିବା ପ୍ରେମଲତାଙ୍କ ସଂଘର୍ଷ ସିନେମାର କାହାଣୀ ଭଳି ରୋମାଞ୍ଚକ

ନୂଆଦିଲ୍ଲୀ : କୁହାଯାଏ ଇଚ୍ଛାଶକ୍ତି ଯଦି ଦୃଢ ଥାଏ, ତା’ହେଲେ କୌଣସି ବି କାମ ଅସମ୍ଭବ ନୁହେଁ। ଆସନ୍ତୁ ଜାଣିବା ଏମିତି ଏକ ମହିଳାଙ୍କ ବିଷୟରେ , ଯିଏ ଜଣେ ଗୃହିଣୀ ହୋଇଥିଲେ ମଧ୍ୟ, ଜଣେ ପର୍ବତାରୋହୀ ଭାବେ ଶୀର୍ଷ ସଫଳତା ହାସଲ କରିଛନ୍ତି । ସେ ପ୍ରଥମ ବୟସ୍କା ଭାରତୀୟ ମହିଳା, ଯିଏ କି ୫୦ ବର୍ଷ ବୟସରେ ପୃଥିବୀର ସର୍ବୋଚ୍ଚ ଗିରିଶୃଙ୍ଗ ଚଢି ସଫଳତା ହାସଲ କରିଛନ୍ତି । ୫୦ ବର୍ଷ ବୟସରେ ବିଶ୍ୱର ସବୁଠାରୁ ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଏଭେରେଷ୍ଟ ଆରୋହଣ ଭଳି ବିରଳ ସଫଳତା ତାଙ୍କ ଜୀବନ ଇତିହାସରେ ଯୋଡି ହୋଇଯାଇଛି । ୨୦୧୩ ମସିହାରେ ସେ ପାଇଥିଲେ ସମ୍ମାନଜନକ ପଦ୍ମଶ୍ରୀ । ନିଜର କୃତିତ୍ୱ ଲାଗି ସେ ୨୦୧୭ ମସିହାରେ ତେନ୍‌ଜିଂ ନରଗେ୍‌ ନ୍ୟାସନାଲ୍‌ ଆଡଭେଞ୍ଚର ପୁରସ୍କାର ପାଇଥିଲେ ।

ପ୍ରେମଲତା ଅଗ୍ରଓ୍ଵାଲ ପଶ୍ଚିମବଙ୍ଗର ଦାର୍ଜିଲିଙ୍ଗ୍‌ ଜିଲାର ସୁଖିଆ ପୋଖରି ନାମକ ଏକ ଛୋଟ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପା ରାମାବତାର ଅଗ୍ରଓ୍ଵାଲ ଜଣେ ବ୍ୟବସାୟୀ ଥିଲେ ଏବଂ ମା’ ଶ୍ରଦ୍ଧା ଦେବୀ ଜଣେ ଭଲ ଗୃହିଣୀ। ସେ ଏକ ଯୌଥ ପରିବାରରେ ବଢିଥିଲେ,ଯେଉଁ ପରିବାରର ସଦସ୍ୟ ସଂଖ୍ୟା ଥିଲା ୩୦। ପ୍ରେମଲତା ଥିଲେ ବାପା-ମା’ଙ୍କ ୯ ପିଲାଙ୍କ ଭିତରୁ ଜଣେ । ସେ ସ୍କୁଲରେ ସବୁ କଂପିଟେସନ୍‌ରେ ଭାଗ ନେଉଥିଲେ । ପିଲାବେଳୁ କୌଣସି ଖେଳରେ ସେ ହାରିବାର ଭୟ ରଖୁ ନ ଥିଲେ । ପ୍ରେମଲତା ମାତ୍ର ହାଇୟର୍‌ ସେକେଣ୍ଡାରୀ ସ୍କୁଲ୍‌ ଯାଏଁ ପଢିଛନ୍ତି । ମାତ୍ର ୧୮ ବର୍ଷ ବୟସରେ ଜାମ୍‌ସେଦପୁରର ସାମ୍ବାଦିକ ବିମଳ ଅଗ୍ରଓ୍ଵାଲ୍‌ଙ୍କୁ ବିବାହ କରିଥିଲେ । ସେ ଦୁଇଟି କନ୍ୟା ସନ୍ତାନର ଜନନୀ ଅଟନ୍ତି ।

ଦିନେ ପ୍ରେମଲତା ନିଜର ଝିଅମାନଙ୍କୁ ନେଇ ଜାମସେଦପୁର ଜେଆର୍‌ଡି ଟାଟା ସ୍ପୋର୍ଟସ୍‌ କମ୍ପ୍ଲେକ୍ସ କୁ ଟେନିସ୍‌ ଟ୍ରେନିଂ ପାଇଁ ଯାଇଥିଲେ । ସେଠାରେ ସେ ଦେଖିଲେ ଯେ ଟାଟା ସ୍ପୋର୍ଟସ ଆଡଭେଞ୍ଚର ଫାଉଣ୍ଡେସନ୍‌ ତରଫରୁ ଏକ ହିଲ୍‌ ଟ୍ରେକ୍‌ର ଆୟୋଜନ କରାଯାଇଥିଲା । ସେହି ହିଲ୍‌ ଟ୍ରେକ୍‌ରେ ସେ ଭାଗ ନେଲେ ଏବଂ ୫୦୦ ଜଣଙ୍କ ମଧ୍ୟରେ ତୃତୀୟ ସ୍ଥାନରେ ରହିଲେ । ଯେତେବେଳେ ସେ ଟାଟା ସ୍ପୋର୍ଟସ୍‌ ଫାଉଣ୍ଡେସନ୍‌ ଅଫିସ୍‌ ଗଲେ ନିଜର ସାର୍ଟିଫିକେଟ୍‌ ପାଇଁ, ସେ ସେଠାରେ ପ୍ରସିଦ୍ଧ ମହିଳା ପର୍ବତାରୋହୀ ବିଚ୍ଛେନ୍ଦ୍ରୀ ପାଲ୍‌ଙ୍କ ଫଟୋ ଦେଖିଲେ । ତା’ପରେ ସେ ନିଷ୍ପତ୍ତି ନେଲେ ନିଜ ଝିଅମାନଙ୍କୁ ଦୁଃସାହସକ ଖେଳରେ ଭର୍ତ୍ତି କରିବା ପାଇଁ । ଏହାପରେ ସେ ବିଚ୍ଛେନ୍ଦ୍ରୀ ପାଲ୍‌ଙ୍କ ପାଖକୁ ଗଲେ। ସେ ପ୍ରେମଲତାଙ୍କ ଉତ୍ସାହ ଦେଖି କହିଲେ- ତୁମେ କାହିଁକି ଜଏନ୍‌ କରୁନ ଏଥିରେ ? ସେହି ସମୟରେ ପ୍ରେମଲତା ୩୫ ବର୍ଷ ବୟସର ଥିଲେ । ସେ ହଁ କରିବା ପୂର୍ବରୁ ଦୁଇ ଥର ଭାବି ନ ଥିଲେ । ଆରମ୍ଭ ହେଲା ପ୍ରଶିକ୍ଷଣ।

ସେ ୨୦୦୮ ମସିହାରେ ପ୍ରେମଲତା ବିଚ୍ଛେନ୍ଦ୍ରୀ ପାଲ୍‌ଙ୍କ ତତ୍ତ୍ୱାବଧାନରେ ସାଉଥ୍‌ ଆଫ୍ରିକାସ୍ଥିତ ମାଉଣ୍ଟ କିଲିମାନଞ୍ଜୋର ଆରୋହଣ କଲେ । ସେହି ସମୟରେ ବିଚ୍ଛେନ୍ଦ୍ରୀ ପାଲ୍‌ କହିଥିଲେ , ପ୍ରେମ, ମୁଁ ଭାବୁଛି ମାଉଣ୍ଟ ଏଭରେଷ୍ଟ ଚଢିବା ପାଇଁ ତୁମ ପାଖରେ ସବୁ କ୍ଷମତା ଅଛି । ତୁମେ ଚେଷ୍ଟା କର । ଏହି ପ୍ରସ୍ତାବରେ ରାଜି ହେବା ପାଇଁ ପ୍ରେମଲତାଙ୍କୁ ଦୁଇ ବର୍ଷରୁ ଅଧିକ ସମୟ ଲାଗିଥିଲା । ଯେଉଁ ସମୟ ଭିତରେ ସେ ତାଙ୍କର ବଡ଼ ଝିଅଙ୍କୁ ବିବାହ ଦେଇସାରିଥିଲେ ଏବଂ ତାଙ୍କର ସାନ ଝିଅ ପିଜି କରୁଥିଲେ । ସେ ଯେତେବେଳେ ତାଙ୍କ ସ୍ୱାମୀ ଙ୍କୁ ବିଚ୍ଛେନ୍ଦ୍ରୀ ପାଲ୍‌ଙ୍କ ପ୍ରସ୍ତାବ ବିଷୟରେ ପଚାରିଲେ, ସେ ସଙ୍ଗେ ସଙ୍ଗେ ରାଜି ହୋଇଗଲେ ଏବଂ ତାଙ୍କର ଶାଶୁ ଘର ଲୋକ ମଧ୍ୟ ସହଯୋଗ କଲେ ।

ସେ ୪୮ ବର୍ଷ ବୟସରେ ବିଚ୍ଛେନ୍ଦ୍ରୀ ପାଲ୍‌ଙ୍କ ତତ୍ତ୍ୱାବଧାନରେ ବିଶ୍ୱର ଉଚ୍ଚତମ ଶୃଙ୍ଗ ଆରୋହଣ ପାଇଁ ଅଭ୍ୟାସ ଆରମ୍ଭ କରିଦେଲେ । ସେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲେ। କିନ୍ତୁ ସେ ହାରି ଯାଇ ନ ଥିଲେ । ଭାଷାର ଅସୁବିଧା , ଖାଦ୍ୟର ଅସୁବିଧା ଏବଂ ପାଣିପାଗର ପ୍ରତିକୂଳତା ଆଦି ଅସୁବିଧାକୁ ଧ୍ୟାନ ନ ଦେଇ କେମିତି ସେ ନିଜ ଦେଶର ଜାତୀୟ ପତାକାକୁ ସେଇଠି ଉଡାଇବେ ତାହା ଭାବି ସେ ଆଗକୁ ମାଡି ଚାଲିଲେ। ଛବିଶ ହଜାର ଫୁଟରେ କିଛି ପାଣିପାଗ ସମସ୍ୟା ପାଇଁ ତାଙ୍କର ଟିମ୍‌ ପଛକୁ ଫେରିଆସିଲା । ଯେତେବେଳେ ପାଗ ଅନୁକୂଳ ହେଲା, ସେ ପୁଣି ତାଙ୍କର ଯାତ୍ରା ଆରମ୍ଭ କରିଲେ । ୨୦୧୧ ମସିହା ମେ ମାସ ୨୦ ତାରିଖରେ ସେ ବିଶ୍ୱର ଉଚ୍ଚତମ ଶୃଙ୍ଗରେ ଦେଶର ଜାତୀୟ ପତାକାକୁ ଉଡାଇଲେ ।

ନିଜ ସଫଳତା ସଂପର୍କରେ ପ୍ରେମଲତା କହନ୍ତି, ସେ ଦୁଇଟି ଝିଅର ମା’ ହୋଇ ମଧ୍ୟ ସଫଳତା ହାସଲ କରିଛନ୍ତି । ସେ କହିଛନ୍ତି କି ପ୍ରତ୍ୟେକ ମହିଳାଙ୍କର କର୍ତ୍ତବ୍ୟ ହେଲା ନିଜ ଘରର ଯତ୍ନ ନେବା, ରୋଜଗାର ସକ୍ଷମ ହେବା ଇତ୍ୟାଦି । କିନ୍ତୁ ବେଳେବେଳେ କିଛି ସମୟ ବାହାର କରି ନିଜର ଅଞ୍ଚଳର ଭ୍ରମଣ କରିବା ଉଚିତ। ତାଙ୍କ ଜୀବନରେ ଦୁଇ ଜଣ ହେଉଛନ୍ତି ତାଙ୍କର ରୋଲ୍‌ ମଡେଲ୍‌ । ଜଣେ ହେଉଛନ୍ତି ତାଙ୍କ ମାଆ ଏବଂ ଆଉ ଜଣେ ହେଉଛନ୍ତି ତାଙ୍କ ମେଣ୍ଟର ବିଚ୍ଛେନ୍ଦ୍ରୀ ପାଲ୍‌।

ସମ୍ବନ୍ଧିତ ଖବର