ଭଗବାନ ଶିବଙ୍କ ଅଶ୍ଳୀଳ ଫଟୋ ଭାଇରାଲ୍‌ : ଅଡ଼ାରେ ଉତ୍ତେଜନା, ଯୁବକ ଗିରଫ

ସିମୁଳିଆ : ଭଗବାନ ଶିବଙ୍କ ଅଶ୍ଳୀଳ ଫଟୋ ଭାଇରାଲ୍‌ ଘଟଣାକୁ ନେଇ ଆଜି ସିମୁଳିଆ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ପରିସ୍ଥିତି ଭିନ୍ନମୋଡ଼ ନେଉଥିବାରୁ ସଂପୃକ୍ତ ଅଞ୍ଚଳରେ ପୁଲିସ ଫୋର୍ସ ମୁତୟନ କରାଯିବା ସହ ଘଟଣାରେ ଜଡ଼ିତ ଜଣେ ଯୁବକକୁ ଗିରଫ କରାଯାଇଛି। ଏମିତି ଏକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ୍‌ ଅଡ଼ା ବଜାରରେ।

ଆଜି ଅଡ଼ାର ଜଣେ ଯୁବକ ସ୍ଥାନୀୟ ବଜାରରେ ଭଗବାନ ବାବା ଶିବଙ୍କ ଅଶ୍ଳୀଳ ଫଟୋକୁ ନିଜ ମୋବାଇଲ୍‌ରୁ ଭାଇରାଲ୍‌ କରୁଥିଲା। ଏନେଇ ସ୍ଥାନୀୟ କିଛି ଲୋକ ଜାଣିବା ପରେ ସଂପୃକ୍ତ ଯୁବକକୁ ଅଟକ ରଖି ମୋବାଇଲ୍‌ ଛଡ଼ାଇ ନେଇଥିଲେ। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ବାଲେଶ୍ୱର ଏସ୍‌ଡିପିଓ ପ୍ରଭାସ ଚନ୍ଦ୍ର ପାଲଙ୍କ ସହ ଖଇରା ଆଇଆଇସି ଲୋପାମୁଦ୍ରା ନାୟକ, ସିମୁଳିଆ ଆଇଆଇସି ସଂଜୟ କୁମାର ପରିଡ଼ା ଓ ସୋର ଆଇଆଇସି କାର୍ତିକ ଚନ୍ଦ୍ର ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ଉତ୍ତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ସଂପୃକ୍ତ ଯୁବକକୁ ପୁଲିସ ନିଜ ହେପାଜତରେ ନେବା ସହ ତାକୁ ଗିରଫ ରଖିଛି। ଏହି ଘଟଣା ପରଠୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଏକ ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଛି। ସିମୁଳିଆ ଥାନା କେସ୍‌ ନମ୍ବର ୨୧/୧୮ରେ ଏନେଇ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର